ଭୁବନେଶ୍ୱର : ଚଳିତ ମାସ ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଓଡିଶା ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୀତ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିବେ।
ଓଡିଶା ବିଧାନସଭାକୁ ରାଷ୍ଟ୍ରପତି ସମ୍ବୋଧନ କରିବା ଏହା ପ୍ରଥମ ଘଟଣା। ପୂର୍ବରୁ କୌଣସି ରାଷ୍ଟ୍ରପତି କୌଣସି ବିଧାନସଭାକୁ ସମ୍ବୋଧିତ କରିନଥିଲେ। ଯଦିଓ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ରାଷ୍ଟ୍ରପତି ଚାହିଁଲେ ଯେକୌଣସି ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିପାରିବେ। ଏଭିତରେ ମହାମହିମ କିଛି ରାଜ୍ୟ ଓ ବିଦେଶରେ ମଧ୍ୟ ବିଧାନସଭା ଓ ସଂସଦକୁ ସମ୍ବୋଧିତ କରିଛନ୍ତି।
ଆସନ୍ତା ୨୭ ତାରିଖରେ ସେ ଓଡିଶା ବିଧାନସଭାକୁ ସମ୍ବୋଧିତ କରିବେ। ସଂଯୋଗବଶତଃ ଏକଦା ସେ ଏହି ବିଧାନସଭାର ଜଣେ ସଦସ୍ୟ ଥିଲେ। ଓଡିଶା ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ। ସେହି ଦୃଷ୍ଟିରୁ ବିଧାନସଭାକୁ ସେ ସମ୍ବୋଧିତ କରିବା ଉଲ୍ଲେଖନୀୟ।
ନଭେମ୍ବର ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। ନଭେମ୍ବର ୨୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି ୨୯ଟି କାର୍ଯ୍ୟଦିବସ। ଡିସେମ୍ବର୪ରୁ ୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅତିରିକ୍ତ ବଜେଟ ଉପରେ ଆଲୋଚନା ପରେ ୮ ତାରିଖରେ ବ୍ୟୟମଂଜୁରୀ ବିଲ ଗୃହିତ ହେବ। ଡିସେମ୍ବର ୮ ପରେ ଯଦିଓ ଅଧିବେଶନ ପାଇଁ କାର୍ଯ୍ୟଦିବସ ସ୍ଥିର ହୋଇଛି, ତଥାପି ତାପରେ ୩୧ ପର୍ଯ୍ୟନ୍ତ ଗୃହ ଚାଲିବା ନେଇ ସନ୍ଦେହ ରହିଛି।

