ଭୁବନେଶ୍ୱର : ଆମ ସୁବାହକ ଯୋଜନା ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସରକାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି ପ୍ରଥମ ପର୍ଯ୍ୟାୟରେ ସେଥିପାଇଁ ୪୬ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ । ମହିଳାମାନେ ଖରିଦ କରିବାକୁ ଥିବା ଯାନର ଡାଉନ ପେମେଣ୍ଟ, ସୁଧ ଆଦି ପାଇଁ ଏହି ଅର୍ଥ ସରକାର ଯୋଗାଇବେ ।
ଆତ୍ମନିର୍ଭର ମହିଳା ସୁବାହକ ଯୋଜନାରେ ରାଜ୍ୟ ସରକାର ୪ବର୍ଷରେ ୧୧୦୦ ମହିଳାଙ୍କୁ ଗାଡି କିଣିବାପାଇଁ ସହାୟତା ଯୋଗାଇଦେବେ । ମହିଳାମାନେ ଏହି ଗାଡି କିଣି ନିଜେ ଚଳାଇ ରୋଜଗାର କରିପାରିବେ । ଗାଡିଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସରକାରୀ ବିଭାଗ ଓ ସଂସ୍ଥାରେ ଭଡାରେ ଲଗାଇବାର ସୁଯୋଗ ମିଳିବ ।
ତେବେ ମିଳିଥିବା ସୂଚନା ଅନୁଯାୟୀ ୪ବର୍ଷରେ ମହିଳାଙ୍କ ପାଇଁ ୧୧୦୦ ଟି ଗାଡି ବାବଦରେ ରାଜ୍ୟ ସରକାର ୪୬ କୋଯି ୬୬ଲକ୍ଷ ୨୯ହଜାର ୫୦୦ ଟଙ୍କା ବ୍ୟୟ କରିବାର ପ୍ରାରମ୍ଭିକ ଆକଳନ କରିଛନ୍ତି । ପ୍ରତ୍ୟେକ ଯାନର ହାରାହାରି ମୂଲ୍ୟ ୧୦ଲକ୍ଷ ଟଙ୍କା ରଖାଯାଇଥିବାବେଳେ ଏହାର ୯୦ ପ୍ରତିଶତ ଅର୍ଥାତ୍ ସର୍ବାଧିକ ୯ଲକ୍ଷ ଟଙ୍କାର ବ୍ୟାଙ୍କଋଣ ହିତାଧିକାରୀମାନଙ୍କୁ କରିବାକୁ ପଡିବ । ଋଣ ବାବଦରେ ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ହିତାଧିକାରୀମାନେ ଗାଡି ନେବାର ୫ବର୍ଷ ମଧ୍ୟରେ ଋଣ ପରିଶୋଧ କରିବେ ।
ତେବେ ରାଜ୍ୟ ସରକାର ହିତାଧିକାରୀମାନଙ୍କ ମୂଳଧନ ଜମା ବାବଦରେ ଗାଡି ମୂଲ୍ୟର ୧୦ ପ୍ରତିଶତ ଅର୍ଥାତ୍ ୧୧ କୋଟି ଟଙ୍କା ବି ବହନ କରିବେ । ଅବଶିଷ୍ଟ ୯୯ କୋଟି ଟଙ୍କା ହିତାଧିକାରୀମାନେ ଶୁଝିବାର ଲକ୍ଷ୍ୟ ରହିଛି । ତେବେ ବ୍ୟାଙ୍କ୍ଗୁଡିକୁ ଋଣର ସୁଧ ବାବଦୀୟ ଅର୍ଥ ସରକାର ପ୍ରଦାନ କରିବାର ଥିବାରୁ ଆଗୁଆ ଭାବେ ୩ମାସର ମାସିକ କିସ୍ତି ଜମା ରହିବ । ଯଦି ହିତାଧିକାରୀମାନେ ନିୟମିତ କିସ୍ତି ପ୍ରଦାନରେ ଖିଲାପ କରନ୍ତି ତେବେ ଏହି ଜମା ଅର୍ଥରୁ କିସ୍ତି ସୁଝାଯିବ ।
ରାଜ୍ୟ ସରକାରଙ୍କର ଏହି ଯୋଜନାରେ ସାମିଲ ହେବାକୁ ଥିବା ମହିଳା ହିତାଧିକାରୀମାନଙ୍କର ବୟସ ୨୧ ରୁ ୪୦ବର୍ଷ ମଧ୍ୟରେ ହେବା ସହିତ ସେମାନଙ୍କର ବାର୍ଷିକ ଆୟ ୩ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ । ଏହାବାଦ୍ ସବୁଠାରୁ ବଡ ମାନଦଣ୍ଡ ହେଉଛି ସମ୍ପୃକ୍ତ ମହିଳା ହିତାଧିକାରୀଙ୍କର ଯୋଗ୍ୟ ଡ୍ରାଇଭିଂ ଲାଇସେନ୍ସ ଥିବ ଏବଂ ସିଏ ରାଜ୍ୟରେ ଥିବା ସରକାରୀ ଡ୍ରାଇଭିଂ ଏବଂ ଗବେଷଣା କେନ୍ଦ୍ରରେ ତାଲିମ ନେଇ ଏହା ହାସଲ କରିଥିବେ । ଯୋଜନାରେ ସାମିଲ ପରେ ଅତି କମ୍ରେ ୫ବର୍ଷ ପାଇଁ ଟ୍ୟାକ୍ସି ଚଳାଇବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିବେ ।
ଓଡିଶା ରାଜ୍ୟ ସଡକ ପରିବହନ ନିଗମ ବସ୍ କିମ୍ବା କ୍ରୁଟ୍ ବସ ଚଳାଉଥିବା ମହିଳା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟ ଥିବା ମହିଳା ଗାଡିଚାଳକ ଓ ସୁଭଦ୍ରା ଯୋଜନାର ହିତାଧିକାରୀ ଥିବା ଚାଳକମାନଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଅଗ୍ରାଧିକାର ଦିଆଯିବ । ପ୍ରାରମ୍ଭିକ ସ୍ତରରେ ଏହି ଯୋଜନା ପାଇଁ ସରକାର ୪୬କୋଟି ୬୬ଲକ୍ଷ ଟଙ୍କାର ଅଧିକ ବ୍ୟୟର ପ୍ରସ୍ତୁତି କରିଥିବାବେଳେ ଯୋଜନାର ସଫଳତାକୁ ଦେଖି ଏଥିରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି । (ତଥ୍ୟ)

