ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଯ୍ୟାସ ମିଳିଛି ,ଯାହା ରାଜ୍ୟର ଅବଲମ୍ବନରେ ସାମଗ୍ରିକ ବିକାଶ ସହାୟକ ହେବ ।
ଆଜି ସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ମାନ୍ୟବର ରାଜ୍ୟ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମାନ୍ୟବର ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
ଏହି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ, ଜାତୀୟ ହାରକୁ ଦୃଷ୍ଟିରେ ରଖି ଆମର ସହରୀକରଣକୁ ଆଗକୁ ନେବାର ଅଛି । ସହରର ଉନ୍ନତି ରାଜ୍ୟ ତଥା ଦେଶରଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ । ତେଣୁ ସହରାଂଚଳ ବିକାଶ ସହିତ ଜଡ଼ିତ ପ୍ରତିଟି କ୍ଷେତ୍ରର ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ।ସହରକୁ ବିକାଶର ଇଂଜିନ୍ କରିବାକୁ ପଡ଼ିବ । ଜିଲ୍ଲାର ଆର୍ଥିକ ବିକାଶରେ ସହରୀକରଣର ପ୍ରମୁଖ ଭୂମିକା ରହିଛି । ତେଣୁ ଆଗାମୀ ୫୦ବର୍ଷରୁ ଊର୍ଦ୍ଧ୍ୱକୁ ଦୃଷ୍ଚିରେ ରଖି ସହରର ଯୋଜନାବଦ୍ଧ ନକ୍ସା ପ୍ରସ୍ତୁତି କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟ ସରକାର ବିଭିନ୍ନ ସହରର ଭିଡ଼ କମାଇବା ପାଇଁବାଇ-ପାସ୍ ରାସ୍ତା ନିର୍ମାଣ, ସହର ଚତୁର୍ପାଶ୍ୱରେ ରିଂ-ରୋଡ୍ ନିର୍ମାଣ ଉପରେ ପଦକ୍ଷେପ ନେଉଥିବା ସେ ପ୍ରକାଶ କରିଥିଲେ । ଏବେ ବର୍ଜ୍ୟବସ୍ତୁ ପରିଚାଳନା ସହର ପାଇଁ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଥିବା ବେଳେ ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଆଗାମୀ ଦିନରେ ବଡ ବଡ ରାସ୍ତା ନିର୍ମାଣ ବେଳେ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ବ୍ୟବହାର କରିବା ସଂପର୍କରେ ଯୋଜନା କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାସ୍ତା ନିର୍ମାଣ ସଙ୍ଗେ ସଙ୍ଗେ ତଦନୁସାରେ ଡ୍ରେନେଜ୍ ବ୍ୟବସ୍ଥାସହ ବିଦ୍ୟୁତ, ଟେଲିଫୋନ୍, ଗ୍ୟାସ ପାଇପଲାଇନ୍ , ପାନୀୟ ଜଳ ସୁବିଧା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ କରାଯିବ । ଅବ୍ୟବସ୍ଥିତ ସହରୀ ଯୋଜନା ଯୋଗୁଁ ଉଦବୃତ୍ତ ବର୍ଷାଜନ ନିଷ୍କାସନରେ ବହୁ ସମସ୍ୟା ଉପୁଜୁଛି । ଖାଲଖମା(ପଟହୋଲ) ମୁକ୍ତ ଏବଂ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ସରକାର ଏକ ସ୍ୱତନ୍ତ୍ର ନୀତି ଆଣିବେ, ଯାହା ଫଳରେ ସବୁ ପ୍ରକାର ରାସ୍ତା ସୁବିଧାରେ ଓ ନିୟମିତ ଭାବେ ମରାମତି ହୋଇପାରିବ । ସହରର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସରଳୀକରଣ କରାଯିବ, ଯଦ୍ୱାରା ନୂଆ ରାସ୍ତା ନିର୍ମାଣ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ସହଜରେ ହୋଇପାରିବ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ପହଁଚିବା ପାଇଁ ବ୍ୟାପକ ସହରୀକରଣର ସଫଳତାର ଆବଶ୍ୟକତା ସଂପର୍କରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. ମହାପାତ୍ର ବସ୍ତିମୁକ୍ତ ସହରୀକରଣ ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ, କାର୍ଯ୍ୟ ଅନ୍ୱେଷଣରେ ଆସି ବସ୍ତିରେ ବସତି ସ୍ଥାପନ କରୁଥିବା ବସ୍ତିବାସିନ୍ଦାଙ୍କ ସମସ୍ୟା ସମାଧାନ ସରକାରଙ୍କ ପ୍ରାଥମିକତା ରହିଛି । ସେମାନଙ୍କୁ ବସ୍ତି ଭଳି ଅସ୍ୱାସ୍ଥ୍ୟକର ପରିବେଶରୁ ବାହାରକୁ ଆଣି ବ୍ୟବସ୍ଥିତ ଢଙ୍ଗରେ ସୁଲଭ ଆବାସ ଯୋଗାଇ ଦେବା ପାଇଁଯୋଜନାଭିତ୍ତିକ ବ୍ୟବସ୍ଥା କରାଯାଉଛି ।
ବଢୁଥିବା ସହରୀକରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହର ସଂଲଗ୍ନ ଅଧିକରୁ ଅଧିକ ଅଂଚଳକୁ ଟାଉନ୍ ପ୍ଲାନିଂ (ଟିପି) ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ଲୋକମାନଙ୍କ ପାଇଁ ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ଡ୍ରେନେଜ୍ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବେ । ଫଳରେ ଉଭୟ ଜମି ସତ୍ୱାଧିକାରୀମାନେ ଜମିର ଉପଯୁକ୍ତ ମୂଲ୍ୟ ପାଇବା ସହ ଇଚ୍ଛୁକ ବ୍ୟକ୍ତିଙ୍କର ସହରରେ ଘର ପାଇବାର ସ୍ୱପ୍ନ ପୂରଣ ହୋଇପାରିବ । ସହରର ଆର୍ଥିକ ଅବିବୃଦ୍ଧି ଘଟିବ । ସବୁ ମହାନଗର ନିଗମ, ମ୍ୟୁନିସିପାଲିଟି, ପୌରାଂଚଳରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମନ୍ତ୍ରୀ ଡଃ. ମହାପାତ୍ର ପ୍ରକାଶ କରିଥିଲେ ।
ବର୍ଜ୍ୟବସ୍ତୁ ପରିଚାଳନା, ବୁଲା ଗୋରୁ ଗାଈଙ୍କ ପାଇଁ ଗୋଶାଳା ନିର୍ମାଣ, ସବୁ ଅଂଚଳ ଭାବେ ଯୋଜନା ବଦ୍ଧ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ଉପରେ ମନ୍ତ୍ରୀ ଡଃ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ସହରରେ ବିଭିନ୍ନ ଅନୁପ୍ରବେଶକାରୀଙ୍କ ଯୋଗୁଁ ଚୋରା ମାଦକ ଦ୍ରବ୍ୟ ଓ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାରକୁ ରୋକିବା ପାଇଁ ନିୟମିତ ଭାବେ ବସ୍ତିଗୁଡିକୁ ଯାଂଚ କରିବାକୁ ଜିଲ୍ଲାପାଳମାନଙ୍କୁ ମନ୍ତ୍ରୀ କହିଥିଲେ । ଯଦ୍ୱାରା ସହରର ସମ୍ମାନ ଓ ସୁରକ୍ଷା ବଜାୟ ରହିବ । ରାଜ୍ୟ ଓ ଜିଲ୍ଲାରେ ସମସ୍ତ ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟଓ ମାନବ ସମ୍ବଳ ବୃଦ୍ଧି ଉପରେ ବିଭାଗ ପଦକ୍ଷେପ ନେଉଥିବା ମନ୍ତ୍ରୀ ପ୍ରକାଶକରିଥିଲେ । ସହରର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ନିକଟସ୍ଥ ଗ୍ରାମାଂଚଳ ଓ ସହରାଂଚଳ ସହ ମିଳିତ ଭାବେ ଯୋଜନା କରାଯାଇ ଉଭୟ ପାନୀୟ ଜଳ ସମସ୍ୟା ଓ ବର୍ଯ୍ୟଜଳ ନିଷ୍କାସନ ସମସ୍ୟାର ଦୂରୀକରଣ ପାଇଁ ଯୋଜନା କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ସମଗ୍ର ରାଜ୍ୟର ସହରାଂଚଳର ଯୋଜନାବଦ୍ଧ ବିକାଶ ପାଇଁ ରହୁଥିବା ଆହ୍ୱାନ ଓ ଏହାର ସମାଧାନ ପାଇଁ ଏକ ବିସ୍ତୃତ ଉପସ୍ଥାପନ କରିଥିଲେ । ସେ ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଅର୍ଥନୈତିକ ଅଂଚଳର ବିକାଶ ସହିତ ସମ୍ବଲପୁର, ଝାରସୁଗୁଡା , ଗୋପାଳପୁର ଆଦି ବିଭିନ୍ନ ସହରର ବିକାଶ ପାଇଁ ସମନ୍ୱିତ ଯୋଜନା ଉପରେ ଆଲୋକପାତ କରିଥିଲେ । ସହର ରୂପାନ୍ତରଣରେ ସବୁଜିମା ବଜାୟ ରଖିବା, ସହର ସଂଲଗ୍ନ ଗ୍ରାମ ଗୁଡିକର ବିକାଶ ପାଇଁ ଗ୍ରାମୀଣ-ସହର(ରୁର୍ବାନ) ନୀତିକୁ ବିଭାଗ କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଥିଲେ । ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ଓ ସେମାନେ ସମ୍ମାନର ସହ କାର୍ଯ୍ୟ କରିବା ପାଇଁ “ଗରିମା” ଯୋଜନାକୁ ଗୁରୁତ୍ୱ, ସହାରାଂଚଳର ଲୋକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ “ସୁଯୋଗ” ଅନ ଲାଇନ୍ ସେବା ବ୍ୟବସ୍ଥା କାର୍ଯ୍ୟକାରୀ ଏବଂ ସହରାଂଚଳରେ ଅତ୍ୟାବଶ୍ୟକ ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ସବୁ ସହରାଂଚଳରେ ଖାଲଖମା ମୁକ୍ତ ଏବଂ ପଥଚାରୀଙ୍କ ରାସ୍ତା ସୁନିଶ୍ଚିତ କରିବା ପାଇଁ ଯୋଜନା ରହିଥିବା ଏବଂ ଏଥିର କାର୍ଯ୍ୟକାରୀ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଐତିହ୍ୟ ପୁରୀ ସହରର ଯୋଜନାବଦ୍ଧ ଉନ୍ନତିକରଣ ପାଇଁ ରହୁଥିବା ଆହ୍ୱାନ ଓ ସମସ୍ୟାର ସମାଧାନ ସଂପର୍କରେ ଉପସ୍ଥାପନ କରି ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳ, କଟକ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କଟକ ସହରର ଉଦାହରଣ ଦେଇ ସହରୀକରଣରେ ରହୁଥିବା ଡ୍ରେନେଜ୍ ସମସ୍ୟା ଓ ସମାଧାନ ସଂପର୍କରେ ଉପସ୍ଥାପନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍ ଆୟାର କେନ୍ଦ୍ରାପଡା ସହରର ଜାରି ରହିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ଆଗାମୀ ଉନ୍ନତିକରଣ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ।
ଭିତରକନିକାକୁ ସଂଯୋଗ କରୁଥିବା ପଟ୍ଟାମୁଣ୍ଡାଇ କେନାଲ ରାସ୍ତାର ଉନ୍ନତି କରଣ ପାଇଁ ସେ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯଦ୍ୱାରା ଅଂଚଳରେ ବନ୍ୟା ନିୟନ୍ତ୍ରଣ, ରାଜ୍ୟର ପର୍ଯ୍ୟଟନ ବିକାଶରେ ସହାୟକହେବ । ଜିଲ୍ଲାପାଳ ନୂଆପଡା ଶ୍ରୀ ମଧୁସୁଦନ ଦାଶ ନୂଆପଡା ଜିଲ୍ଲାରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ସଂପର୍କିତ ଉତ୍ତମ ଅଭ୍ୟାସ ପଦକ୍ଷେପ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ନିଷେଧ ସହିତ ଏହାର ବିକଳ୍ପ ବ୍ୟବସ୍ଥା କିପରି କରାଯାଇଛି, ତାହାର ସଫଳତାର ଆଲୋଚନା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥିଲା ।
ଜିଲ୍ଲାପାଳ, କଳାହାଣ୍ଡି “ଆମର ସହାୟକ”– ହ୍ୱାଟ୍ସ-ଆପ୍ ଚାଟ୍ ବଟ ଜରିଆରେ ନାଗରିକଙ୍କୁ ଜୀବନଜୀବିକା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ରାଜସ୍ୱ, ଜିଲ୍ଲାଭିତ୍ତିକ ପଦକ୍ଷେପରେ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଥିବା ସଂପର୍କରେ ଦର୍ଶାଇଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ( ପାନୀୟ ଜଳ ଓ ପରିମଳ ବିଭାଗ ) ଶ୍ରୀ ବିନୀତ ଭରଦ୍ୱାଜ ଉପସ୍ଥିତ ଥିଲେ । ଅଧିବେଶନରେ ଶିଳ୍ପ ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଆବୋଲି ସୁନିଲ ନରଓ୍ୱଣେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

