ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ପ୍ରାୟ ଆଉ ୪ବର୍ଷ ଲାଗିଯିବ । ବର୍ତ୍ତମାନ ଯେଉଁ ଗତିରେ ଏହି କାର୍ଯ୍ୟ ଚାଲିଛି ତାହାକୁ ହିସାବକୁ ନେଇ ୨୦୨୯ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।
ରାଜ୍ୟରେ ଥିବା ୧୧୫ଟି ପୌରାଞ୍ଚଳ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୧ଟି ପୌରାଞ୍ଚଳରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟକ୍ଷମ ହୋଇଛି । ଏଥି ମଧ୍ୟରେ କେବଳ ପୁରୀ ସହରରେ ଶହେ ପ୍ରତିଶତ ଘରକୁ ୨୪ଘଣ୍ଟିଆ ଜଳଯୋଗାଣ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଇଛି । ଅନ୍ୟ ଯେଉଁ ସହରରେ ଏହି କାର୍ଯ୍ୟ ହାତକୁ ନିଆଯାଇଛି ସେଠାରେ ଶତ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ୩୦ଟି ଜିଲ୍ଲାରେ ଥିବା ୧୧୫ଟି ପୌରାଞ୍ଚଳ ମଧ୍ୟରୁ ୨୦ଟି ଜିଲ୍ଲାର ୬୩ଟି ପୌରାଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ହାତରେ ଜଳଯୋଗାଣ ବ୍ୟବସ୍ଥା ଥିବାବେଳେ ୱାଟ୍କୋ ହାତରେ ୫ଟି ଜିଲ୍ଲାର ୨୦ଟି ପୌରାଞ୍ଚଳ ରହିଛି । ଆଉ ୫ଟି ଜିଲ୍ଲାର ୩୨ଟି ପୌରାଞ୍ଚଳରେ ଉଭୟ ଜନସ୍ୱାସ୍ଥ୍ୟ ଓ ୱାଟ୍କୋ ଜଳଯୋଗାଣ ଦାୟିତ୍ୱ ନେଇଛନ୍ତି । ଏଥିରୁ ୨୩ଟି ପିଏଚଇଓ ହାତରେ ଥିବାବେଳେ ୯ଟି ପୌରାଞ୍ଚଳ ୱାଟ୍କୋ ହାତରେ ରହିଛି ।
ରାଜ୍ୟର ସହରାଞ୍ଚଳଗୁଡିକରେ ପାଇପ୍ ଯୋଗେ ଜଳ ଯୋଗାଣ ସହିତ ଜଳକର ଆଦାୟ ପାଇଁ ପାଣି ମିଟର ଲଗାଯାଉଛି । ୨୦୧୯ ମସିହାରେ ଏହି ମିଟର ଲଗା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୫% ଅର୍ଥାତ୍ ପାଖପାଖି ୧୦ଲକ୍ଷ ମିଟର ଲଗାଯାଇ ସାରିଲାଣି । ତେବେ ଲକ୍ଷ୍ୟ କରାଯାଉଛି ଯେ ସହରାଞ୍ଚଳରେ ଲାଗିଥିବା ପାଣିମିଟରଗୁଡିକ ସେଭଳି କୌଣସି କାମରେ ଆସୁନାହିଁ । ଏଥିରୁ ଅଧିକାଂଶ ଚୋରିହୋଇ ଯାଉଛି । ବିଶେଷକରି ସରକାରୀ କ୍ୱାଟର୍ସଗୁଡିକରେ ପାଣିମିଟର ଲାଗିଥିଲେ ମଧ୍ୟ ସେହି ଅନୁଯାୟୀ ଅର୍ଥ ଆଦାୟ କରାଯାଉନାହିଁ । ସରକାରୀ କର୍ମଚାରୀମାନଙ୍କ ପାଣିବିଲ୍ ଦରମା ବିଲ୍ ସହିତ ଆସୁଥିବାରୁ ସେମାନଙ୍କ କ୍ୱାଟର୍ସରେ ଲାଗିଥିବା ପାଣିମିଟର ଏକ ପ୍ରକାର ବେକାର ହୋଇଯାଇଛି ।
ସେହିଭଳି ଖୋଦ୍ ରାଜଧାନୀରେ ଯେଉଁସବୁ ସ୍ଥାନରେ ୨୪ଘଣ୍ଟିଆ ଆକ୍ୱାଗାର୍ଡ ମାନର ଜଳଯୋଗାଣ ହେଉଥିବାବେଳେ ଜଳର ଗୁଣବତ୍ତା ଉପରେ କିନ୍ତୁ ଲୋକେ ବିଶ୍ୱାସ କରିପାରୁ ନାହାନ୍ତି । କାରଣ କେତେକ ସ୍ଥାନରେ ପାଣି ପାଇପ୍ ଲିକ୍ ହୋଇ ରାସ୍ତାରେ ପାଣି ଚାଲୁଥିବାରୁ ଲୋକଙ୍କ ଭରସା ତୁଟିଯାଉଛି । ଏଥି ସହିତ ରାଜଧାନୀର ବିଭିନ୍ନ ଜଳଭଣ୍ଡାର ଥିବା ପମ୍ପହାଉସ୍ଗୁଡିକ ଏବେ ଆବାସସ୍ଥଳୀ ପାଲଟିବା ଓ ସେଠାରେ ଶୌଚାଳୟ ଏବଂ ପାଇଖାନା ଆଦି ନିର୍ମାଣ ହେବା ମଧ୍ୟ ଜଳର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛି । ଏହାଛଡା ଜଳର ମାନ ପରୀକ୍ଷା ପାଇଁ ଲ୍ୟାବ୍ ଅନ୍ ହ୍ୱିଲିସ୍ ମୁତୟନ ଥିବା ଏବଂ ୮ଶହରୁ ଅଧିକ ଜଳସାଥୀଙ୍କ ପରୀକ୍ଷା ପାଇଁ ତାଲିମ ଓ କିଟ୍ ଦିଆଯାଇଥିଲେ ମଧ୍ୟ ସେମାନେ ଜଳପରୀକ୍ଷା କରୁଥିବାର ନଜିର ପ୍ରାୟତଃ ନାହିଁ ।
ଏଭଳି ସ୍ଥିତିରେ ସମସ୍ତ ପୌରାଞ୍ଚଳବାସୀଙ୍କ ଘରକୁ ପାଇପ୍ଯୋଗେ ଜଳଯୋଗାଣ ପାଇଁ ଆସନ୍ତବର୍ଷକୁ ସମୟ ଧାର୍ଯ୍ୟ ହୋଇଥିବାବେଳେ ୨୦୨୯ ସୁଦ୍ଧା ୨୪ ଘଣ୍ଟିଆ ଜଳଯୋଗାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ତେବେ ଏହା କେତେଦୂର ପୂରଣ ହୋଇପାରିବ ତାହା ଆଗାମୀ ସମୟ ହିଁ କହିବ । (ତଥ୍ୟ)

