ଭୁବନେଶ୍ୱର : ନବେ ଦଶକରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଇନ୍ଦ୍ରଧନୁ ମାର୍କେଟ ଆଖପାଖରେ ଥିବା ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବଜାରେ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ଜମିକୁ ଉଦ୍ଧାର କରିବା ତ ଦୂରରକଥା ବେଆଇନ୍ ନିର୍ମାଣକାରୀଙ୍କୁ ରୋକିବାକୁ ବି ସାହସ କୁଳାଇ ପାରୁନାହିଁ ।
ଇନ୍ଦ୍ରଧନୁମାର୍କେଟ ନିର୍ମାଣ ସମୟରେ ଏଠାରେ ସ୍ଥାୟୀ ଦୋକାନ ପାଇଁ କୋଠା ନିର୍ମାଣ ସହିତ ପନି ପରିବା ବ୍ୟବସାୟ ପାଇଁ ପିଣ୍ଡି ନିର୍ମାଣ ହୋଇଥିଲା । ଏଥି ସହିତ କିଛି ଆବାସିକ ଗୃହ ମଧ୍ୟ ତିଆରି ହୋଇଥିଲା । ନିର୍ମାଣ ପରେ ଏହାକୁ ଲାଗି ଅନେକ ମୂଲ୍ୟବାନ୍ ଜମି ଥିଲା ।
ପିଣ୍ଡିଗୁଡିକ ଏବେ ସ୍ଥାୟୀ ଦୋକାନଘର ପାଲଟିଥିବାବେଳେ ପିଣ୍ଡିରେ ବସି ବ୍ୟବସାୟ କରିବାକୁ ଥିବା ବେପାରୀମାନେ ତଳେ ବସୁଛନ୍ତି । ଏମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପିଣ୍ଡିର କାୟା ବି ବଦଳିଯାଇଛି । ତେବେ ହାଟ ନିକଟରେ ଥିବା ମୂଲ୍ୟବାନ୍ ଜମିକୁ କିଛି ବ୍ୟବସାୟୀ ଓ ଜବରଦଖଲକାରୀ କବ୍ଜାକରି ନେଇଛନ୍ତି ।
ଏହି ମୂଲ୍ୟବାନ୍ ଜମିରେ ପ୍ରଥମେ ବାଉଁଶ ପୋତି ଅସ୍ଥାୟୀ ଦୋକାନ କରି ବସିଲେ । ଏହାପରେ ବାଉଁଶ ଓ ଜରିପାଲ ତଳେ ସିମେଣ୍ଟ ପିଣ୍ଡି ତିଆରି କଲେ । ସେତେବେଳେ ଏମାନଙ୍କୁ କୌଣସି ପ୍ରକାର ବିରୋଧ ନହେବାରୁ ଧିରେ ଧିରେ ସେହିସବୁ ସ୍ଥାନରେ ସ୍ଥାୟୀ ଦୋକାନଘର ତିଆରି କରି ତାହାକୁ ଭଡାରେ ଲଗାଇ ଦେଇଛନ୍ତି । ବିଡିଏ ପକ୍ଷରୁ ଏହି ଜମିକୁ ଜବରଦଖଲମୁକ୍ତ କରାଯିବା ବଦଳରେ ସେଠାରେ ଟାଇଲ୍ ବିଛାଇ ଏକ ପ୍ରକାର ନିୟମିତ କରିଦିଆଯାଇଛି ।
ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ କର୍ତ୍ତୃପକ୍ଷ ହାଟରୁ ନିୟମିତ ଟିକସ ଆଦାୟ କରୁଥିବାବେଳେ ଜବରଦଖଲ ହୋଇଯାଉଥିବା ଏହି ଜମିକୁ କିଭଳି ଦେଖିପାରୁ ନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ପଟେ ସରକାରୀ ଜମି ଜବଦରଖଲ ହୋଇ ଦୋକାନ ତିଆରି ହୋଇଥିବାବେଳେ ଏହା ନିକଟରେ ବି ସ୍ଥାୟୀ ବସ୍ତିଗଢି ଉଠିଛି ।
ଇନ୍ଦ୍ରଧନୁ ମାର୍କେଟ ଚାରିପଟେ ଏଭଳି ବେଆଇନ୍ ଦୋକାନଘର ର୍ନିମାଣ ସହିତ ଦୋକାନଗୁଡିକ ଖୋଲୁଥିବାରୁ ଯେଉଁମାନେ ଲକ୍ଷାଧିକ ଟଙ୍କା ବ୍ୟୟରେ ସରକାରଙ୍କ ଠାରୁ ଦୋକାନଘର କିଣିଥିଲେ ସେମାନଙ୍କ ବ୍ୟବସାୟ ମାନ୍ଦା ହେବାରେ ଲାଗିଛି । ଏହି ମାର୍କେଟକୁ ଆସୁଥିବା ଲୋକେ ଭିତରକୁ ଆସିବା ବଦଳରେ ବାହାରକୁ ସାମଗ୍ରୀ ଧରି ପଳାଉଥିବା କିଛି ବ୍ୟବସାୟୀମାନେ ମତ ଦେଉଛନ୍ତି ।
ସେହିଭଳି ହାଟ ଚାରିପଟେ ଥିବା ଜମି ଜବରଦଖଲ ହେବାରୁ ଉଠା ଦୋକାନୀମାନେ ସ୍ଥାନ ଟିକେ ପାଇବାପାଇଁ ଧିରେ ଧିରେ ମାର୍କେଟ ଭିତରେ ଭିଡ ଜମାଇବାରେ ଲାଗିଛି । ଏଥିପାଇଁ ସଂଧ୍ୟା ହେଲେ ମାର୍କେଟକୁ ଯାଉଥିବା ଲୋକେ ନିଜ ନିଜ ଯାନବାହାନ ରଖିବାକୁ ସ୍ଥାନ ଟିକେ ପାଉନାହାନ୍ତି । କାରଣ ଯେଉଁସବୁ ସ୍ଥାନରେ ଯାନବାହାନ ପାଇଁ ପାର୍କିଂ ହୋଇପାରିଥାନ୍ତା ସେଠାରେ ବେଆଇନ୍ ଦୋକାନଗୁଡିକ ଗଢି ଉଠିଛି ।
ରାଜଧାନୀର କେବଳ ଏହି ଗୋଟିଏ ମାର୍କେଟ ନୁହେଁ ଅଧିକାଂଶ ମାର୍କେଟ ଆଖପାଖରେ ଥିବା ମୂଲ୍ୟବାନ ଜମି ଜବରଦଖଲ ହେବା ସହିତ ସେଠାରେ ଦୋକାନ ବଜାର ଗଢି ଉଠୁଛି । ଏଥିଯୋଗୁଁ କେବଳ ମାର୍କେଟରେ ଥିବା ବ୍ୟବସାୟୀମାନେ କ୍ଷତି ସହୁ ନାହାନ୍ତି ମାର୍କେଟକୁ ଆସୁଥିବା ଲୋକେ ବି ଗାଡିମୋଟର ଟିକେ ରଖିବାକୁ ସ୍ଥାନ ନପାଇ ହୀନସ୍ତା ହେବାରେ ଲାଗିଛନ୍ତି । (ତଥ୍ୟ)

