ଭୁବନେଶ୍ୱର : ପିଲାଙ୍କ ବସ୍ତାନି ବୋଝ କମାଇବାପାଇଁ ରାଜ୍ୟ ସରକାର କରିଥିବା ସ୍କୁଲ ବ୍ୟାଗ୍ ନୀତିକୁ ପ୍ରାୟତଃ କେହି ମାନୁ ନାହାନ୍ତି । ଅଭିଭାବକମାନେ ପିଲାଙ୍କ କାନ୍ଧରେ ବୋଝ ବଢାଉଥିବାବେଳେ ବହି ବିକ୍ରିକରୁଥିବା ବିଦ୍ୟାଳୟଗୁଡିକ ବି ନିଜର ବ୍ୟବସାୟ ପାଇଁ ଏଥିପ୍ରତି ଆଖିବୁଜି ଦେଉଛନ୍ତି ।
ବିଦ୍ୟାଳୟକୁ ଆସୁଥିବା ଛୋଟ ଛୋଟ ପିଲାଙ୍କ କାନ୍ଧ ଯେଭଳି ବସ୍ତାନି ବୋଝରେ ଚାପିହୋଇ ନଯିବ ସେଥିପାଇଁ ରାଜ୍ୟ ସରକାର ସ୍ପଷ୍ଟ ନୀତି କରିଛନ୍ତି । କେଉଁ ଶ୍ରେଣୀର ପିଲା କେତେ ଓଜନର ବ୍ୟାଗ୍ ଧରି ବିଦ୍ୟାଳୟକୁ ଆସିବେ ତାହା ସ୍ଥିର ହୋଇଛି । ତଦନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବସ୍ତାନିର ଓଜନ ଦେଢ କିଲୋ ଧାର୍ଯ୍ୟ ହୋଇଥିବାବେଳେ ତୃତୀୟ ରୁ ପଞ୍ଚମଶ୍ରେଣୀ ପିଲାଙ୍କ ପାଇଁ ୨ ରୁ ୩ କିଲୋ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୪ କିଲୋ, ଅଷ୍ଟମ ଏବଂ ନବମ ଶ୍ରେଣୀ ପିଲାଙ୍କ ପାଇଁ ସାଢେ ୪ କିଲୋ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହାର ଓଜନ ୫ କିଲୋ ହେବ ।
ପିଲାମାନେ ଧାର୍ଯ୍ୟ ଓଜନ ଅନୁଯାୟୀ ବସ୍ତାନି ଧରି ବିଦ୍ୟାଳୟକୁ ଆସୁଛନ୍ତି କି ନାହିଁ ତାହାର ଯାଞ୍ଚ ଲାଗି ସହରାଞ୍ଚଳରେ ପୌରସଂସ୍ଥା ସ୍ତରୀୟ ଏବଂ ଜିଲ୍ଲାରେ ବ୍ଲକ ସ୍ତରୀୟ କମିଟି ଗଠନ ହୋଇଛି । ଏହି କମିଟିରେ ବିଇଓ, ଏବିଇଓ ଏବଂ ସିଆରସିସିମାନେ ସଭ୍ୟ ଅଛନ୍ତି । ଏମାନେ ନିୟମିତ ଭାବେ ବିଭିନ୍ନ ବିଦ୍ୟାଳୟ ନିକଟକୁ ଯାଇ ଛାତ୍ରଛାତ୍ରୀମାନଙ୍କର ଯାଞ୍ଚ କରିବା କଥା ।
ତେବେ ସରକାରୀ ସୂଚନା ଅନୁଯାୟୀ ସରକାରଙ୍କ ବସ୍ତାନି ଓଜନ ନିୟମ କୌଣସି ବିଦ୍ୟାଳୟ ମାନୁନଥିବା ନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ । ଏହାର କାରଣ ହେଉଛି ଗୋଟିଏ ପଟେ ଯାଞ୍ଚ ହେଉନଥିବାବେଳେ ଅନ୍ୟପଟେ ଅଭିଭାବକମାନେ ମଧ୍ୟ ଏ ନେଇ ପାଟି ଖୋଲୁ ନାହାନ୍ତି ।
ଅଭିଭାବକଙ୍କ ମତରେ ପିଲାଙ୍କ ବସ୍ତାନି ବୋଝ ବଢାଇବା କ୍ଷେତ୍ରରେ ଘରୋଇ ବିଦ୍ୟାଳୟର ଯୋଗଦାନ ସର୍ବାଧିକ ରହୁଛି । କାରଣ ଏହିସବୁ ବିଦ୍ୟାଳୟମାନେ ଏଲକେଜି ଓ ୟୁକେଜିର କୁନି କୁନି ପିଲାଙ୍କୁ ହଜାର ହଜାର ଟଙ୍କାର ବହି ଓ ଖାତା ଧରାଇ ଦେଉଛନ୍ତି । ହୋମୱାର୍କ ନାଁରେ ପ୍ରତିଦିନ ପୁଳାଏ ବହି ଓ ଖାତା ନେଇ ବିଦ୍ୟାଳୟକୁ ଆସିବାକୁ କୁହାଯାଉଛି । ତେଣୁ ପିଲାମାନେ ବାଧ୍ୟହୋଇ ଅଧିକ ଓଜନର ସ୍କୁଲବ୍ୟାଗ ନେଇ ବିଦ୍ୟାଳୟକୁ ଆସୁଛନ୍ତି । ଓଜନଦାର ବହି ଓ ଖାତା ସହିତ ସେମାନଙ୍କର ଖାଦ୍ୟ ଓ ପାଣି ମଧ୍ୟ ରହୁଛି । ଫଳରେ କୁନି କୁନି ପିଲାମାନେ ବସ୍ତାନି ବୋଝରେ ଏକ ପ୍ରକାର ଚାପିହୋଇ ଯାଉଛନ୍ତି ।
ପିଲାଙ୍କ ବସ୍ତାନି ବୋଝର ଯାଞ୍ଚ ସହିତ ଘରୋଇ ବିଦ୍ୟାଳୟ କେଉଁ ଶ୍ରେଣୀର ପିଲାଙ୍କୁ କେତେ ଟଙ୍କାର ବହି ଖାତା ବିକ୍ରି କରୁଛନ୍ତି ତାହାର ଯାଞ୍ଚ କରାଗଲେ ବସ୍ତାନି ବୋଝ ହ୍ରାସ ପାଇବ ବୋଲି ମତପ୍ରକାଶ ପାଉଛି । ସରକାରୀ ବିଦ୍ୟାଳୟରେ ପିଲାମାନେ ଶିକ୍ଷାବୋର୍ଡ ଦ୍ୱାରା ଧାର୍ଯ୍ୟ ଅଳ୍ପ ସଂଖ୍ୟକ ପୁସ୍ତକ ପଢୁଥିବାବେଳେ ଘରୋଇ ବିଦ୍ୟାଳୟଗୁଡିକ କିନ୍ତୁ ନିଜ ନିଜର ବ୍ୟବସାୟ ପାଇଁ ପିଲାଙ୍କୁ ପାଠ୍ୟକ୍ରମ ବାହାରେ ବହୁ ସଂଖ୍ୟକ ବହି ଧରାଇ ଦେଉଛନ୍ତି । ଏହା କେବଳ ବସ୍ତାନି ବୋଝ ବଢାଉ ନାହିଁ, ଅଭିଭାବକଙ୍କ ପକେଟ ଉପରେ ଚାପ ପକାଇବା ସହିତ ପିଲାଙ୍କ ଉପରେ ବି ମାନସିକ ପ୍ରଭାବ ପକାଇବାରେ ଲାଗିଛି । (ତଥ୍ୟ)

