ଭୁବନେଶ୍ୱର : ସଡକ ଦୁର୍ଘଟଣା ରୋକିବା ପାଇଁ ସରକାର ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଥିବାବେଳେ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା କିନ୍ତୁ ଦଲାଲମୁକ୍ତ ହୋଇପାରୁ ନାହିଁ । ପ୍ରତ୍ୟେକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦପ୍ତରର ଅଧିକାଂଶ କାର୍ଯ୍ୟ ଦଲାଲଙ୍କ ସହାୟତାରେ ହେଉଥିବାରୁ ରାଜ୍ୟରେ ଦକ୍ଷ ଗାଡିଚାଳକ ବାହାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସଡକରେ ଯେକୌଣସି ଯାନବାହାନ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଜରୁରୀ । ଏଥିପାଇଁ ଚାଳକଙ୍କୁ ପ୍ରଥମେ ଲର୍ଣ୍ଣି ଲାଇସେନ୍ସ ଓ ପରେ ସ୍ଥାୟୀ ଲାଇସେନ୍ସ ନେବାକୁ ପଡିଥାଏ । ନିଜ ନିଜ ଅଞ୍ଚଳର ଥିବା ଆରଟିଓ ଦପ୍ତରଗୁଡିକରୁ ଏହି ଲାଇସେନ୍ସ ମିଳିଥାଏ । ଲାଇସେନ୍ସ ପାଇବାପାଇଁ ସାଧାରଣ ବ୍ୟକ୍ତି ଅନ୍ଲାଇନ୍ରେ ଆବେଦନ କରି ଅର୍ଥ ଦାଖଲ କରିବାପରେ ପରୀକ୍ଷା ଦେବାକୁ ପଡିଥାଏ । ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ସଂଖ୍ୟାଧିକ ଲୋକେ ଦଲାଲଙ୍କ ସହାୟତା ନେଇଥାନ୍ତି ଓ ସହଜରେ ଉତ୍ତୀର୍ଣର୍ ହୋଇଥାନ୍ତି । ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପରୀକ୍ଷାଠାରୁ ଆରମ୍ଭକରି ସ୍ଥାୟୀ ଲାଇସେନ୍ସ ପାଇଁ ଗାଡି ଚାଳନା ପରୀକ୍ଷା ଦେବା ପର୍ଯ୍ୟନ୍ତ ଦଲାଲମାନେ ସବୁ ଦାୟିତ୍ୱ ନେଇଯାଇଥାନ୍ତି ।
ଗୋଟିଏ ଗୋଟିଏ ଲାଇସେନ୍ସ କରାଇ ଦେବାପାଇଁ ୨ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ପ୍ରଦାନ କରିବାକୁ ପଡିଥାଏ । ଯେଉଁମାନେ ଅର୍ଥ ଦେଇଥାନ୍ତି ସେମାନେ ଖାଲି ପରୀକ୍ଷାରେ ବସିଗଲେ କିମ୍ବା ପଡିଆରେ ଗାଡି ଗଡାଇଦେଲେ ସେମାନଙ୍କୁ ସହଜରେ ଲାଇସେନ୍ସ ମିଳିଯାଇଥାଏ । ଏହାଛଡା ଯେଉଁମାନେ ଘରୋଇ ତାଲିମ କେନ୍ଦ୍ରରେ ଗାଡି ଚାଳନା ଶିଖିଥାନ୍ତି ସମ୍ପୃକ୍ତ ସଂସ୍ଥାର ସହଯୋଗରେ ବି ସେମାନଙ୍କୁ ସହଜରେ ଲାଇସେନ୍ସ ମିଳିଥାଏ ।
ମୋଟାମୋଟି ଭାବେ ଯେଉଁଭଳି ଭାବେ ପରୀକ୍ଷାରେ ବସିବା ବା ପଡିଆରେ ସଫଳତାର ସହ ଗାଡି ଚାଳନା ପରେ ଡ୍ରାଇଭିଂ ଲାଇସେନ୍ସ ମିଳିବାକଥା ଅଧିକାଂଶଙ୍କ କ୍ଷେତ୍ରରେ ତାହା ହୋଇନଥାଏ । ଲାଇସେନ୍ସ ପାଇବାକୁ ଥିବା ବ୍ୟକ୍ତି ଆବଶ୍ୟକ କାଗଜପତ୍ର ଦେବା ସହିତ ଅର୍ଥ ପ୍ରଦାନ କରିଦେଲେ ଅବଶିଷ୍ଟ ସମସ୍ତ କାର୍ଯ୍ୟ ଦଲାଲମାନେ ସମ୍ପାଦନ କରିଥାନ୍ତି ।
ପରିବହନ ବିଭାଗରେ ଏଭଳି ଦଲାଲି କାରବାର ସଂକ୍ରାନ୍ତରେ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । ଆରଟିଓ ଓ ଏମ୍ଭିଆଇ ମାନେ ସବୁ ଦେଖୁଥିଲେ ବି ଠିକଣା ସମୟରେ ଆଖିବୁଜି ଦିଅନ୍ତି । ରାଜଧାନୀ ଠାରୁ ଆରମ୍ଭକରି ରାଜ୍ୟର ପ୍ରାୟ ସମସ୍ତ ଆରଟିଓ ଅଫିସ ନିକଟରେ ମାଳ ମାଳ ଦଲାଲି କାଉଣ୍ଟରକୁ ଦେଖିଲେ ଲାଇସେନ୍ସ କିଭଳି ସ୍ୱଚ୍ଛତା ଉପାୟରେ ପ୍ରଦାନ କରାଯାଉଛି ଓ ଅନ୍ୟାନ୍ୟ ପରିବହନ କାର୍ଯ୍ୟ କିଭଳି ହେଉଛି ତାହା ସହଜରେ ଯେ କେହି ଅନୁମାନ କରିପାରିବ ।
ବର୍ତ୍ତମାନ ରାଜ୍ୟ ସରକାର ଶୂନ୍ୟ ଦୁର୍ଘଟଣା ପକ୍ଷ ପାଳନ ସହିତ ସୁରକ୍ଷିତ ଗାଡିଚାଳନା ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଯେଉଁମାନେ ଦଲାଲଙ୍କ ମାଧ୍ୟରେ ଲାଇସେନ୍ସ ହାସଲ କରି ସଡରେ ଗାଡି ଚଳାଉଛନ୍ତି ସେମାନେ କିଭଳି ସୁରକ୍ଷିତ ଗାଡିଚାଳନା କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଦୁର୍ଘଟଣା ରୋକିବାକୁ ହେଲେ ପ୍ରଥମେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନକୁ ସ୍ୱଚ୍ଛ କରିବା ଆବଶ୍ୟକ । ଅତି କମ୍ରେ ଗାଡିଚାଳକମାନେ ଟ୍ରାଫିକ ନିୟମ ସଂକ୍ରାନ୍ତରେ ସର୍ବନିମ୍ନ ଜ୍ଞାନ ଆହରଣ ସହିତ ଚଳାଉଥିବା ଗାଡି ସଂକ୍ରାନ୍ତରେ ଜାଣିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ହେଲେ ଲାଇସେନ୍ସ ପ୍ରଦାନ ପାଇଁ ଚାଲିଥିବା ଦଲାଲି କାରବାର ଯୋଗୁଁ ସଡକରେ ଗାଡି ଚଳାଚଳ ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ଓ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ବଢି ବଢି ଚାଲିଛି । (ତଥ୍ୟ)

