ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାଲାଗି ଆଉଟସୋର୍ସିଂ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ସହିତ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବେସରକାରୀ ସଂସ୍ଥାମାନଙ୍କୁ ଦୂରେଇ ରଖିବାପାଇଁ ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି ।
ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ, ଥାନାରୁ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଦପ୍ତରଗୁଡିକରେ ଏକ ତୃତୀୟାଂଶରୁ ଅଧିକ ପଦ ପଦବୀ ବିଭିନ୍ନ ପାହ୍ୟାରେ ଖାଲ ପଡିଛି । ଗୋଟିଏ ପଟେ ବେକାରୀ ସମସ୍ୟା ଉତ୍କଟତର ହେଉଥିବାବେଳେ ଅନ୍ୟ ପଟରେ ଗତ ୨୫ବର୍ଷ ମଧ୍ୟରେ ପ୍ରାୟ ୧ଲକ୍ଷ ପଦ ପଦବୀ ଉଚ୍ଛେଦ ହୋଇଛି । ଏ ପରିପ୍ରେକ୍ଷୀରେ ବୟସ ଅତିକ୍ରାନ୍ତ କରିଯାଉଥିବାବେଳେ ଚାକିରି ଆଶାୟୀମାନେ କୂଳ କିନ୍ନାରା ପାଉନାହାନ୍ତି । ସେଥିରୁ ଫାଇଦା ଉଠାଇ ବିଭିନ୍ନ ବେସରକାରୀ ସଂସ୍ଥା ଉଭୟ ଚାକିରି ପ୍ରତ୍ୟାଶୀ ଓ ସରକାରୀକଳକୁ ଠକୁଛନ୍ତି ।
ଏବେ ପୁଲିସ୍ ସବଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବଡ ଘୋଟାଲାରେ ଶତାଧିକ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହି ଦୁର୍ନୀତି ହଜାରେ କୋଟି ଟଙ୍କାର ହେବ ବୋଲି ଗଣମାଧ୍ୟମରେ ପ୍ରଚାର ହେଉଛି । ପୁଲିସ୍ ସବଇନ୍ସପେକ୍ଟର ନିଯୁକ୍ତି ଲାଗି ସ୍ୱତନ୍ତ୍ର ଭାବେ ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଥିବାବେଳେ ପ୍ରାର୍ଥୀ ବାଛିବାପାଇଁ ପରୀକ୍ଷା ପରିଚାଳନା ଦାୟିତ୍ୱ ଠିକାରେ ରାଜ୍ୟ ବାହାରର ସଂସ୍ଥାଙ୍କୁ ଦିଆଯାଇଥିଲା । ଏହି ସଂସ୍ଥାଠାରୁ ରାଜ୍ୟ ଭିତରର କେତେକ ସଂସ୍ଥା କାମ ହାତେଇଥିଲେ । ବିଶେଷକରି ପ୍ରଶ୍ନପତ୍ର ପ୍ରଘଟ କରାଇ ଏମାନେ ଚାକିରି ପ୍ରତ୍ୟାଶୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ ।
ଅଳ୍ପଦିନ ତଳେ ଓଟିଇଟି ପରୀକ୍ଷାରେ ମଧ୍ୟ ଭୟଙ୍କର ବିଭ୍ରାଟ ଉପୁଜିଥିଲା । ଏଥିରେ ବି ବୋର୍ଡ କର୍ତ୍ତୃପକ୍ଷ ଘରୋଇ ସଂସ୍ଥାଙ୍କ ମାଧ୍ୟମରେ କାରବାର କରୁଥିଲେ । ଓଟିଇଟି ପ୍ରଶ୍ନପତ୍ର ବିକି ଦଲାଲମାନେ ପ୍ରଚୁର ମୁନାଫା ମଧ୍ୟ ଉଠାଇଥିଲେ । ଏହି ପ୍ରସଙ୍ଗରେ ମାଧ୍ୟମିକ ଶିକ୍ଷା ବୋର୍ଡର କେତେକ ଅଧିକାରୀଙ୍କ ସମେତ ଅନ୍ୟ କେତେଜଣଙ୍କୁ ଗିରଫ କରାଯାଇଛି ।
ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଅନେକ ଆଇନ୍ ରହିଛି । ଏହି ଆଧାରରେ ଓଡିଶା ପବ୍ଲିକ ସର୍ଭିସ କମିଶନ, ଷ୍ଟାଫ୍ ସିଲେକ୍ସନ କମିଶନ, ସବର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ, ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଆଦି ବିଭିନ୍ନ ସରକାରୀ ସଂସ୍ଥା ପ୍ରାର୍ଥୀ ଚୟନ ଦାୟିତ୍ୱ ନେଇଥାନ୍ତି । ଏହାଛଡା ଆଇନାନୁଯାୟୀ ଆଉ କେତେକ ପଦବୀରେ ନିଯୁକ୍ତି ଲାଗି ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟମାନଙ୍କୁ ମଧ୍ୟ କ୍ଷମତା ଦିଆଯାଇଛି । କିନ୍ତୁ କିଛିବର୍ଷ ଧରି ଅନେକ ନିଯୁକ୍ତି ଏମିତିକି ବୈଷୟିକ ଶିକ୍ଷାରେ ନାମାଙ୍କନ ଲାଗି ପ୍ରାର୍ଥୀ ଚୟନ ଦାୟିତ୍ୱ ଠିକାରେ ବେସରକାରୀ ସଂସ୍ଥାମାନଙ୍କୁ ଦିଆଯିବାର ଏକ ଖରାପ ପରମ୍ପରା ଚାଲିଆସୁଛି ।
ଅନ୍ୟ ପକ୍ଷରେ ଆଉଟସୋର୍ସିଂ ନାମରେ ବିଭିନ୍ନ ଦପ୍ତରରେ ମାନବ ସମ୍ବଳ ଯୋଗାଇବାପାଇଁ ବେସରକାରୀ ସଂସ୍ଥାଙ୍କୁ ଦାୟିତ୍ୱ ଦିଆଯାଉଛି । ଏମାନେ ନିଯୁକ୍ତି ପାଇଁ ବହୁ କ୍ଷେତ୍ରରେ ପ୍ରାର୍ଥୀଙ୍କ ଠାରୁ ଚାନ୍ଦା ଆଦାୟ କରିବା ସହିତ ସେମାନେ ଯାହା ମାସିକ ପାରିଶ୍ରମିକ ପାଉଛନ୍ତି ତାହାର ସିଂହଭାଗ ମଧ୍ୟ ନେଇଯାଉଛନ୍ତି । ଫଳରେ ସମାନ କାମକୁ ସମାନ ବେତନ ନୀତିର ଖୋଲା ଉଲ୍ଲଙ୍ଘନ କରାଯାଉଛି ।
ରାଜ୍ୟରେ ପ୍ରାୟ ୨ଲକ୍ଷ ସରକାରୀ ଚାକିରି ଖାଲି ପଡିଥିବା ଘେନି ସୂଚନା ଦିଆଯାଉଥିବାବେଳେ ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭକରି ଅନ୍ୟାନ୍ୟ ସରକାରୀ ସେବା କର୍ମଚାରୀ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡୁଛି । ତେଣୁ ତୁରନ୍ତ ସମସ୍ତ ଖାଲି ପଦବୀ ରାଜ୍ୟ ସରକାର ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ସରକାରୀ ଏଜେନ୍ସି ମାନଙ୍କ ମାଧ୍ୟମରେ ପୂରଣ କରିବାପାଇଁ ବିଭିନ୍ନ ବର୍ଗର ଚାକିରି ପ୍ରତ୍ୟାଶୀ ଓ ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । (ତଥ୍ୟ)

