Home Finance ହଜାରେ କୋଟିର ଖଣି, ପାଣି ରାଜସ୍ୱ ବାକି

ହଜାରେ କୋଟିର ଖଣି, ପାଣି ରାଜସ୍ୱ ବାକି

ଭୁବନେଶ୍ୱର : ଖଣି ଓ ପାଣି ବାବଦ ଟିକସ ଏବଂ ଜରିମାନା ଅର୍ଥ ଠିକଣା ସମୟରେ ଆଦାୟ ହୋଇପାରୁନଥିବାରୁ ବିଭିନ୍ନ କଳକାରଖାନା ଓ ଖଣି ଲିଜ୍‍ଧାରୀମାନଙ୍କ ଉପରେ ରାଜ୍ୟ ସରକାରଙ୍କ ହଜାର ହଜାର କୋଟି ଟଙ୍କା ପଡ଼ିରହିଛି । ଜଷ୍ଟିସ ଏମ୍‍.ବି ଶାହା କମିଶନଙ୍କ ରିପୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି ଅର୍ଥ ଆଦାୟ ହୋଇପାରୁ ନାହିଁ । ଖିଲାପକାରୀଙ୍କ ଠାରୁ ଅର୍ଥ ଆଦାୟ ଲାଗି ସରକାରଙ୍କ ପକ୍ଷରୁ ସାର୍ଟିଫିକେଟ୍‍ କେଶ୍‍ କରି ଅପେକ୍ଷା କରାଯାଉଥିବାବେଳେ ଆଉ କେତେକ କ୍ଷେତ୍ରରେ କାରଖାନା କର୍ତ୍ତୃପକ୍ଷ ଓ ଖଣି ଲିଜ୍‍ଧାରୀମାନେ ଆଇନ୍‍ ଅଦାଲତରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଅର୍ଥ ପୈଠ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।

ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ୨୦୧୭ ମସିହାରେ ଦେଇଥିବା ନିର୍ଦ୍ଦେଶ ମୁତାବକ ନିର୍ଦ୍ଧାରିତ ସୀମା ବାହାରେ ଓ ବିନା ପରିବେଶ ଅନୁମୋଦନରେ ଯେଉଁସବୁ ଖଣି ଉତ୍ତୋଳନ ହୋଇଛି ସେଠାରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଅର୍ଥ ଆଦାୟ କରାଯିବା କଥା । କିନ୍ତୁ ଏ କ୍ଷେତ୍ରରେ କେବଳ ସାର୍ଟିଫିକେଟ୍‍ କେଶ୍‍ କରି ସରକାର ବସି ପଡୁଥିବାରୁ ସୁପ୍ରିମକୋର୍ଟ ନିକଟରେ ଏ ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ଦେବା ସହ ପରବର୍ତ୍ତୀ ଶୁଣାଣି ପାଇଁ ୮ ସପ୍ତାହ ସମୟ ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଖଣିଜ ସାମଗ୍ରୀର ବ୍ୟାପକ ଚୋରା କାରବାର ଘେନି ହେଉଥିବା ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏମ୍‍.ବି ଶାହାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଯାଇଥିଲା । ଏହି କମିଶନ ତାଙ୍କ ରିପୋର୍ଟରେ ଖଣିଜ ସାମଗ୍ରୀର ବ୍ୟାପକ ବେଆଇନ୍‍ କାରବାର ସଂକ୍ରାନ୍ତରେ ଉଲ୍ଲେଖ କରିବା ସହିତ ପ୍ରାୟ ୬୫୦୦୦ କୋଟି ଟଙ୍କାର ଜରିମାନା ଆଦାୟ ଲାଗି ସୁପାରିସ କରିଥିଲେ । ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନୋଟିସ ଜାରି କରିବା ପରେ ଅନେକ ସଂସ୍ଥା ଆଇନ୍‍ ଅଦାଲତର ଆଶ୍ରୟ ନେଇଥିଲେ । ଏହି ଅନାଦେୟ ଅର୍ଥ ଉପରେ ସୁଧର ପରିମାଣ କେତେ ତାହା କେହି କହିପାରୁ ନାହାନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୮ ସପ୍ତାହ ଭିତରେ କେତେ ଅନାଦେୟ ଅର୍ଥ ଆଦାୟ ହେଉଛି ଏବଂ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କ’ଣ ତଥ୍ୟ ଦେବାକୁ ଯାଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ।

ସେହିଭଳି ରାଜ୍ୟର ବିଭିନ୍ନ ନଦୀରୁ ବହୁ ଶିଳ୍ପାନୁଷ୍ଠାନ ଜଳ ନେଉଛନ୍ତି । ସେମାନଙ୍କ ଉପରେ ବି ବର୍ଷବର୍ଷ ଧରି ସହସ୍ରାଧିକ କୋଟି ଟଙ୍କାର ଜଳ କର ବାକି ପଡ଼ିଛି । ସରକାରଙ୍କ ପକ୍ଷରୁ ନୋଟିସ ଦିଆଯିବା ପରେ ଅନେକ ସଂସ୍ଥା ବକେୟା ଅର୍ଥ ପୈଠ କରିବା ପରିବର୍ତ୍ତେ ଓଲଟା ଆଇନ୍‍ ଅଦାଲତକୁ ଯାଇ ସରକାରଙ୍କୁ ନାଲି ଆଖି ଦେଖାଉଛନ୍ତି । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଖଣି ଖାଦାନ ନିଲାମ ଚାଲୁଥିବାବେଳେ ଶିଳ୍ପାନୁଷ୍ଠାମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଉଛି । ଅଥଚ ସାଧାରଣ ଲୋକଟିଏ ଜଳ ଖଜଣା, ଜଳକର କିମ୍ବା ପୌର ସଂସ୍ଥା ହୋଲଡିଂ ଟିକସ ଦେବାରେ ବିଳମ୍ବ କଲେ ସରକାରୀ କର୍ତ୍ତୃପକ୍ଷ ନାଲି ଆଖି ଦେଖାଇ ତାହା ଆଦାୟ କରୁଛନ୍ତି ।
ଖଣି ଓ ପାଣି ବାବଦ ରାଜସ୍ୱ ସଂକ୍ରାନ୍ତୀୟ ମାମଲାଗୁଡ଼ିକ କିଭଳି ଶୀଘ୍ର ଫଇସଲା ହେବ ଏବଂ ଖିଲାପି ସଂସ୍ଥାମାନଙ୍କଠାରୁ ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯିବ ସେଥିଘେନି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଉଛି । (ତଥ୍ୟ)