ଭୁବନେଶ୍ୱର : ଓଡିଶାରେ ବର୍ଷକୁ ପ୍ରାୟ ୪୦ କୋଟି ନଡିଆ ଓ ପଇଡ ତୋଳାଯାଉଛି ବୋଲି ସରକାରୀ ପରିସଂଖ୍ୟାନ କହୁଥିବାବେଳେ ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଏବେ ଅନ୍ୟ ରାଜ୍ୟରୁ ନଡିଆ ଓ ପଇଡ ଓଡିଶା ବଜାରକୁ ଆଣିବାକୁ ପଡୁଛି ।
୧୯୯୯ର ମହାବାତ୍ୟାରେ ରାଜ୍ୟରେ ନଡିଆ ଚାଷ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଅବିଭକ୍ତ ପୁରୀ, କଟକ, ଗଞ୍ଜାମ ଓ ବାଲେଶ୍ୱର ଭଳି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହଜାର ହଜାର ନଡିଆଗଛ ଭାଙ୍ଗିଯାଇଥିଲା । ତେବେ ମହାବାତ୍ୟା ପରେ ପରେ ମାଇଟି ରୋଗରେ ବହୁ ନଡିଆଗଛ ଆକ୍ରାନ୍ତ ହୋଇଥିଲା । ଏହା ପରଠାରୁ ନଡିଆ ଉତ୍ପାଦନ ଉଦବେଗଜନକ ଭାବେ ହ୍ରାସ ପାଉଥିଲା । ପରବର୍ତ୍ତୀ ସମୟରେ ହୁଡ୍ହୁଡ୍, ଫାଇଲିନ୍, ଫନି ଭଳି ବାତ୍ୟାର ପ୍ରଭାବ ବି ନଡିଆ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଏବେ ବି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ନଡିଆଗଛର ବାହୁଗାଁରେ ପୋକଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଏଥିଯୋଗୁଁ ନଡିଆ କାନ୍ଧି ଆସିବା ମଧ୍ୟ ସମ୍ଭବପର ହେଉନାହିଁ । ବହୁ କ୍ଷେତ୍ରରେ ଗୋଟମା ଅବସ୍ଥାରୁ ନଡିଆକୁ ପୋକମାନେ ନଷ୍ଟକରି ଦେଉଛନ୍ତି । ଯେଉଁଠି ବି କୌଣସି ପ୍ରକାରେ ନଡିଆ ପଇଡ କିଛି ହେଉଛି ସେଠି ନଡିଆ ଉପରେ ମାଇଟି ରୋଗର ପ୍ରଭାବ ଜଳ ଜଳ ବାରିହୋଇ ଯାଉଛି । ଏ ପରିପ୍ରେକ୍ଷୀରେ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଆଦି ରାଜ୍ୟରୁ ଓଡିଶାକୁ ପ୍ରାୟ ପ୍ରତିଦିନ ନଡିଆ, ପଇଡ ଆଦି ଆମଦାନୀ କରିବାକୁ ପଡୁଛି ।
ଅନ୍ୟ ରାଜ୍ୟରୁ ଆସୁଥିବା ପଇଡ ଅପେକ୍ଷାକୃତ ବଡ ଓ ଆକର୍ଷଣୀୟ ଦେଖାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ସେଠାରେ ସବୁ ନଡିଆଗଛ ମୂଳରେ ଦିଆଯାଉଥିବା କୀଟନାଶକର ପ୍ରଭାବ କୁଆଡେ ପଇଡପାଣିରେ ରହୁଛି । ତେଣୁ ଅନ୍ୟ ରାଜ୍ୟରୁ ଆସୁଥିବା ପଇଡର ପାଣି ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ କି ନୁହେଁ ସେ ସମ୍ପର୍କରେ କିନ୍ତୁ ପରୀକ୍ଷା ନିରୀକ୍ଷା କରି ଲୋକଙ୍କୁ ସଠିକ୍ ତଥ୍ୟ ଦିଆଯାଉନାହିଁ ।
ଗୋଟିଏ ସମୟରେ ନଡିଆ ଉତ୍ପାଦନ କ୍ଷେତ୍ରରେ ଓଡିଶା ସାରା ଦେଶରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହୁଥିଲା । ସାକ୍ଷୀଗୋପାଳ ଭଳି ଅଞ୍ଚଳରେ ବହୁ ସଂଖ୍ୟକ ନଡିଆ ଗୋଦାମ ଥିଲା । ଏଠାରୁ ଟ୍ରକ ଓ ରେଳ ଯୋଗେ ଅନ୍ୟ ରାଜ୍ୟକୁ ନଡିଆ ପଠାଯାଉଥିଲା । ଏବେ କିନ୍ତୁ ସାକ୍ଷୀଗୋପାଳରେ ଆଉ ସେମିତି ଚାଲାଣକାରୀ ନଡିଆ ଗୋଦାମମାନ ଦେଖିବାକୁ ମିଳୁନାହିଁ । ଅବସ୍ଥା ଏଭଳି ହେଲାଣି ଯେ ଏକଦା ସର୍ବାଧିକ ଉତ୍ପାଦନ କରୁଥିବା ପୁରୀ ଜିଲ୍ଲାରେ ନିଡିଆ ତୋଳିବାପାଇଁ ପାରମ୍ପରିକ ମାଳୁଆ ମିଳୁନାହାନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିର ସମେତ ଆମ ରାଜ୍ୟର ଅଧିକାଂଶ ମନ୍ଦିରରେ ପୂଜାର୍ଚ୍ଚନା ଓ ପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ନଡିଆରୁ ଅଧିକାଂଶ ଅନ୍ୟ ରାଜ୍ୟରୁ ଆଣିବାକୁ ପଡୁଛି । ତେଣୁ ବଜାରରେ ଶୁଖିଲା ନଡିଆ ଓ ପଇଡର ଦାମ୍ ଗୋଟା ପିଛା ୪୦ ରୁ ୫୦ ଟଙ୍କା ରହୁଛି । ମାଇଟି ରୋଗ ପରେ ନଡିଆ କତା ଶିଳ୍ପ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛି । ମାଇଟି ରୋଗାକ୍ରାନ୍ତ ନଡିଆରୁ ଭଲ ତନ୍ତୁ ଥିବା କଥା ବାହାରୁନଥିବାରୁ ଦଉଡି ଠାରୁ ଆରମ୍ଭ କରି କତାଗଦି, ପାପୋଛ ଆଦି ସାମଗ୍ରୀ ପ୍ରସ୍ତୁତ ପାଇଁ ଓଡିଶା ଅନ୍ୟ ରାଜ୍ୟରୁ କତାତନ୍ତୁ ଆମଦାନୀ କରିବାକୁ ବାଧ୍ୟ ହେଉଛି ।
ନଡିଆ ଚାଷର ଅଧୋଗତି ରାଜ୍ୟର ଅର୍ଥନୀତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି । ତେବେ ସରକାରୀ ପରିସଂଖ୍ୟାନ ଅନୁଯାୟୀ ଓଡିଶାରେ ବର୍ଷକୁ ପ୍ରାୟ ୪୦ କୋଟି ନଡିଆ ଓ ପଇଡ ଉତ୍ପାଦନ ହେଉଥିବା ଦର୍ଶାଯାଉଥିବାବେଳେ ସବୁଠାରୁ ଅଧିକ ଉତ୍ପାଦନ ଏ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରେ ହେଉଥିବାବେଳେ ଦ୍ୱିତୀୟରେ ରାୟଗଡା, ତୃତୀୟରେ ପୁରୀ, ଚତୁର୍ଥରେ କଟକ ଓ ପଞ୍ଚମରେ ଜଗତ୍ସିଂହପୁର ଜିଲ୍ଲା ଥିବା କୁହାଯାଉଛି । (ତଥ୍ୟ)

