ଭୁବନେଶ୍ୱର : ଓଡିଶା ସରକାର ଯେଉଁ ସାମୁଦ୍ରିକ ଦୃଷ୍ଟିକୋଣ ଯୋଜନା ପ୍ରସ୍ତୁତ କରିଛନ୍ତି ସେଥିରେ ୨୦୪୦-୫୦ ପର୍ଯ୍ୟନ୍ତ ସମୟକୁ ଲକ୍ଷ୍ୟରେ ରଖିଛନ୍ତି । ତଦନୁଯାୟୀ ୨୦୨୫-୩୦ ସୁଦ୍ଧା ରାଜ୍ୟରେ ୫ହଜାର ତାଲିମପ୍ରାପ୍ତ ସାମୁଦ୍ରିକ ଦକ୍ଷ ଯୁବକଙ୍କର ଆବଶ୍ୟକ ଥିବାବେଳେ ୨୦୪୦-୫୦ରେ ତାହା ୧୦ଗୁଣ ବୃଦ୍ଧି ପାଇବ । ସେହିଭଳି ଉପକୂଳରେ ୨୦୪୦ ସୁଦ୍ଧା ଦେଢ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସାମୁଦ୍ରିକ ବିକାଶ ସହିତ ରାଜ୍ୟର ପର୍ଯ୍ୟଟନର ବିକାଶ ହେବ ବୋଲି ପ୍ରସ୍ତୁତ ଯୋଜନାରେ ଲକ୍ଷ୍ୟ ରଖାଯାଇଛି । ଏଥିଯୋଗୁଁ ୨୦୪୦-୫୦ ସୁଦ୍ଧା ଉପକୂଳକୁ ବାର୍ଷିକ ୭ ନିୟୁତ ପର୍ଯ୍ୟଟକଙ୍କର ଆଗମନ ହେବ ବୋଲି ଦର୍ଶାଯାଇଛି । ୨୦୨୫-୩୦ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧.୨ ନିୟୁତ ହେବାର ଲକ୍ଷ୍ୟ ରହିଛି । ପର୍ଯ୍ୟଟକମାନଙ୍କ ଆଗମନ ସହିତ ସେମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଜେଟି ଆବଶ୍ୟକ ହେବ । ୨୦୨୫-୩୦ଏହି ଧରଣର ଜେଟି ସଂଖ୍ୟା ୫ ହେବ ବୋଲି କୁହାଯାଇଥିବାବେଳେ ୨୦୪୦-୫୦ବେଳକୁ ରାଜ୍ୟରେ ଜେଟି ସଂଖ୍ୟା ୨୦ରୁ ଅଧିକ ହୋଇ ଯାଇଥିବ ।
ସାମୁଦ୍ରିକ ବିକାଶ ହେଲେ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ବୃଦ୍ଧି ପାଇବ । ୨୦୨୫-୩୦ରେ ଏହି କ୍ଷେତ୍ରରେ ୩ହଜାର ଲୋକ ସିଧାସଳଖ ନିଯୁକ୍ତ ପାଇବାକୁ ଥିବାବେଳେ ୨୦୪୦-୫୦ରେ ଏହି ସଂଖ୍ୟା ୨୫ ହଜାରକୁ ଟପିଯିବ । ଅନୁରୂପ ଭାବେ ଉପକୂଳରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାର ଚାହିଦା ମଧ୍ୟ ବୃଦ୍ଧି ପାଇବ ।
ସାମୁଦ୍ରିକ ବିକାଶ ଯୋଜନାରେ ମହିଳାମାନେ ବିଶେଷ ଭାବେ ଉପକୃତ ହେବେ । ମହିଳାମାନଙ୍କ ସାମିଲର ପରିମାଣ ୧୦ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି ପାଇବ । ସେମାନେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପାଇପାରିବେ । ସାମୁଦ୍ରିକ କ୍ଷେତ୍ରରେ ମୋଟ୍ ନିଯୁକ୍ତିର ପରିମାଣ ୭୦ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି ।
ଓଡିଶା ଉପକୂଳରେ ସାମୁଦ୍ରିକ ବିକାଶ ହେଲେ ରେଳ, ଜଳପଥରେ ପରିବହନ ଅଧିକହେବ । ସଡକ ପଥରେ ପରିବହନ ହ୍ରାସ ପାଇବ । ୨୦୨୫ରେ ରେଳରେ ପରିବହନ ୩୨% ଥିବାବେଳେ ୨୦୫୦ ବେଳକୁ ତାହା ୫୦%କୁ ବୃଦ୍ଧି ପାଇବ । ସେହିଭଳି ଜଳପଥରେ ପରିବହନ ୬%ରୁ ୨୫%କୁ ବୃଦ୍ଧି ପାଇବ । ତେବେ ସଡକପଥରେ ପରିବହନ ପରିମାଣ ହ୍ରାସ ପାଇ ୬୨% ରୁ ୩୦%କୁ ଖସିଆସିବ ।
ସାମୁଦ୍ରିକ ବିକାଶ ଯୋଗୁଁ ଏହାର ଅନୁକୂଳ ପ୍ରଭାବ ପରିବେଶ ଉପରେ ପଡିବ । ୨୦୪୦ ସୁଦ୍ଧା କାର୍ବନ ହ୍ରାସ ପରିମାଣ ୩୦% ହେବ ଏବଂ ୨୦୫୦ ସୁଦ୍ଧା ଏହା ୫୦%ରେ ପହଞ୍ଚିବ । ସେହିଭଳି ୧୦ ହଜାର ହେକ୍ଟର ଜମିରେ ହେନ୍ତାଳବନ ସୃଷ୍ଟି କରାଯିବା ସହିତ ଗତଶୀଳ ବର୍ଜ୍ୟପରିଚାଳନା ବ୍ୟବସ୍ଥାକୁ ଗ୍ରହଣ କରାଯିବ । ସେହିଭଳି ୨୦୫୦ ସୁଦ୍ଧା ୮୦ ପ୍ରତିଶତ ବର୍ଥ ପରିବେଶ ଅନୁକୂଳ ହେବ ଏବଂ ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଆକ୍ୱାକଲଚର ଏଂ ସମୁଦ୍ର ଭିତ୍ତିକ ଅକ୍ଷକ ଶକ୍ତିର ୧୨% ଅବଦାନ ଜିଡିପରେ ରହିବ । ଉପକୂଳରେ ଇକୋ ଟୁରିଜିମ୍ ଓ ମତ୍ସ୍ୟ ନେଟୱାର୍କ ଯୋଗୁଁ ୨୦୪୦ ସୁଦ୍ଧା ଦେଢ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । (ତଥ୍ୟ)

