Home Election ଦାଦନଙ୍କ ଠିକଣା ଖୋଜା

ଦାଦନଙ୍କ ଠିକଣା ଖୋଜା

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ଜିଣିବାପାଇଁ ତିନି ପ୍ରମୁଖ ରାଜନୈତିକଦଳ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ ଏଠାରେ ବିଜୟର ବାହକ ହେବେ ଭିଟାମାଟି ଛାଡି ଅନ୍ୟତ୍ର ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ । ନୂଆପଡା ନିର୍ବାଚନମଣ୍ଡଳୀରୁ ବାହାରକୁ କାମ କରିବାପାଇଁ କେତେଲୋକ ଯାଇଛନ୍ତି ତାହାର ସଠିକ୍‍ ହିସାବ ସରକାରୀ ସ୍ତରରେ ମିଳୁନଥିବାବେଳେ ଗାଁ ଗାଁ ବୁଲି ରାଜନୈତିକ ଦଳମାନେ କିନ୍ତୁ ଏମାନଙ୍କ ଠିକଣା ଖୋଜୁଛନ୍ତି ।

ଆଦିବାସୀ ବହୁଳ ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ନୂଆପଡାର ଭୋଟର ସଂଖ୍ୟା ପାଖାପାଖି ୨ଲକ୍ଷ ୫୪ହଜାର । ଏଥିରୁ ଅଧାରୁ ଅଧିକ ମହିଳା । ଶିଳ୍ପ ବିହୀନ ଜିଲ୍ଲା ନୂଆପଡାରେ ଲୋକେ ମୁଖ୍ୟତଃ କୃଷି ଓ ଜଙ୍ଗଲ ସମ୍ପଦ ଉପରେ ନିର୍ଭରଶୀଳ । ସରକାର ଜଙ୍ଗଲ ସମ୍ପଦକୁ ଓଗାଳୁଥିବାବେଳେ ପରିବାର ଚଳାଇବାପାଇଁ ତେଣୁ ନୂଆପଡା, କୋମନା, ଖରିଆରରୋଡ୍‍, ଦର୍ଲିପଡା, ତରବୋଡ, ଟିକ୍ରାପଡା, ଭେଲା, ଛତା ଆଦି ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ପଳାଇଥାନ୍ତି ।

ରାଜନୈତିକ ସୂତ୍ରରୁ ମିଳୁଥିବା ତଥ୍ୟ ମୁତାବକ ଏହି ନିର୍ବାଚନମଣ୍ଡଳୀର ୩୦ ହଜାରରୁ ଅଧିକ ଭୋଟର ରାଜ୍ୟ ବାହାରେ ଅଛନ୍ତି । ବିଶେଷକରି ଛତିଶଗଡ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ହରିଆନା ଆଦି ବିଭିନ୍ନ ରାଜ୍ୟରେ ନୂଆପଡା ଜିଲ୍ଲାର ଅନେକ ଶ୍ରମିକ କାମ କରୁଛନ୍ତି ।

ରାଜ୍ୟ ବାହାରକୁ ଶ୍ରମିକ ପଠାଇବାବେଳେ ଶ୍ରମ ବିଭାଗ ଅଧିକାରୀଙ୍କ ନିକଟରେ ପଞ୍ଜିକରଣର ଯେଉଁ ବ୍ୟବସ୍ଥା ରହିଛି ତାହାକୁ ଏଡାଇ ଅନେକ ଦାଦନ ଠିକାଦାର ଚୋରା ଲୁଚାରେ ଅନ୍ୟ ରାଜ୍ୟକୁ ଶ୍ରମିକ ଚାଲାଣ କରିଥାନ୍ତି । ବିଶେଷକରି ଖରିଆରରୋଡ୍‍, ଟିଟିଲାଗଡ, କଣ୍ଟାବାଞ୍ଝି, ନର୍ଲାରୋଡ୍‍ ଆଦି ରେଳଷ୍ଟେସନରେ ବିଭିନ୍ନ ସମୟରେ ଯେଭଳି ଅସମ୍ଭବ ଭିଡ ଲକ୍ଷ୍ୟ କରାଯାଏ ସେଥିରୁ ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ଶ୍ରମିକ ଚାଲାଣର ଚିତ୍ର ଜଳ ଜଳ ବାରିହୋଇ ଯାଏ । ଏହାଛଡା ସଡକପଥରେ ବି ଅନେକ ଠିକାଦାର ଶ୍ରମିକ ଚାଲାଣ କରାଇଥାନ୍ତି ।

ଏବେ ବିଭିନ୍ନ ଦଳର ବୁଥ୍‍ ସ୍ତରୀୟ କର୍ମୀମାନେ ଭୋଟର ତାଲିକା ଧରି ଘରକୁ ଘର ବୁଲି ଅନୁଧ୍ୟାନ କରୁଛନ୍ତି । ଯେଉଁ ଘରୁ ଯେତେ ଲୋକ ବାହାରକୁ ଯାଇଛନ୍ତି ସେମାନଙ୍କୁ ବି ମୋବାଇଲ୍‍ ଯୋଗେ ସମ୍ପର୍କ କରି ଆସିବାପାଇଁ ଅନୁରୋଧ କରାଯାଉଛି । ଏଥିଲାଗି ଯାତାୟତ ଖର୍ଚ୍ଚ ସହିତ ୧୦/୧୫ ଦିନର ମଜୁରୀ ଦେବାକୁ ବି ପ୍ରତିଶ୍ରୁତି ମିଳୁଛି । ତେବେ ସମସ୍ୟା ଉପୁଜୁଛି ଯେଉଁସବୁ ସଂସ୍ଥାରେ ଏହି ଶ୍ରମିକମାନେ ନିୟୋଜିତ ହୋଇଛନ୍ତି ସେଥିରୁ ଅନେକ ଏମାନଙ୍କୁ ଛାଡିବାକୁ ନାରାଜ । ଥରେ ଘରକୁ ଫେରିଲେ କାମକୁ ଲେଉଟିବାର ସମ୍ଭାବନା କମ୍‍ ଥିବାରୁ ଏମାନଙ୍କୁ ଛାଡିବା ମୁସ୍କିଲ । ଏହାଛଡା ବହୁ ଶ୍ରମିକ ନିକଟରେ ନୂଆଖାଇ ଅବସରରେ ଘରକୁ ଆସି ଫେରିଛନ୍ତି ।

ଗତ ସାଧାରଣ ନିର୍ବାଚନ ସମୟରେ ଅବଶ୍ୟ କଳ ବଳ ପ୍ରୟୋଗ କରି ଅର୍ଦ୍ଧାଧିକ ଦାଦନ ଶ୍ରମିକଙ୍କୁ ଭୋଟ ପାଇଁ ଫେରାଇ ଅଣାଯାଇଥିଲା । ସେ ସମୟରେ ବି ପଇସାପତ୍ର କାରବାର ହୋଇଥିବା ବିଭିନ୍ନ ଗାଁର ଲୋକେ ସ୍ୱୀକାର କରୁଛନ୍ତି । ଏବେ ଉପନିର୍ବାଚନ ପରିପ୍ରେକ୍ଷୀରେ ଦର ଟିକେ ବଢି ଯାଇଥିବାବେଳେ ଦଲାଲମାନେ ଅଧିକ ସକ୍ରିୟ ଥିବା ଲକ୍ଷ୍ୟ କରାଯାଉଛି । ବିଜେଡି,ବିଜେପି ଓ କଂଗ୍ରେସର ବହୁ ନେତା ପଞ୍ଚାୟତୱାରି ଶିବିର ପକାଇ ଜଗିଛନ୍ତି । ଏମିତିକି ଭୋଟରମାନଙ୍କୁ ଫେରାଇ ଆଣିବାପାଇଁ ଅଗ୍ରିମ ରେଳ ଟିକଟ ବି କେତେକ ସ୍ଥଳରେ କରାଗଲାଣି । ଜଣେ ଜଣେ ଭୋଟରଙ୍କ ପାଇଁ ଏକାଧିକ ରେଳଟିକଟ ବି ହୋଇ ସାରିଲାଣି । ଏ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ କାମ କରୁଥିବା କେତେ ସଂଖ୍ୟକ ଶ୍ରମିକ ନିର୍ବାଚନ ପୂର୍ବରୁ ନୂଆପଡା ଫେରିବେ ଓ ସେମାନଙ୍କ ମଧ୍ୟରୁ କେଉଁମାନେ କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେବେ ସେଥିଘେନି ବି ବୁଥ୍‍ ସ୍ତରୀୟ କର୍ମୀମାନେ ଅଙ୍କକଷା ଚଳାଉଛନ୍ତି । (ତଥ୍ୟ)