Home News in Odia ବଜେଟ୍‍ ଖର୍ଚ୍ଚ ୩୩%ରୁ କମ୍‍

ବଜେଟ୍‍ ଖର୍ଚ୍ଚ ୩୩%ରୁ କମ୍‍

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ବଜେଟ୍‍ ଅର୍ଥର ୩୮ ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଏହା ୩୩ ପ୍ରତିଶତ ହୋଇପାରି ନାହିଁ । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥରୁ ୨୭ ପ୍ରତିଶତରୁ କମ୍‍ ଖର୍ଚ୍ଚ ହୋଇଥିବାବେଳେ ରାଜ୍ୟ ଅର୍ଥ କମିଶନ ଯୋଗାଇ ଦେଇଥିବା ଅର୍ଥରୁ ସର୍ବାଧିକ ୪୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ।

ବିଭାଗ ପକ୍ଷରୁ ବଜେଟ୍‍ ବ୍ୟୟ ନେଇ ହୋଇଥିବା ସଦ୍ୟତମ ସମୀକ୍ଷାରୁ ଜଣାପଡିଛି ଯେ ବିଭାଗ ପାଇଁବଜେଟ୍‍ରେ ୯୯୭୩ କୋଟି ଟଙ୍କା ବରାଦ ହୋଇଥିବାବେଳେ ଏଥିରୁ ପାଖାପାଖି ୩୨୮୪ କୋଟି ଟଙ୍କା ବ୍ୟୟ ହୋଇ ପାରିଛି । ଅର୍ଥାତ୍‍ ବିଭାଗ ପ୍ରାୟ ୩୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାରେ ସଫଳ ହୋଇଛି । ଅର୍ଥ କମିଶନ ଦ୍ୱାରା ମିଳିଥିବା ଅର୍ଥ ଏବଂ ବଜେଟ୍‍ରେ ପ୍ରଶାସନିକ ଖର୍ଚ୍ଚ ପାଇଁ ବରାଦ ଅର୍ଥ ସବୁଠାରୁ ଅଧିକ ଖର୍ଚ୍ଚ ହୋଇପାରିଛି ।

ସହରାଞ୍ଚଳରେ ଡ୍ରୋନେଜ ଓ ସ୍ୱରେଜ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏ କ୍ଷେତ୍ରରେ କିନ୍ତୁ ଅର୍ଥ ଖର୍ଚ୍ଚ ୩୦ ପ୍ରତିଶତ ରହିଛି । ଏଭଳି ବ୍ୟୟଭାର କର୍ତ୍ତୃପକ୍ଷଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ କ’ଣ ପାଇଁ ଏ କ୍ଷେତ୍ରରେ ବିଭାଗର କାର୍ଯ୍ୟ ମନ୍ଥର ରହିଛି ତାହାର ସମୀକ୍ଷା ସହିତ ତୁରନ୍ତ ପଦକ୍ଷେପ ନେବାପାଇଁ ଅଧିକାରୀମାନଙ୍କୁ କୁହାଯାଇଛି । ତେବେ ସହରାଞ୍ଚଳର ପ୍ରଶାସନ ପାଇଁ ଯେଉଁ ଅର୍ଥ ବରାଦ ହୋଇଥିଲା ସେଥିରୁ ପାଖାପାଖି ୩୬ ପ୍ରତିଶତ ଖର୍ଚ୍ଚ ହୋଇପାରିଛି ।

ସ୍ୱଚ୍ଛ ଭାରତ ମିଶନରେ ଅର୍ଥ ବ୍ୟୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏଥିପାଇଁ ୨୦୨୫-୨୬ ବଜେଟ୍‍ରେ ୬୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଖର୍ଚ୍ଚ ହୋଇଛି ୨୫ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଅର୍ଥ । ଅର୍ଥାତ୍‍ ଏଥିରେ ମାତ୍ର ୪.୨୦ ଅର୍ଥ ବ୍ୟୟ ହୋଇପାରିବ । କିନ୍ତୁ ଅମୃତ-୨.୦ ଯୋଜନାରେ ୬୨ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି । ପ୍ରଧାନମନ୍ତ୍ରୀ ଇ-ବସ୍‍ ସେବାରେ ବରାଦ ହୋଇଥିବା ଅର୍ଥ ମଧ୍ୟରୁ ମାତ୍ର ୨୬ ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ବରାଦ ଅର୍ଥର ୮୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଛି ।

ତେବେ ବାରମ୍ବାର ସମୀକ୍ଷା ସତ୍ୱେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏଭଳି ନୈରାଶ୍ୟଜନକ ବ୍ୟୟ ପାଇଁ ବିଭାଗରେ କର୍ମଚାରୀ ସଙ୍କଟକୁ ଅନେକ ଦାୟୀ କରୁଛନ୍ତି । ସ୍ଥାୟୀ ପଦବୀ ପୂରଣ ସହିତ ଆଉଟସୋର୍ସିଂ ଜରିଆରେ କର୍ମଚାରୀ ଆଣି କାମ ଚଳାଇବାକୁ ହେଉଥିବା ଉଦ୍ୟମ ବିଳମ୍ବ ହେଉଥିବାରୁ କ୍ଷେତ୍ର ସ୍ତରର ଅନେକ ଯୋଜନା ଧିମା ହେବାରେ ଲାଗିଛି ।

ଏହି ସମୀକ୍ଷାରୁ ଜଣାଯାଇଛି ଯେ ବିଭାଗ ପାଇଁ ମଞ୍ଜୁର ହୋଇଥିବା ୩୫୪୪ ପଦବୀ ମଧ୍ୟରୁ ୨୦୯୬ ପଦବୀ ଖାଲି ରହିଛି । ୧୦୪୬ ପଦବୀ ପୂରଣ ପାଇଁ ବିଭିନ୍ନ ସଂସ୍ଥାଙ୍କୁ ଲେଖାଯାଇଥିଲେ ମଧ୍ୟରେ ସେଥିରେ ବିଳମ୍ବ ପରିଲକ୍ଷିତ ହେଉଛି । ଅବସ୍ଥା ଏଭଳି ହୋଇଛି ଯେ ସମଗ୍ର ରାଜ୍ୟରେ ମାତ୍ର ୧୯ଜଣ ଟାଉନପ୍ଲାନର ଥିବାବେଳେ ୭ଜଣ ମୂଲ୍ୟାୟନ ଅଧିକାରୀ ଅଛନ୍ତି । ଖାଲି ପଡିଥିବା ପଦବୀଗୁଡିକ ଶୀଘ୍ର ପୂରଣ ନହେଲେ ବିଭାଗର ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ବ୍ୟୟ କରିବା ସମ୍ଭବପର ନୁହେଁ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । (ତଥ୍ୟ)