ଭୁବନେଶ୍ୱର : କାର୍ତ୍ତିକ ପଞ୍ଚକର ଭିଡ଼ ହଟିବା ପରେ ଯେ କୌଣସି ସମୟରେ ହୋଇପାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପତ୍ତିର ଗଣତି ମଣତି । ତେବେ ଏହି କାମ କେତେଦିନ ଧରି ଚାଲିବ ତାହା ଏବେଠାରୁ ପୂର୍ବାନୁମାନ କରିବା ସମ୍ଭବପର ହେଉନଥିଲେ ମଧ୍ୟ ଖୁବଶୀଘ୍ର ରତ୍ନଭଣ୍ଡାର ଭିତରେ ହିଁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ଖୋଦ୍ ଆଇନ୍ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ରତ୍ନଭଣ୍ଡାର ପ୍ରସଂଗରେ ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଢ଼ାଯାଇଥିବା କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରି ଗଣତି ମଣତି ପାଇଁ ଦିନ ଧାର୍ଯ୍ୟ ହେବ ଏବଂ ଏହି କାମ କଡ଼ା ନିରାପତ୍ତା ବ୍ୟବସ୍ଥାରେ ମଧ୍ୟରେ ଭିତର ରତ୍ନଭଣ୍ଡାରରେ ହିଁ କରାଯିବ ବୋଲି ସୂଚନା ମିଳିଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୨୪ ନିର୍ବାଚନ ସମୟରେ ଓଡ଼ିଶା ବିଜେପି ପକ୍ଷରୁ ଯେଉଁ ସଂକଳ୍ପ ପତ୍ର ଜାରି କରାଯାଇଥିଲା ସେଥିରେ ଶ୍ରୀମନ୍ଦିରର ୪ଟିଯାକ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିବା ସହିତ ରତ୍ନଭଣ୍ଡାର ସଂପତ୍ତିର ଗଣତି କରି ଏହାକୁ ସାର୍ବଜନୀନ କରିବା ଏବଂ ରତ୍ନଭଣ୍ଡାରର ଚାବି କିଭଳି ହଜିଲା ଓ କିଏ ହଜାଇଥିଲେ ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ସଂଗ୍ରହ କରି ସର୍ବସାଧାରଣକୁ ଜଣାଇ ଦିଆଯିବ ବୋଲି କୁହାଯାଇଥିଲା । ଓଡ଼ିଶାରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ୪ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଥିବାବେଳେ ୧୫ମାସ ଭିତରେ କିନ୍ତୁ ରତ୍ନଭଣ୍ଡାର ସଂପତ୍ତିର ଗଣତି ମଣତି ହୋଇନାହିଁ ।
ଅବଶ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ଓ ଅନ୍ୟ ବୈଷୟିକ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଏହାର ନିରାପତ୍ତା ସ୍ଥିତି ଯାଞ୍ଚ କରାଯାଇଥିଲା । ଏହା ବିପଦ ସଂକୁଳ ଅବସ୍ଥାରେ ଥିବାରୁ ମରାମତି ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇବାରୁ କଡ଼ା ସୁରକ୍ଷା ମଧ୍ୟରେ ଏଠାରୁ ରତ୍ନ ଅଳଙ୍କାରଗୁଡ଼ିକୁ ପୂର୍ବରୁ ଅନ୍ୟ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯିବା ପରେ ପ୍ରାୟ ୮ମାସ ଧରି ରତ୍ନଭଣ୍ଡାରର ମରାମତି ଓ ଆଧୁନିକୀକରଣ କାର୍ଯ୍ୟ କରାଯାଇଥିଲା । ଇତିମଧ୍ୟରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ରୁ ରତ୍ନ ସାମଗ୍ରୀ ସବୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ଗଣତି ମଣତି କାର୍ଯ୍ୟରେ ରିଜର୍ଭ ବ୍ୟାଙ୍କର କିଛି ଅଧିକାରୀଙ୍କୁ ମଧ୍ୟ ସାମିଲ କରିବା ପାଇଁ ଯୋଜନା ଅଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମଇ ୧୩ ତାରିଖରେ ନୀଳମଣି ରାଉତରାୟଙ୍କ ସରକାର ସମୟରେ ସେତେବେଳର ଆଇନ୍ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଉଦ୍ୟମକ୍ରମେ ରତ୍ନଭଣ୍ଡାର ସାମଗ୍ରୀଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ସେ ସମୟରେ ପାଖାପାଖି ଦେଢ଼ମାସ ସମୟ ଲାଗିଥିଲା । ସେତେବେଳର ହିସାବ ମୁତାବକ ରତ୍ନଭଣ୍ଡାରରେ ମୂଲ୍ୟବାନ ପଥର ସହିତ ପ୍ରାୟ ୧୩୯କିଲୋ ସୁନା ଓ ୨୫୮ କିଲୋ ରୁପା ସାମଗ୍ରୀ ଥିବା ଜଣାପଡିଥିଲା । ଅବଶ୍ୟ ଏହାବାଦ୍ ଆଉ ୧୪ଟି ସାମଗ୍ରୀ କିନ୍ତୁ ଓଜନ କରାଯାଇପାରିନଥିଲା ।
୪୭ବର୍ଷ ଧରି ରତ୍ନଭଣ୍ଡାର ସାମଗ୍ରୀଗୁଡ଼ିକର ସଠିକ୍ ଯାଞ୍ଚ କିମ୍ବା ହିସାବ କରାଯାଇନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାର ଖୋଲିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗତ ସରକାର ସମୟରେ ଯାଇଥିଲେ ମଧ୍ୟ ଚାବି ହଜିଯାଇଥିବା କାରଣରୁ ତାହା ଖୋଲାଯାଇପାରିନଥିଲା । ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମ୍ରୁ ଏକ ଲଫାପା ଭିତରେ ନକଲି ଚାବି ଥିବା ଜଣାପଡିଥିଲା । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ମଧ୍ୟ ଫଳାଫଳ ଏଯାବତ୍ ପ୍ରକାଶ ପାଇନାହିଁ ।
ମାର୍ଗଶୀର ମାସକୁ ମା’ ମହାଲକ୍ଷ୍ମୀଙ୍କ ମାସ ବୋଲି କୁହାଯାଏ । ତେଣୁ କାର୍ତ୍ତିକ ଭିଡ଼ ସରିବା ପରେ ସମସ୍ତଙ୍କ ସହଯୋଗରେ ଯେ କୌଣସି ଦିନ ରତ୍ନଭଣ୍ଡାର ସଂପତ୍ତିର ଗଣତି ମଣତି ହୋଇପାରେ । ଏହାଛଡ଼ା ରତ୍ନଭଣ୍ଡାର ବାହାରେ ଆଉ କେଉଁଠି କେତେ ରତ୍ନ ଅଳଙ୍କାର, ଅର୍ଥ ଏବଂ ସ୍ଥାବର ଅସ୍ଥାବର ସଂପତ୍ତି ରହିଛି ତାହାର ମଧ୍ୟ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)

