ଭୁବନେଶ୍ୱର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ, ସେ ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ କାର୍ୟ୍ୟକ୍ରମରେ ଯୋଗଦେବେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ‘ମାଣ୍ଡିଆ ଦିବସ (ମିଲେଟ୍ ଡେ’)’ କାର୍ୟ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ, ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମିଲେଟ୍ସ (ଶ୍ରୀ ଅନ୍ନ) ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ଉପଯୋଗକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିଷୟରେ ବକ୍ତବ୍ୟ ରଖିବେ। ଏହି କାର୍ୟ୍ୟକ୍ରମରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଉପକରଣ ଭାବରେ ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ମଧ୍ୟ କରାଯିବ।
ଉଦଘାଟନ ପରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କଟକ ଜିଲ୍ଲାର ସଦର ଅଞ୍ଚଳ ଗସ୍ତ କରିବେ, ଯେଉଁଠାରେ ସେ କୃଷି କ୍ଷେତ୍ର ପରିଦର୍ଶନ କରିବେ ଏବଂ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ। କେନ୍ଦ୍ର ମନ୍ତ୍ରୀ ଚାଷୀମାନଙ୍କ ଅଭିଜ୍ଞତା ଶୁଣିବେ, ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଜାଣିବେ ଏବଂ କୃଷି ନୀତି ସମ୍ପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିବେ। ଏହି ଆଲୋଚନା ସମୟରେ, ସେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ କୃଷି କାର୍ଯ୍ୟକ୍ରମର ସ୍ଥିତି ତୃଣମୂଳସ୍ତରରେ କିଭଳି ରହିଛି ତାହାର ମୂଲ୍ୟାଙ୍କନ କରିବେ ଏବଂ ଏହାର ପ୍ରଭାବ ସମୀକ୍ଷା କରିବେ।
ଅପରାହ୍ନରେ, କେନ୍ଦ୍ର କୃଷି ମନ୍ତ୍ରୀ କଟକର ବିଦ୍ୟାଧରପୁରରେ ଆଇସିଏଆର – କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ)ରେ ଏକ ମିଳିତ ରଣନୀତିକ ବୈଠକରେ ଯୋଗଦେବେ। ବୈଠକରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଡାଲି ଆତ୍ମନିର୍ଭରଶୀଳତା ମିଶନ ଏବଂ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ ଭଳି ପ୍ରମୁଖ କୃଷି ପଦକ୍ଷେପର କାର୍ୟ୍ୟାନ୍ୱୟନକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା ହେବ।
କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଆଇସିଏଆରର ବୈଜ୍ଞାନିକ ଏବଂ ଓଡ଼ିଶା ସରକାରଙ୍କ ପ୍ରତିନିଧିମାନେ ଏହି ଆଲୋଚନାରେ ଯୋଗଦେବେ । ଭାରତୀୟ କୃଷିରେ ଉଚ୍ଚ ଉତ୍ପାଦକତା, ଦୀର୍ଘସ୍ଥାୟିତ୍ୱ ଏବଂ ଆତ୍ମନିର୍ଭରଶୀଳତା ହାସଲ ପାଇଁ କାର୍ୟ୍ୟକ୍ଷମ ରଣନୀତି ପ୍ରସ୍ତୁତ କରିବା ଏହି ଆଲୋଚନାର ଲକ୍ଷ୍ୟ ରହିବ।
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନଙ୍କ ଗସ୍ତକୁ ଓଡ଼ିଶାରେ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ କୃଷିକୁ ଆଗକୁ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ଜାତୀୟ ବିକାଶରେ ଭାରତୀୟ କୃଷକଙ୍କ ଗୁରୁତ୍ୱ ଉପରେ ଶ୍ରୀ ଚୌହାନ କହିଛନ୍ତି, ଭାରତର ଭବିଷ୍ୟତ ଏହାର କୃଷକମାନଙ୍କ କ୍ଷେତ୍ରରେ ନିହିତ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଚାଷକୁ ଲାଭଜନକ, ପରିବେଶ ଅନୁକୂଳ ଏବଂ ପ୍ରଯୁକ୍ତି-ଚାଳିତ କରିବାକୁ ସରକାର ପ୍ରତିବଦ୍ଧ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କୃଷକମାନଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଏବଂ ତୃଣମୂଳସ୍ତରରେ କୃଷି ବିକାଶର ସମୀକ୍ଷା କରିବା ପାଇଁ ନିରନ୍ତର ବିଭିନ୍ନ ରାଜ୍ୟ ଗସ୍ତ କରିଆସୁଛନ୍ତି। ସେ କହିଛନ୍ତି, ନୀତି ନିର୍ଦ୍ଧାରଣ ଏବଂ କାର୍ୟ୍ୟକ୍ରମ କାର୍ଯ୍ୟକାରିତା କେବଳ ନୂଆଦିଲ୍ଲୀର କାର୍ୟ୍ୟାଳୟରେ ସୀମିତ ରହିଲେ ପ୍ରଭାବଶାଳୀ ହୋଇପାରିବ ନାହିଁ। ବରଂ, କୃଷିରେ ସଫଳତା ପାଇଁ ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା ମାଧ୍ୟମରେ କ୍ଷେତ୍ର ବାସ୍ତବତାକୁ ବୁଝିବା ଆବଶ୍ୟକ। କେନ୍ଦ୍ର ମନ୍ତ୍ରୀଙ୍କର ନିରନ୍ତର ପ୍ରସାର ପ୍ରୟାସ ଏକ ଅଂଶଗ୍ରହଣକାରୀ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନଙ୍କ ଏହି ଗସ୍ତ କେନ୍ଦ୍ର, ରାଜ୍ୟ ସରକାର ଏବଂ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମୀଣ ବିକାଶକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ଅବକ୍ଷୟ ଏବଂ ଜଳ ଅଭାବ ଭଳି ଉଦୀୟମାନ ଆହ୍ୱାନର ମୁକାବିଲା ପାଇଁ ଏକ ସ୍ଥିର କୃଷି ବ୍ୟବସ୍ଥା ଗଠନର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।
ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଆସନ୍ତାକାଲି ସନ୍ଧ୍ୟାରେ ଶ୍ରୀ ଚୌହାନ ଭୁବନେଶ୍ୱରରୁ ବିଜୟୱାଡା ଅଭିମୁଖେ ଯାତ୍ରା କରିବେ ଏବଂ ପରଦିନ ସେଠାରେ ବିଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ୟ୍ୟକ୍ରମ ରହିଛି।

