ଭୁବନେଶ୍ୱର : ରାଜଧାନୀକୁ ଜବରଦଖଲମୁକ୍ତ କରିବାପାଇଁ ଏବେ ବିଏମସି, ବିଡିଏ ରାସ୍ତାକଡ ଦୋକାନଗୁଡିକୁ ଉଚ୍ଛେଦ କରିବାରେ ଲାଗିଛନ୍ତି । ତେବେ ଦୀର୍ଘଦିନ ଧରି ବେପାର କରି ପେଟ ପୋଷୁଥିବା ବ୍ୟବସାୟୀଙ୍କୁ ଥଇଥାନ ନକରି ହଠାତ୍ ସେମାନଙ୍କ ଦୋକାନ ଉଚ୍ଛେଦ କରିବା ଯୋଗୁଁ ରାଜଧାନୀରେ ବ୍ୟବସାୟୀ ଓ ବିଏମ୍ସି ମଧ୍ୟରେ ଏକ ପ୍ରକାର ଲୁଚକାଳି ଖେଳ ଚାଲିଛି । ବିଏମ୍ସି ଉଚ୍ଛେଦ କରିବାପରେ ବ୍ୟବସାୟୀମାନେ ତୁରନ୍ତ ନିଜର ପସରା ଖୋଲିବାରେ ଲାଗିଛନ୍ତି ।
ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍ସି ପକ୍ଷରୁ ଭେଣ୍ଡିଂଜୋନ୍ ନିର୍ମାଣ କରି ବ୍ୟବସାୟୀମାନଙ୍କୁ ଯୋଗାଇ ଦିଆଯାଇଛି । ହେଲେ ଏହା ସମୁଦ୍ରକୁ ଶଙ୍ଖେ ଭଳି । ଫଳରେ ବହୁ ସଂଖ୍ୟାରେ ବ୍ୟବସାୟୀମାନେ ରାସ୍ତାକଡରେ ହେଉ କିମ୍ବା ହାଟ ବଜାର ପାଶ୍ୱର୍ରେ ହେଉ, ଖାଲିସ୍ଥାନ ଟିକେ ଦେଖି ନିଜର ବ୍ୟବସାୟ କରୁଛନ୍ତି । ବର୍ଷ ବର୍ଷ ଧରି ରାଜଧାନୀରେ ଏହା ଚାଲିଛି । ବ୍ୟବସାୟୀମାନେ ପ୍ରଥମେ ବ୍ୟବସାୟପାଇଁ ବସିଲାବେଳେ ବିଏମ୍ସି ଆଖିବୁଜି ଦେଉଛି । ପରବର୍ତ୍ତୀ ସମୟରେ ଉଚ୍ଛେଦ ପାଇଁ ଅଣ୍ଟା ଭିଡିବା ସହିତ ସେମାନଙ୍କୁ ହଟାଇବାରେ ଲାଗୁଛି । ହେଲେ ବର୍ଷ ବର୍ଷ ଧରି ବ୍ୟବସାୟ କରି ପଟେ ପୋଷୁଥିବା ଲୋକେ କୁଆଡେ ଯିବେ ତାହା ଚିନ୍ତା କରୁନାହିଁ ।
ଏଥିଯୋଗୁଁ ରାଜଧାନୀରେ ଏବେ ଅନେକ ସ୍ଥାନରେ ବିଏମ୍ସି, ବିଡିଏର ସରକାରୀ ବାବୁଙ୍କ ସହିତ ବ୍ୟବସାୟୀମାନେ ମୁହାଁମୁହିଁ ହେଉଛନ୍ତି । ଉଠାଦୋକାନୀ ମହାସଂଘ ବି ଲଢେଇ ଡାକରା ଦେଲାଣି । ଅନେକ ସ୍ଥାନରେ ବ୍ୟବସାୟୀଙ୍କ କଡା ବିରୋଧ ଯୋଗୁଁ ଉଚ୍ଛେଦ ଟିମ୍ ବି ପଛଘୁଞ୍ଚା ଦେଉଛି ।
ତେବେ ଏତେ ସଂଖ୍ୟକ ବ୍ୟବସାୟୀ ରାଜଧାନୀର ବିଭିନ୍ନ ସ୍ଥାନରେ ବେପାର କରୁଥିବାବେଳେ ସେମାନଙ୍କ ପାଇଁ କେତେ ସଂଖ୍ୟକ ଭେଣ୍ଡିଂ ଜୋନ୍ ଆବଶ୍ୟକ ଓ ସେମାନେ କେଉଁଠାରେ ବସିବେ ସେ ନେଇ କୌଣସି ସ୍ପଷ୍ଟ ନୀତି ନାହିଁ । ବିଏମ୍ସି ଯେତେବେଳେ ଚାହୁଁଛି ପୁଲିସ୍ ବଳ ଧରି ଆସି ଉଚ୍ଛେଦ କରୁଛି । ଉଚ୍ଛେଦ କରିବାର କିଛି ସମୟ ପରେ ଦୋକାନୀମାନେ ସେଠାରେ ପୁଣି ନିଜର ଜରିପାଲ ଘେରା ବ୍ୟବସାୟ ଗୃହ ଆରମ୍ଭ କରିଦେଉଛନ୍ତି । ଏହା କିଛି ଦିନ ଚାଲିବାପରେ ପୁଣି ଉଚ୍ଛେଦ ହେଉଛି ।
ଦୁଇ ଦିନ ତଳେ ସ୍ଥାନୀୟ ଚାରି ନମ୍ବର ମାର୍କେଟରେ ମାଂସ, କୁକୁଡା, ଅଣ୍ଡା ବ୍ୟବସାୟସ୍ଥଳୀକୁ ବିଏମ୍ସି ମାଟିରେ ମିଶାଇବାପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏହି ବ୍ୟବସାୟୀମାନେ ବର୍ଷ ବର୍ଷ ଧରି ସେଠାରେ ବେପାର ଚଳାଇଥିଲେ । ବିଏମ୍ସି ଓ ବିଡିଏର ସାନରୁ ବଡ ପର୍ଯ୍ୟନ୍ତ ବାବୁମାନେ ଆସି ଏଠାରୁ ମାଂସ, କୁକୁଡା, ମାଛ ଆଦି କିଣିଥାନ୍ତି । ତେବେ ହଠାତ୍ ଛାଡଖାଇର ଦିନ କେଇଟା ପୂର୍ବରୁ ଏଭଳି ଉଚ୍ଛେଦକୁ ଅନେକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।
ବିଏମ୍ସି ଓ ବିଡିଏ ଯେଉଁସବୁ ସ୍ଥାନରେ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରୁଛି ସେଠାରେ ସ୍ଥାୟୀଭାବେ ସରକାରୀ ଜମିକୁ ଦଖଲ କରୁନାହିଁ । ଏହା ଚାରିପଟେ ବାଡ ବୁଲାଇବା ବଦଳରେ ତାହାକୁ ଖୋଲା ଛାଡି ଦେଉଥିବାରୁ ସେଠାରେ ପୁଣିଥରେ ବେପାର ଆରମ୍ଭ ହେଉଛି । ସବୁଠାରୁ ବଡକଥା ହେଲା ଏହିସବୁ ସ୍ଥାନରେ ପସରା ଖୋଲିଥିବା ବ୍ୟବସାୟୀମାନଙ୍କ ଠାରୁ ବିଏମ୍ସି ରୀତିମତ ଟିକସ ଆଦାୟ କରୁଥିଲା ଓ ବିଏମସିର ଅଳିଆବୁହା ଗାଡି ବି ଏଠାରୁ ନିୟମିତ ଅଳିଆ ଉଠାଉଥିଲା । ଟିକସ ଆଦାୟ ସହିତ ଏତେସବୁ ସୁବିଧା ଦେବାପରେ ଏଭଳି ଉଚ୍ଛେଦ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।
କେବଳ ଚାରି ନମ୍ବର ୟୁନିଟ୍ ନୁହେଁ, ସହରର ଯେଉଁସବୁ ସ୍ଥାନରେ ଦୋକାନ ବଜାର ଉଚ୍ଛେଦ ହେଉଛି ସେଠାରେ ବିଏମ୍ସି ଉକ୍ତ ଅଞ୍ଚଳକୁ ନିଜ ଦଖଲକୁ ନେଉନାହିଁ କିମ୍ବା ଏଠାରେ ଯେଭଳି ଆଉ କୌଣସି ବ୍ୟବସାୟ ନହେବ ତାହାର ବ୍ୟବସ୍ଥା କରୁନାହିଁ । ଫଳରେ ବ୍ୟବସାୟକୁ ନେଇ ବିଏମସି ଓ ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ଲୁଚକାଳି ଖେଳ ଚାଲିଛି । ବିଏମ୍ସି ବାବୁମାନେ ଏସବୁ ଦେଖୁଛନ୍ତି ଓ ଜାଣୁଛନ୍ତି । ହେଲେ ସାବାସୀ ନେବାପାଇଁ ମଝିରେ ମଝିରେ ଉଚ୍ଛେଦ ଚଳାଉଛନ୍ତି ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି । (ତଥ୍ୟ)

