ଭୁବନେଶ୍ୱର : ଚଳିତ ଅପ୍ରେଲ୍ ମାସରେ କୋଭିଡ୍ ଉଲଂଘନକାରୀଙ୍କ ବିରୁଦ୍ଧରେ ରାଜ୍ୟ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କରୁ ନ ଥିବା ବ୍ୟକ୍ତିଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି । ଏଯାବତ୍ ୧,୭୧,୫୬୮ ଜଣ ବ୍ୟକ୍ତିଙ୍କଠାରୁ ୫,୬୬,୬୫,୪୪୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ।
ସେହିପରି ନିୟମ ଉଲଂଘନ କରିଥିବା ଅଭିଯୋଗରେ ୭୨ଟି ମାମଲା ରୁଜୁ କରାଯାଇଥିବାବେଳେ ୪୧୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହାବାଦ୍ କୋଭିଡ୍ ଗାଇଡ୍ଲାଇନ୍ ଉଲଂଘନ କରିଥିବା ଅଭିଯୋଗରେ ୩୫୦ ଟି ଦୋକାନ/ଇନ୍ଷ୍ଟିଚ୍ୟୁସନ୍/ମାର୍କେଟ୍କୁ ବନ୍ଦ ଘୋଷଣା କରାଯାଇଛି । ଏହାଛଡ଼ା ଅନ୍ୟ ନିୟମ ଉଲଂଘନ କରିଥିବା ବ୍ୟକ୍ତିବିଶେଷଙ୍କଠାରୁ ସମୁଦାୟ ୭,୦୬,୭୮,୬୦୦ ଟଙ୍କା ଜୋରିମାନା ଆଦାୟ କରିଛି । ସାରା ରାଜ୍ୟରେ ୧୩୫୯ଟି ଅବକାରୀ ମାମଲା ରୁଜୁ କରାଯାଇଥିବାବେଳେ ୨୧୧୩୬ ଲିଟର ମଦ ଜବତ କରାଯାଇଛି ।
ଶ୍ରୀ ଅଭୟ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । କୋଭିଡ୍ କଟକଣାକୁ କଡ଼ାକଡ଼ି, ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ, ନାଇଟ୍ କର୍ଫ୍ୟୁ, ସପ୍ତାହନ୍ତ ସଟ୍ଡାଉନ୍ ଏବଂ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସୀମାନ୍ତରେ ରାଜ୍ୟ ପୋଲିସ୍ ତରଫରୁ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଉଛି ।
କୋଭିଡ୍ କଟକଣାକୁ ସଠିକ୍ ଭାବେ ପାଳନ କରାଯିବା ନିମନ୍ତେ ସାରା ରାଜ୍ୟରେ ୧୫୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ କଟକ-ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ଜିଲ୍ଲା ଏସ୍ପି, ଡିସିପି ଏବଂ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ ଏହି ଫୋର୍ସର ପରିଚାଳନା କରୁଛନ୍ତି ।
ଏହାସହ ଓଡ଼ିଶା ପୋଲିସ୍ ଆନ୍ତଃରାଜ୍ୟ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି । ବିଶେଷ କରି ପଶ୍ଚିମବଙ୍ଗ ଓ ଛତିଶଗଡ଼ ସୀମାନ୍ତକୁ କଡ଼ାକଡ଼ି ଭାବେ ଯାଂଚ କରାଯାଉଛି । ପଶ୍ଚିମବଙ୍ଗ ସୀମାକୁ ଲାଗି ରହିଥିବା ବାଲେଶ୍ୱର ଜିଲ୍ଲା ସୀମାନ୍ତରେ ଥିବା ଲକ୍ଷ୍ମଣନାଥ, ଉଦୟପୁର, ତଳସାରୀଠାରେ ସ୍ଥାୟୀ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଛି ।
ସେହିପରି ମୟୂରଭଂଜ ଜିଲ୍ଲାର ହାତୀବାରୀ ଏବଂ ଛକଶୁଳିଆପଦାଠାରେ ମଧ୍ୟ ସ୍ଥାୟୀ ଚେକ୍ ପୋଷ୍ଟର ସ୍ଥାପନ କରାଯାଇ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଯାଂଚ କରାଯାଉଛି । ବାଲେଶ୍ୱର ଜିଲ୍ଲାରେ ୨୨ଟି ଏବଂ ମୟୂରଭଂଜ ଜିଲ୍ଲାରେ ୩୨ଟି ଅସ୍ଥାୟୀ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଛି ।
ସେହିପରି ଓଡ଼ିଶା-ଛତିଶଗଡ଼ ସୀମାନ୍ତ କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ସିନ୍ଧି କଲିଆରୀ ଛକ ଏବଂ ନୂଆପଡ଼ା ଜିଲ୍ଲା ଅର୍ନ୍ତଗତ ଜଙ୍କ୍ ବ୍ରିଜ୍ ଓ କୁସୁମଜୋରିଠାରେ ଚେକ୍ ଗେଟ୍ ସ୍ଥାପନ କରାଯାଇ ଯାଂଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଏହାସହ ଛତିଶଗଡ଼ ସୀମାକୁ ଲାଗି ରହିଥିବା ବରଗଡ଼, ସୁନ୍ଦରଗଡ଼ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଯାଂଚ ବ୍ୟବସ୍ଥାକୁ ସଠିକ୍ ଭାବେ ପାଳନ କରାଯାଉଛି । ଆଗାମୀ ଦିନରେ କୋଭିଡ୍ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ । କୋଭିଡ୍ ନିୟମାବଳୀକୁ ରାଜ୍ୟବାସୀ ସଠିକ୍ ଭାବେ ପାଳନ କରିବାକୁ ଏବଂ ନିରାପଦରେ ରହିବାକୁ ଓଡ଼ିଶା ପୋଲିସ୍ ତରଫରୁ ସମସ୍ତଙ୍କୁ ନିବେଦନ କରାଯାଉଛି ।