Home General ଆକାଶବାଣୀର ୬୭ତମ ସଂଗୀତ ସମ୍ମିଳନୀ

ଆକାଶବାଣୀର ୬୭ତମ ସଂଗୀତ ସମ୍ମିଳନୀ

ଭୁବନେଶ୍ୱର: ପ୍ରସାରଭାରତୀ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ୬୭ତମ ଆକାଶବାଣୀ ସଂଗୀତ ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମିଳନୀକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆକାଶବାଣୀର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଆନନ୍ଦ ଚନ୍ଦ୍ର ସୁବୁଦ୍ଧି I

ଆକାଶବାଣୀ କଟକର ଉପ ମହାନିର୍ଦ୍ଦେଶକ ଶ୍ରୀ ଭି.ଏମ୍. ରତ୍ନପ୍ରସାଦ, କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଦୁର୍ଗା ମାଝୀ ଏବଂ ସହକାରୀ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଏବଂ ଓଡ଼ିଆ ଲଘୁସଂଗୀତର ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଆକାଶବାଣୀ କଟକର ଏ ଗ୍ରେଡ଼ କଳାକାର ଶ୍ରୀ ପ୍ରଦୀପ୍ତ ଶେଖର ମହାପାତ୍ରଙ୍କ ବଂଶୀବାଦନ ଆମନ୍ତ୍ରିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଲଘୁସଂଗୀତ କ୍ରମରେ ଡ଼ଃ ନାଜିଆ ସୟିଦ୍ ଓ ଶ୍ରୀ ସନ୍ତୋଷୀ ପ୍ରସାଦ ମିଶ୍ରଙ୍କ କଣ୍ଠସଂଗୀତ ଏହି ସାଂସ୍କୃତିକ ସନ୍ଧ୍ୟା ରେ ରାଗିଣୀ ତୋଳିଥିଲା।

ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗୀତା କରିଥିଲେ କୁମାର ଚନ୍ଦ୍ର ମହାନ୍ତି,ଡ଼ଃ ଜବାହର ମିଶ୍ର,ବିଶ୍ୱରଂଜନ ନନ୍ଦ,ସ୍ଵପ୍ନେଶ୍ଵର ଚକ୍ରବର୍ତ୍ତୀ,ଆଶିଷ ରଞ୍ଜନ ମହାପାତ୍ର, ବିଭୂପ୍ରସାଦ ତ୍ରିପାଠୀ ଏବଂ ପ୍ରେମ ଶଙ୍କର ଦାଶ lକାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଦ୍ୟସ୍ମିତା ବେହେରା, ଉପସ୍ଥାପନାରେ ଥିଲେ ଡ. ମୃତ୍ୟୁଞ୍ଜୟ ରଥ ଏବଂ ସିନ୍ଧୁ ବ୍ରାଉନ୍। ଆକାଶବାଣୀ କାର୍ଯ୍ୟକ୍ରମ ବିଭାଗରୁ ପ୍ରସାରଣ ନିଷ୍ପାଦକ ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞା ପାରମିତା ସାହୁ, ରାଜୀବ କୁମାର ମାହୁନ୍ତ ଏବଂ ଦିଲ୍ଲୀପ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ସେହିପରି ଇଞ୍ଜିନିୟରିଂ ବିଭାଗରୁ ସଞ୍ଜୁଲତା ନାୟକ, ସମ୍ବିତ ପଶାୟତ, ସୁବାଶିଷ ରାଜଗୁରୁ ମହାପାତ୍ର ଏବଂ ଅନ୍ୟ ସହଯୋଗୀ ଯନ୍ତ୍ରୀମାନେ ବୈଷୟିକ ସହାୟତା ପ୍ରଦାନ କରିଥିଲେ l ଏଥିରେ ବହୁ କଳାପ୍ରେମୀ, ସଂସ୍କୃତିପ୍ରେମୀ, ବୁଦ୍ଧିଜୀବୀ ଯୋଗ ଦେଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।