ଭୁବନେଶ୍ୱର : ରାଜ୍ୟରେ ଆୟୁର୍ବେଦିକ ଓ ହୋମିଓପାଥିକ ଚିକିତ୍ସା ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଥିବାବେଳେ ଏହି ଦୁଇ ପ୍ରକାରର ଔଷଧ ପାଇଁ କିନ୍ତୁ ସରକାର ଅତି କମ୍ ପରିମାଣ ଅର୍ଥ ବରାଦ କରୁଛନ୍ତି । ଉଭୟ ଆର୍ୟୁବେଦିକ ଓ ହୋମିଓପାଥିକ ଔଷଧ କିଣିବାକୁ ୧୬ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଯାହାକି ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି ।
ଏଲୋପାଥିକ ଔଷଧ ବ୍ୟୟବହୁଳ ସହିତ ଏହାର ଏକାଧିକ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଉଥିବାରୁ ଲୋକେ ଆର୍ୟୁବେଦିକ ଓ ହୋମିଓପାଥିକ ଚିକିତ୍ସା ଆଡକୁ ଅଧିକ ସଂଖ୍ୟାରେ ଢଳୁଛନ୍ତି । ଉଭୟ କ୍ଷେତ୍ରରେ ଚିକିତ୍ସା ପାଇଁ ରାଜ୍ୟରେ ଏକାଧିକ ଆର୍ୟୁବେଦିକ ଓ ହୋମିଓପାଥିକ ଚିକିତ୍ସାଳୟ ଖୋଲିଛି । ଏଥିରେ ମୋଟା ଅଙ୍କର ଦରମା ନେଉଥିବା ଡାକ୍ତର ମଧ୍ୟ ନିଯୁକ୍ତ ହୋଇଛନ୍ତି । ତେବେ ଏମାନେ ରୋଗୀଙ୍କୁ ଦେବାପାଇଁ ଔଷଧର ଅଭାବ ପରିଲକ୍ଷିତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୨୦ ଟି ସରକାରୀ ଆର୍ୟୁବେଦିକ ଡାତରଖାନରେ ୫୮୩ ଜଣ ଡାକ୍ତର, ୩ଟି ସରକାରୀ ଆର୍ୟୁବେଦିକ ମହାବିଦ୍ୟାଳୟ ଓ ୨ଟି ଆର୍ୟୁବେଦିକ ଚିକିତ୍ସାଳୟରେ ୧୭ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ସେହିଭଳି ୫୬୨ ସରକାରୀ ହୋମିଓପାଥିକ ଡାକ୍ତରଖାନାରେ ୫୧୨ ଜଣ ହୋମିଓପାଥିକ ଡାକ୍ତର ଓ ୪ଟି ସରକାରୀ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ ୧୨ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ।
ରାଜ୍ୟର ଥିବା ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଯଥା ପିଏଚସି, ସିଏଚସିରେ ୧୨୮୨ ଜଣ ଯୋଜନା ଭିତ୍ତିକ ଆୟୁଷ ଡାକ୍ତର କାର୍ଯ୍ୟରତ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଏହାଛଡା ରାଜ୍ୟରେ ୧୦୪୯ ଜଣ ଯୋଜନା ଭିତ୍ତିକ ଆରବିଏସକେ ଆୟୁଷ ଡାକ୍ତର ଏବଂ ୧୩୭ ଜଣ ଯୋଜନା ଭିତ୍ତିକ ଏମଏଚୟୁ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି ।
ରାଜ୍ୟରେ ଏବେ ୫୬ କିସମର ଆୟୁର୍ବେଦ ଔଷଧ ଏବଂ ୧୫୫ କିସମର ହୋମିଓପାଥିକ ଔଷଧର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଜରିଆରେ ଔଷଧ ଖରିଦ କରୁଥିବାବେଳେ ଚଳିତ ବର୍ଷ ଏଥିପାଇଁ ୧୬.୪୩ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।
ରାଜ୍ୟରେ ସରକାର ଏଲୋପାଥିକ ଔଷଧ ପାଇଁ ୫ଶହ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଉଥିବାବେଳେ ଆବଶ୍ୟକସ୍ଥଳେ ରୋଗୀଙ୍କୁ ଔଷଧ କିଣି ଦେବାଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀମାନଙ୍କୁ ନଗଦ ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ ଆର୍ୟୁବେଦିକ ଓ ହୋମିଓପାଥିକ ଔଷଧ ପାଇଁ ଏଭଳି ନଗଣ୍ୟ ବ୍ୟୟ ବରାଦ ଏହି ଦୁଇ ଚିକିତ୍ସା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି । (ତଥ୍ୟ)

