ଭୁବନେଶ୍ୱର : ପରିବହନ ବିଭାଗ ଦପ୍ତରକୁ ନିଜ ନିଜ ଯାନବାହାନର ନବୀକରଣ ଓ ଯାଞ୍ଚ ପାଇଁ ଯାଉଥିବା ଲୋକେ ଧୂ ଧୂ ଖରାରେ ଛିଡାହୋଇ ରହୁଛନ୍ତି । ବସିବାକୁ ସ୍ଥାନ ଟିକେ ମିଳିବା ତ ଦୂରରକଥା, ପାନୀୟଜଳ ଭଳି ସର୍ବନିମ୍ନ ସୁବିଧା ଟିକେ ବି ମିଳୁନାହିଁ ।
ଏଭଳି ଅବ୍ୟବସ୍ଥା ରାଜ୍ୟ ଅନ୍ୟ କୌଣସି ସ୍ଥାନରେ ନୁହେଁ, ଖୋଦ୍ ରାଜଧାନୀରେ ଥିବା ଗାଡିଚାଳନା ପରୀକ୍ଷା କେନ୍ଦ୍ରରେ । ଚନ୍ଦ୍ରଶେଖରପୁର ଠାରେ ଥିବା ପରିବହନ ବିଭାଗର ଏହି ତାଲିମ କେନ୍ଦ୍ରରେ ରାଜଧାନୀରେ ଦୁଇ ଦୁଇଟି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧିନରେ ଲୋକେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରୀକ୍ଷା ଦେବା ସହିତ ନିଜ ନିଜ ଯାନବାହାନ ପଞ୍ଜିକରଣର ନବୀକରଣ କରିଥାନ୍ତି । ଏଥିପାଇଁ ଉଭୟ ଦୁଇ ଓ ଚାରିଚକିଆ ଯାନମାଲିକମାନେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଏଠାରେ ପହଞ୍ଚିଥାନ୍ତି ।
କେଉଁ ଯାନର ଯାଞ୍ଚ କେଉଁ ସମୟରେ ତାହାର ସୂଚନା ଦିଆଯାଇଥାଏ । ଲୋକେ ସେହି ଅନୁଯାୟୀ ଧାର୍ଯ୍ୟ ସମୟ ୂର୍ବରୁ ସେଠାରେ ନିଜ ନିଜ ଯାନବାହାନ ଧରି ପହଞ୍ଚିଥାନ୍ତି । ତେବେ ଚାରିଚକିଆ ଯାନମାଲିକାମାନେ ନିଜ ନିଜ ଗାଡିରେ ବସି ରହୁଥିବାବେଳେ ଦୁଇ ଚକିଆ ଆରୋହୀମାନେ ଖରା ତରାରେ ଏଣେ ତେଣେ ଛିଡା ହେଉଛନ୍ତି । ସେମାନଙ୍କ ପାଇଁ ପରିବହନ ବିଭାଗ ବସିବା ତ ଦୂରରକଥା ଛାଇ ଟିକେର ବି ବ୍ୟବସ୍ଥା କରିନାହିଁ । ପିଇବା ପାଣି ଓ ଶୌଚାଳୟ ତ ଏଠାରେ ଲୋକଙ୍କ ପାଇଁ ସାତ ସପନ ।
ଲୋକେ ନିଜ ନିଜ ଯାନ ଧରି ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚୁଥିଲେ ମଧ୍ୟ ବାବୁମାନେ କିନ୍ତୁ ବିଳମ୍ବରେ ଆସନ୍ତ । ପଚାରିଲେ ସୁରକ୍ଷାକର୍ମୀଙ୍କ ପାଖରେ ଉତ୍ତର ନଥାଏ । ଯାଞ୍ଚ ଦାୟିତ୍ୱରେ ଥିବା ବାବୁମାନେ ଆସି ପହଞ୍ଚିବାପରେ ଲୋକଙ୍କ ଠାରୁ କାଗଜପତ୍ର ସଂଗ୍ରହ କରିଥାନ୍ତି ଓ ପରେ ଯାଞ୍ଚ କାର୍ଯ୍ୟ ହୋଇଥାଏ । ଉଭୟ ଚାରି ଚକିଆ ଓ ଦୁଇ ଚକିଆ ଯାନର ଫଟୋ ଉଠାଇବାପାଇଁମାତ୍ରଜଣେ ବ୍ୟକ୍ତି ଅଛନ୍ତି । ଏଥିଯୋଗୁଁ ଗାଡି ଯାଞ୍ଚରେ ଢେର ବିଳମ୍ବ ହେଉଛି । ଏଥିପାଇଁ ଅତିକମ୍ରେ ଦୁଇ ତିନି ଘଣ୍ଟା ଲାଗିଯାଉଛି ।
ପରୀକ୍ଷା କେନ୍ଦ୍ର ପରିସରରେ ଗାଡିମୋଟର ଚଳାଚଳ ଯୋଗୁଁ ବ୍ୟାପକ ଧୂଳି ଉଡୁଛି । ଫଟୋ ଉଠାଇବା ଓ ଗାଡି ଯାଞ୍ଚ ଦାୟିତ୍ୱରେ ଥିବା କର୍ମଚାରୀମାନେ ହାତରେ ଛତାଧରି ଓ ମୁହଁରେ ମାସ୍କ ବାନ୍ଧି କାର୍ଯ୍ୟ କରୁଥିବାବେଳେ ଖରାରେ ଛିଡା ହେଉଥିବା ଲୋକେ ଖରାସାଙ୍ଗକୁ ଧୂଳି ବି ଖାଉଛନ୍ତି । ପରିବହନ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ବାବୁମାନେ ସବୁଦିନ ଏହା ଦେଖୁଥିଲେ ମଧ୍ୟ ପ୍ରତିକାର ପାଇଁ କିଛି ବ୍ୟବସ୍ଥା କରୁନାହିଁ । ଏହି କେନ୍ଦ୍ରର ପ୍ରବେଶ ପଥରେ ପର୍ଯ୍ୟାପ୍ତ ସ୍ଥାନ ଥିବାରୁ ସେଠାରେ ଅନ୍ତତଃ ପକ୍ଷେ ଲୋକଙ୍କପାଇଁ ପ୍ରତୀକ୍ଷା ଗୃହଟିଏ ସହିତ ପାନୀୟଜଳ ବ୍ୟବସ୍ଥା ପାଇଁ ମତପ୍ରକା ପାଉଛି । ପରିବହନ ବିଭାଗ ଗାଡି ମୋଟରରୁ ବ୍ୟାପକ ରାଜସ୍ୱ ଆଦାୟ କରୁଥିବାବେଳେ ଲୋକଙ୍କ ସର୍ବନିମ୍ନ ସୁବିଧା ନଯୋଗାଇବା ଫଳରେ ପ୍ରତିଦିନ ଏଠାକୁ ଆସୁଥିବା ଶହ ଶହ ଲୋକ ହୀନସ୍ତା ହେବା ସହିତ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।(ତଥ୍ୟ)

