ଭୁବନେଶ୍ୱର : ବେଆଇନ୍ ଭାବେ ରାସ୍ତାକଡରେ ପାର୍କିଂ ହୋଇଥିବା ଯାନକୁ ଟ୍ରାଫିକ ପୁଲିସ୍ ଉଠାଇ ନେଉଥିବାବେଳେ ଏଥିରେ କିନ୍ତୁ ଘରୋଇ ସଂସ୍ଥା ମାଲେମାଲ ହେଉଛନ୍ତି । ଏଥିରୁ ରାଜକୋଷକୁ ଯେତିକି ପାଉଣା ଆସୁଛି ତାହାଠାରୁ ଅଧିକ ଘରୋଇ ସଂସ୍ଥା ନେଇଯାଉଛନ୍ତି ।
କମିଶନରେଟ ପୁଲିସ୍ ଅଞ୍ଚଳରେ ଯଦି କୌଣସି ଠାରେ ବେଆଇନ୍ ପାର୍କିଂ ହେଉଛି ତେବେ ଟ୍ରାଫିକ ପୁଲିସ୍ ତାହାକୁ ଉଠାଇ ନେଉଛି । ଏହିସବୁ ଗାଡି ଉଠାଇବାପାଇଁ କେତେକ ଘରୋଇ ସଂସ୍ଥା ନିଜ ନିଜର ଗାଡିଉଠା ଯନ୍ତ୍ର ମୁତୟନ କରିଛନ୍ତି । ଟ୍ରାଫିକ ପୁଲିସ୍ ଠାରୁ ଖବର ପାଇଲାମାତ୍ରେ ଗାଡି ଉଠାଇବାପାଇଁ ସେଠାକୁ ଝପଟି ଯାଉଛନ୍ତି ।
ଗୋଟିଏ ଚାରି ଚକିଆ ଯାନ ବେଆଇନ୍ ପାର୍କିଂରୁ ଉଠାହୋଇ ଆସିଲେ ଗାଡି ମାଲିକଙ୍କୁ ୧୨୦୦ ଟଙ୍କାର ଫାଇନ୍ ଗଣିବାକୁ ପଡୁଛି । ହେଲେ ଏଥିରୁ ରାଜକୋଷକୁ ଆସୁଛି ମାତ୍ର ୫୦୦ ଟଙ୍କା । ୭୦୦ ଟଙ୍କା ନେଉଛନ୍ତି ଘରୋଇ କମ୍ପାନୀ । ଏହି ବେପାର ବେଶ୍ ଭଲ ହେଉଥିବାରୁ ଓ ପୁଲିସ୍ ସହାୟତାରେ ହେଉଥିବାରୁ ଘରୋଇ ସଂସ୍ଥାମାନେ ଏଥିପ୍ରତି ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ।
ତେବେ ସବୁଠାରୁ ବଡକଥା ହେଲା ଯଦି କୌଣସି ଗାଡି ମାଲିକ ନିଜର ଗାଡି ଉଠାଣ ସଂକ୍ରାନ୍ତରେ ପୁଲିସ୍ ଉପରେ ଚାପ ପକାଉଛନ୍ତି ତେବେ ପୁଲିସ୍ ପରିସ୍ଥିତିକୁ ଦେଖି ତୁରନ୍ତ ସେମାନଙ୍କ ଠାରୁ ଘରୋଇ ଗାଡି ବାବଦୀୟ ଅର୍ଥ ନେଇ ଛାଡି ଦେଉଛନ୍ତି । ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କ ମୋବାଇଲ୍କୁ ଆଉ ୫୦୦ ଟଙ୍କା ପ୍ରଦାନ ପାଇଁ ନୋଟିସ୍ ଆସୁଛି । ଗାଡି ଟଣା ସମୟରେ କମ୍ ପରିମାଣର ଫାଇନ୍ ଦେଇ ଖୁସି ହେଉଥିବା ଲୋକ କିଛିଦିନ ପରେ ଅବଶିଷ୍ଟ ଟଙ୍କା ଦାଖଲ ପାଇଁ ନୋଟିସ୍ ପାଇ ପୁଣି ଅର୍ଥ ପଇଠ କରୁଛନ୍ତି ।
ବର୍ତ୍ତମାନ ପୁରୁଣା ଚାଲାଣ ପଇଠ ନେଇ ପରିବହନ ବିଭାଗ ତାଗିଦା ଆରମ୍ଭ କରିବା ଓ ସହିତ ନିୟମ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ରକୁ ଏଥିରେ ଯୋଡୁଥିବାରୁ ଲୋକେ ନିଜ ନିଜର ପୁରୁଣା ଚାଲାଣ ସଂକ୍ରାନ୍ତରେ ଖୋଳତାଡ କରୁଛନ୍ତି । ଯେଉଁମାନେ ନିଜ ନିଜ ଗାଡିର ଚାଲାଣ ଦାଖଲ କରିନଥିବେ ସେମାନଙ୍କ ଗାଡିର ଆଉ ପ୍ରଦୂଷଣ ସାର୍ଟିଫିକେଟ ହୋଇପାରିବ ନାହିଁ । ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିବ । ସେଥିପାଇଁ ଅନେକ ଗାଡିମାଲିକ ଏବେ ନିଜ ନିଜର ଚାଲାଣ ସଂକ୍ରାନ୍ତରେ ଖୋଳତାଡ ଆରମ୍ଭ କରିଦେଇଛନ୍ତି ।
ରାଜଧାନୀରେ ଏବେ ପୁଣିଥରେ ପୁଲିସ୍ ପକ୍ଷରୁ ଗାଡିମୋଟର ଯାଞ୍ଚ ସହିତ ରାସ୍ତାକଡରୁ ଗାଡି ଉଠାଇବା ଆରମ୍ଭ ହୋଇଛି । ଏହାକୁ ନେଇ ଗାଡି ମାଲିକ ଓ ଟ୍ରାଫିକ ପୁଲିସ୍ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଚାଲିଥିବାବେଳେ କାହାର କେତେବେଳେ ଚାଲାଣ କଟିବ କେହି ଜାଣିପାରୁ ନାହାନ୍ତି । ସେହିଭଳି ଯେଉଁମାନଙ୍କର ସିଟବେଲ୍ଟ ବାନ୍ଧି ନଥିବା ନେଇ ଚାଲାଣ ଆସୁଛି ସେଥିରେ ଥିବା ଫଟୋ ସ୍ପଷ୍ଟ ହେଉନଥିବା ଓ ଚାଲାଣ ଦୀର୍ଘଦିନର ହୋଇଥିବାରୁ ଗାଡି ମାଲିକ କାନମୁଣ୍ଡା ଆଉଁଷି ଅର୍ଥ ଦାଖଲ କରିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)

