ଭୁବନେଶ୍ୱର : “ବୁଢ଼ା କାଳରେ ସାହା ହେଲା ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ । କଷ୍ଟରୁ ରକ୍ଷା କଲା ନୂଆ ଜୀବନ ଦେଲା” । ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା କାଉପାଳ ପଞ୍ଚାୟତର ହଳଦିଆ ଗ୍ରାମ ନିବାସୀ ପ୍ରାୟ ୮୪ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବିଶ୍ଵନାଥ ସେଠୀ । ତାଙ୍କର ପୁଅ ବିନାୟକ ସେଠୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ନଥିଲେ ଆମେ ବାପାଙ୍କୁ ବଞ୍ଚେଇ ପାରିନଥାନ୍ତୁ । କାର୍ଡ ଯୋଗୁ ବାପାଙ୍କର ହାର୍ଟରେ ଦୁଇଟି ଷ୍ଟେଣ୍ଟ ଲାଗିଲା । ବର୍ତ୍ତମାନ ସେ ଭଲ ଅଛନ୍ତି ।”
ଏହି ବର୍ଷ ମେ ମାସରେ ବାପାଙ୍କ ଛାତିରେ କଷ୍ଟ ହେଲା । ଆମେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଲୁ । ଡାକ୍ତର ପରୀକ୍ଷା କରି ତାଙ୍କ ହାର୍ଟରେ ବ୍ଲକେଜ୍ ଥିବାର ସନ୍ଦେହ କଲେ ଏବଂ ଅପରେସନ ଦରକାର ପଡିପାରେ ବୋଲି କହିଲେ । ଭିଡ ଯୋଗୁ କ୍ୟାପିଟାଲ ହସ୍ପିଟାଲରେ ସଙ୍ଗେ ସଙ୍ଗେ ବେଡ୍, ଆଇ.ସି.ୟୁ ଆଦି ମିଳିବା ସମ୍ଭାବନା କମ ଥିଲା । ତାପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ନେଲୁ । ଏମ୍ସରେ ଆଇ.ସି.ୟୁ ବେଡ୍ ଖାଲି ନାହିଁ ବୋଲି କହିଲେ । ସେଠାରୁ ମଣିପାଲ୍ ହସ୍ପିଟାଲ ସହିତ ଯୋଗାଯୋଗ କଲୁ । ସେଠାରେ ବୟୋ ବନ୍ଦନା କାର୍ଡରେ ବିନା ଖର୍ଚ୍ଚରେ ଆଡ଼ମିଶନ ଓ ଚିକିତ୍ସା ହେଲା । ବାପାଙ୍କ ହାର୍ଟରେ ଗୋଟିଏ ଷ୍ଟେଣ୍ଟ ଲାଗିଲା ।
ଆଉ ମାସକ ପରେ ଆଉ ଗୋଟିଏ ଷ୍ଟେଣ୍ଟ ଲାଗିବ ବୋଲି ଡାକ୍ତର କହିଲେ । ସେହି ଅନୁସାରେ ଜୁଲାଇ ମାସରେ ପୁଣି ମଣିପାଲ ହସ୍ପିଟାଲରେ ଆଡ଼ମିଶନ କରି ଦ୍ଵିତୀୟ ଷ୍ଟେଣ୍ଟ ଲଗାଇଲୁ । ବାପା ଏବେ ଭଲ ଅଛନ୍ତି । ଦୁଇଥର ଯାକରେ ୩ ଲକ୍ଷ ରୁ ବେଶି ଟଙ୍କା ଖର୍ଚ୍ଚ ହୋଇଛି । ସବୁ ଟଙ୍କା କାର୍ଡରୁ କଟିଛି । ଆମକୁ ଆଦୌ ଖର୍ଚ୍ଚ କରିବାକୁ ପଡିନି । ଆଗରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ମା ଙ୍କର ସେହି ମଣିପାଲ ହସ୍ପିଟାଲରେ ମାଗଣା ହାର୍ଟ ଅପରେସନ ହୋଇଥିଲା । ସେ ବି ଏବେ ଭଲ ଅଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆୟୁଷ୍ମାନ ସ୍ଵାସ୍ଥ୍ୟ କାର୍ଡ ଯୋଗୁ ଆମ ଭଳି ବହୁ ଗରିବ ଲୋକଙ୍କ ଜୀବନ ରକ୍ଷା ହୋଇଛି । ଏଥିପାଇଁ ଆମ ସରକାରଙ୍କ ନିକଟରେ କୃତଜ୍ଞ ।
କେବଳ ଶ୍ରୀ ସେଠୀ ନୁହନ୍ତି ଗତ ୭ ମାସ ମଧ୍ୟରେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୬,୩୩,୮୦୦ ବୟୋଜ୍ୟୋଷ୍ଠ ବ୍ୟକ୍ତି ସାମିଲ ହୋଇଛନ୍ତି । ୭୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ଓଡ଼ିଶା ଭିତରେ ୭୫୧ ଏବଂ ରାଜ୍ୟ ବାହାରେ ୩୦୦୦୦ ତାଲିକାଭୁକ୍ତ ଘରୋଇ ହସପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୪,୧୯୧ ଜଣ ବରିଷ୍ଠ ନାଗରିକ ତାଲିକାଭୁକ୍ତ ହସପିଟାଲମାନଙ୍କରେ ୨୦ ହଜାରରୁ ଉର୍ଦ୍ଧ୍ବଥର ପ୍ରାୟ ୭୭ କୋଟି ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ଲାଭ କଲେଣି ।

