Home Infrastructure ଓଡିଶାରେ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ

ଓଡିଶାରେ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆର୍‌ସି) ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍‌ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍‌ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି ଏବଂ ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା ।

ଏହି ମହାକୁମ୍ଭକୁ ଉଦ୍‌ଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଆଇଆର୍‌ସି ଆୟୋଜନ କରିବାକୁ ଯାଉଛି । ସଡ଼କ ଭିତ୍ତିଭୂମିକୁ ନେଇ ବିଶେଷଜ୍ଞ ଓ ଯନ୍ତ୍ରୀଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନର ସେତୁ ପାଲଟିବ ଏହି ବୃହତ୍ତ ସମ୍ମିଳନୀ । ଆଜି ଜନତା ମଇଦାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ, ପୂର୍ତ୍ତ, ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।  ସମଗ୍ର ଭାରତରେ ସଡ଼କ ଭିତ୍ତିଭୂମିର ବିକାଶ ତଥା ଏ ନେଇ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ଆଇଆର୍‌ସି ଭଳି ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀ ଇଞ୍ଜିନିୟର, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ବୃତ୍ତିଗତ ଏବଂ ଶିକ୍ଷାବିତ୍‌ଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ । ସମ୍ମିଳନୀରେ ହେବାକୁ ଥିବା ଅଧିବେଶନଗୁଡ଼ିକର ବିଷୟବସ୍ତୁ ରହିଛି ‘ରାଜରାସ୍ତା ପ୍ରଯୁକ୍ତି ବିଦ୍ୟା ଏବଂ ନୀତିରେ ପ୍ରମୁଖ ଉନ୍ନତି’ ।

ଆଇଆର୍‌ସି ଦେଶର ସଡକ ଇଞ୍ଜିନିୟର ଏବଂ ଯୋଜନାକାରୀଙ୍କ ପାଇଁ ଏକ ବୃତ୍ତିଗତ ସଂଗଠନ ଭାବେ କାର୍ଯ୍ୟ କରୁଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ଏଥିରେ ସଶ୍ଳିଷ୍ଟ ।  ଏନ୍‌ଏଚ୍‌ଏଆଇ, ଏମ୍‌ୟୁଡି, ବ୍ରୋ, ଏମ୍‌ଇଏସ୍‌,ଏନ୍‌ଆର୍‌ଆଇଡିଏ, ଏନ୍‌ଏଚ୍‌ଆଇଡିଏସ୍‌ଏଲ୍‌, ଏମ୍ ଓ ଆର୍‌ଡି ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପବ୍ଲିକ ୱାର୍କସ ବିଭାଗ, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଆଇଆଇଟି, ଇଞ୍ଜିନିୟରିଂ କଲେଜ, ଗବେଷଣା ସଂଗଠନ, ଠିକାଦାର ସଂସ୍ଥା, ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମଗ୍ର ଦେଶରେ ସଡ଼କ, ସେତୁ ଏବଂ ସୁଡଙ୍ଗ ନିର୍ମାଣର ଯୋଜନା, ଡିଜାଇନ୍‌, ପରିଚାଳନା ଓ ରକ୍ଷଣାବେକ୍ଷଣରେ ନୂତନ କୌଶଳକୁ ପ୍ରେତ୍ସାହିତ କରିବା ଏହି ସଂଗଠନର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଥିଲେ ।  

ଅନ୍ୟମାନଙ୍କ ମଧ୍ୟରେ ଆଇଆର୍‌ସିର ସଭାପତି ଶ୍ରୀ ମନୋରଞ୍ଜନ ପରିଡ଼ା, ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ (ଆଇଏଏସ୍‌), ସ୍ଥାନୀୟ ସଂଚାଳକ ଇଂ ମାନସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଇଆର୍‌ସିର ଏହି ବାର୍ଷିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ  ଶ୍ରୀ ଅଜୟ ତମ୍‌ତା, ଶ୍ରୀ ହର୍ଷ ମଲହୋତ୍ରା, ଓଡ଼ିଶାର ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମଧ୍ୟପ୍ରଦେଶର ପୂର୍ତ୍ତ ମନ୍ତ୍ରୀ ରାକେଶ ସିଂହ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିବେ ।

ଭାରତର ସଡ଼କ ଭିତ୍ତିଭୂମିକୁ ମଜଭୁତ ଓ ଉନ୍ନତ କରିବାକୁ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ମାନସମନ୍ଥନ ହେବ । ୩ ଦିନରେ ମୋଟ ୧୯ଟି ଅଧିବେଶନ ଅନୁଷ୍ଠିତ ହେବ । ୩୫୦୦ରୁ ଊର୍ଦ୍ଧ୍ୱ ପ୍ରତିଭାଗୀ ଅଂଶଗ୍ରହଣ କରିବେ । ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ସଡ଼କ ଭିତ୍ତିଭୂମି, ଉନ୍ନତୀକରଣ ଓ ନୂଆ ଜ୍ଞାନକୌଶଳ ସଂପର୍କରେ ଜ୍ଞାନର ଆଦାନପ୍ରଦାନ ହେବ । ସମଗ୍ର ଭାରତ ବର୍ଷରୁ ଆସିବେ ବିଶେଷଜ୍ଞ, ବୈଜ୍ଞାନିକ, ସଡ଼କ ଯନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ସେମାନଙ୍କ ଜ୍ଞାନ ଓ ନୂତନ କୌଶଳ ଆଲୋଚନାକୁ ସମୃଦ୍ଧ କରିବ । ଏହି ଅବସରରେ ବୈଷୟିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ । ସଡ଼କ ନିର୍ମାଣ ସମ୍ବନ୍ଧରେ ପ୍ରୟୋଗ ହେଉଥିବା ଏବଂ ହୋଇଥିବା ବିଭିନ୍ନ ଜ୍ଞାନ କୌଶଳକୁ ଅବଲୋକନ କରିବେ ପ୍ରତିଭାଗୀବୃନ୍ଦ ।

ଉଦଘାଟନୀ ସମାରୋହ ପରେ ଆଇଆର୍‌ସିର ୨୩୫ତମ କାଉନସିଲ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆଇଆଇଟି, ଏନଆଇଟି, ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ବୈଜ୍ଞାନିକ ଏବଂ ରିସର୍ଚ୍ଚ ଓ ଡେଭଲପମେଣ୍ଟ ସଂଗଠନର ଅଧିକାରୀଙ୍କୁ ନେଇ ଏକ ଅଧିବେଶନ ଅନୁଷ୍ଠିତ ହେବ । ଠିକାଦାର, ପରାମର୍ଶଦାତା ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଅନ୍ୟ ଗୋଟିଏ ବୈଷୟିକ ଅଧିବେଶନ ଆୟୋଜିତ ହେବ ।

୮ତାରିଖରେ ରାଜପଥ ଗବେଷଣା ପରିଷଦର ୮୫ତମ ବୈଠକ ଅନୁଷ୍ଠିତ ହେବ । ଅନ୍ତର୍ଜାତୀୟ ସଂଗଠନ ଏବଂ ବହୁପାକ୍ଷିକ ଏଜେନ୍ସିକୁ ନେଇ ଅଧିବେଶନ କରାଯିବ । ଆଉ ଏକ ଅଧିବେଶନରେ ସଡ଼କ ନିର୍ମାଣରେ ବ୍ୟବହୃତ ସୃଜନ ଜ୍ଞାନ, ସ୍ଥାୟୀ ଏବଂ ସୁହାଇବା ଭଳି ମୂଲ୍ୟରେ ସଡ଼କ ନିର୍ମାଣ ଏବଂ ଏ ସମ୍ବନ୍ଧୀୟ ସଫଳ କାହାଣୀମାନ ଉପସ୍ଥାପିତ ହେବ । ରୋଡ୍ ଟନେଲ ପ୍ରସ୍ତୁତି ଏବଂ ରାଜଥରେ ଅଣ୍ଡରଗ୍ରାଉଣ୍ଡ ନିର୍ମାଣ କୌଶଳ ସଂପର୍କରେ ଏକ ଅଧିବେଶନ ଅନୁଷ୍ଠିତ ହେବ । ୯ ତାରିଖରେ ପୂର୍ତ୍ତ ବିଭାଗର ସଚିବ ଓ ପ୍ରମୁଖ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ବୈଷୟିକ ଅଧିବେଶନରେ ଭାରତରେ ସଡ଼କ ନିର୍ମାଣରେ ହୋଇଥିବା ଗବେଷଣା କାର୍ଯ୍ୟର ଉପସ୍ଥାପନା କରାଯିବ । ଗ୍ରାମୀଣ ସଡ଼କ ନିର୍ମାଣ ବେଳେ ସୃଷ୍ଟି ହୋଇଥିବା ଆହ୍ୱାନ ଓ ସଫଳ କାହାଣୀକୁ ନେଇ ଏକ ଅଧିବେଶନ କରାଯିବ । ଭୂମି ଅଧିଗ୍ରହଣ ସଂକ୍ରାନ୍ତରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଆଲୋଚନା କରିବେ ।

ରାଜ୍ୟ ସରକାରଙ୍କ ପୂର୍ତ୍ତ ଓ ସ୍ଥାନୀୟ ପ୍ରତିନିଧିଙ୍କୁ ନେଇ ଏକ ଅଧିବେଶନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା ହେବ । ଆଇଆରସି ସଦସ୍ୟଙ୍କ ମଧ୍ୟରେ କାଉନସିଲ ସଭ୍ୟ ପାଇଁ ନିର୍ବାଚନ କରାଯିବ । ଶେଷରେ ୮୪ତମ ବ୍ୟବସାୟିକ ବୈଠକରେ ଅନ୍ୟତମ ଆକର୍ଷଣ ସାଜିବ ‘ଓପନ ଟୁ ସ୍କାଏ ଷ୍ଟଲ’ । ଏହା ମଧ୍ୟରେ ୨୦ଟି ଷ୍ଟଲରେ ସଡ଼କ ଭିତ୍ତିଭୂମି ମଡେଲ ସହ ବିଭିନ୍ନ ଜ୍ଞାନକୌଶଳର ପ୍ରୟୋଗ ପ୍ରଦର୍ଶିତ ହେବ । ଏତଦ୍‌ବ୍ୟତୀତ ୩୫୦ ଟି ବୈଷୟିକ ପ୍ରଦର୍ଶନୀ ଷ୍ଟଲ ନର୍ମିାଣ କରାଯାଇଛି । ଏଥିରେ ମେକାନାଇଜ୍ଡ ମାଷ୍ଟିକର ଡେମୋ ପ୍ରଦର୍ଶିତ ହେବ । ସଂପ୍ରତି ଅଧିକାଂଶ ସଡ଼କ ନିର୍ମାଣରେ ମାଷ୍ଟିକ ଆସ୍ଫାଲଟ ସମୟ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏହାର ପ୍ରଦର୍ଶନ ସହ ଏଥିରେ ବ୍ୟବହାର ହେଉଥିବା ମେସିନର ଷ୍ଟଲରେ ପ୍ରଦର୍ଶିତ ହେବ । ଏହାବ୍ୟତୀତ ଫ୍ଲାଏ ଆସ୍‌, ବାଲି ପ୍ରସ୍ତୁତି, ପୋରସ କଂକ୍ରିଟ, ଏନଏସବି ଏବଂ ରାସ୍ତା ନିର୍ମାଣରେ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗକୁ ପ୍ରତ୍ୟକ୍ଷ କରିବାର ସୁଯୋଗ ମିଳିବ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରତିଭାଗୀମାନଙ୍କ ରହଣି ପାଇଁ ଭୁବନେଶ୍ୱରରେ ୩୦ଟି ହୋଟେଲରେ ୮୦୦ ରୁମ୍ ବୁକିଂ କରାଯାଇଛି । ୧୦ ତାରିଖରେ ପ୍ରତିଭାଗୀମାନଙ୍କର ପୁରୀ, କୋଣାର୍କ ଆଦି ସ୍ଥାନକୁ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି । ଆମନ୍ତ୍ରିତ ଅତିଥିମାନଙ୍କ ଯାତାୟତ ପାଇଁ ୯୦୦ ଗାଡ଼ି ନିୟୋଜିତ କରାଯାଇ ଥିବା ବେଳେ ସେମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଏହାସହିତ ମନୋରଂଜନ ପାଇଁ ଓଡ଼ିଆ ଖାଦ୍ୟପେୟଠୁ ନେଇ ଓଡ଼ିଶାର ପାରମ୍ପରିକ ନୃତ୍ୟ ସଂଗୀତରେ ବ୍ୟବସ୍ଥା କରାଯାଇଛି ।