ଭୁବନେଶ୍ୱର : କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦୁ୍ୟତ ସଂଚାରଣ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦାବି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍ର ବିଦ୍ୟୁତ୍ ସଂଚାରଣ (CTU)ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ୍ ସଂଚାରିତ ହୋଇଥାଏ ।
ଗତ ଏକ ଦଶନ୍ଧି ମଧ୍ୟରେ ଆକଳନ କରାଯାଇଛି ଯେ ୨୦୧୧-୧୨ ଆର୍ଥିକ ବର୍ଷରେ ISTS ଶୁଳ୍କ ୟୁନିଟ୍ ପିଛା ୨୪ ପଇସା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି ।
ଏ ନେଇ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜକୁମାର ସିଂହଙ୍କୁ ପତ୍ର ଲେଖି ପିଜିସିଆଇଏଲ୍ର ଏହି ବିଦ୍ୟୁତ୍ ସଂଚାରଣ ଶୁଳ୍କର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ବିଦ୍ୟୁତ୍ର ସଂଚାରଣ ପରିମାଣ ଏବଂ ସଂଚାରଣ ବ୍ୟବସ୍ଥାର ପ୍ରକୃତ ବ୍ୟବହାର ଉପରେ ଶୁଳ୍କ ନିର୍ଦ୍ଧାରଣ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି ।
ପିଜିସିଆଇଏଲ୍ର ବାର୍ଷିକ ରାଜସ୍ୱ ଆବଶ୍ୟକତା ୨୦୧୯-୨୦ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୩୯୦୦୦ କୋଟି ଟଙ୍କାରେ ପହଞ୍ଚିଛି ଯାହା ୨୦୧୧-୧୨ ଆର୍ଥିକ ବର୍ଷରେ ୯୦୦୦ କୋଟି ରହିଥିଲା । ଯାହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨୧% ଅଟେ । ଆନ୍ତଃରାଜ୍ୟ ବିଦ୍ୟୁତ୍ ସଂଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଞ୍ଚିଛି ।
ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନଦେବାକୁ ଏବଂ ଏହାକୁ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି ।
ସେ ମଧ୍ୟ ବିଦ୍ୟୁତ୍ ଆକଫ-୨୦୦୩ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବିଦୁ୍ୟତ ପରିବହନ ଦେୟକୁ ଜାତୀୟ ବିଦ୍ୟୁତ୍ ନିୟମ ୨୦୦୩ ଓ Tariff Policy ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ଅନ୍ତଃରାଜ୍ୟ ସଂଚାରଣ ଶୁଳ୍କ କମ୍ କଲେ ବିଦ୍ୟୁତ୍ ଦର ମଧ୍ୟ କମା ଯାଇପାରିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜଣାଇଛନ୍ତି ।