ଭୁବନେଶ୍ୱର : ଜାତୀୟକରଣ ଓ ଘରୋଇ ବ୍ୟାଙ୍କ୍ରେ ଜମାକାରୀମାନଙ୍କ ଏଟିଏମ୍ କାର୍ଡର ଅବଧି ସରିବା ପୂର୍ବରୁ ବିନା ଆବେଦନରେ ନୂଆ କାର୍ଡ ଡାକରେ ଆସି ଘରେ ପହଞ୍ଚି ଯାଉଥିବାବେଳେ ଯେଉଁମାନେ ଡାକଘରେ ଜମାଖାତା ଖୋଲି ଏଟିଏମ୍ କାର୍ଡ ନେଇଛନ୍ତି ସେମାନଙ୍କର କାର୍ଡର ଅବଧି ସରିବାପରେ ମାସ ମାସ ଧରି ନବୀକରଣ ହୋଇପାରୁ ନାହିଁ । ଗାଁ ଗହଳ ତ ଦୂରରକଥା, ଖୋଦ୍ ରାଜଧାନୀର ଡାକଘର ଜମାକାରୀମାନଙ୍କର ଏହା ସମସ୍ୟା ।
ପୂର୍ବରୁ ରାଜଧାନୀର ମୁଖ୍ୟ ଡାକଘର ସମେତ ଅନ୍ୟ କାଉଣ୍ଟରଗୁଡିକରୁ ଦିନକରେ ଏଟିଏମ୍ କାର୍ଡ ନବୀକରଣ ହୋଇଯାଉଥିଲା । ଏମିତିକି କାର୍ଡର ଅବଧି ସରିବା ପୂର୍ବରୁ ନୂଆ କାର୍ଡ ବି ଡାକଘରକୁ ଆସି ଯାଉଥିଲା । ତେଣୁ ସିଧାସଳଖ କାଉଣ୍ଟରରୁ ଜମାକାରୀମାନେ ସହଜରେ ଏଟିଏମ୍ କାର୍ଡ ପାଉଥିଲେ । ଏବେ ନୂଆ ଏଟିଏମ୍ କାର୍ଡ ହେଉ କିମ୍ବା ପୁରୁଣା କାର୍ଡର ନବୀକରଣ ପାଇଁ ଭୁବନେଶ୍ୱରକୁ ଚେନ୍ନାଇ ଉପରେ ନିର୍ଭର କରିବାକୁ ପଡୁଛି ।
ଏଟିଏମ୍ କାର୍ଡର ଅବଧି ସରିବା ପୂର୍ବରୁ କିମ୍ବା ପରେ ନିର୍ଦ୍ଧାରିତ ଫର୍ମରେ ଜମାକାରୀମାନେ ଆବେଦନ କରୁଛନ୍ତି ଏବଂ ତାହା ତନଖି କରିବା ପରେ ପରେ ଇଣ୍ଟରନେଟ୍ ଯୋଗେ ଚେନ୍ନାଇ ପଠାଯାଉଛି । ଚେନ୍ନାଇରେ ଯେଉଁ ସଂସ୍ଥାକୁ ଓଡିଶାର ଡାକଘର ପାଇଁ ଏଟିଏମ୍ କାର୍ଡ ପ୍ରସ୍ତୁତ ଦାୟିତ୍ୱ ଦିଆଯାଇଛି ସେମାନେ ସେଠାରୁ ଢେର ବିଳମ୍ବରେ ଗ୍ରାହକଙ୍କ ଠିକଣାରେ କାର୍ଡ ପଠାଉଥିବାରୁ ଏଥିରେ ମାସାଧିକ କାଳ ଧରି ଲୋକଙ୍କୁ ବାରମ୍ବାର ଡାକଘର କାଉଣ୍ଟରକୁ ସ୍ଥିତି ଜାଣିବାଲାଗି ଦଉଡିବାକୁ ପଡୁଛି ।
କେବଳ ଡାକଘର ସଞ୍ଚୟ ବ୍ୟାଙ୍କ୍ ଏଟିଏମ୍ କାର୍ଡ ନୁହେଁ, ବିଏସଏନଏଲ୍ ଫୋନ୍ର ନୂଆ ସିମ୍ କାର୍ଡ ଓ ପୁରୁଣାର ନବୀକରଣ ପାଇଁ ଓଡିଶାର ଗ୍ରାହକମାନଙ୍କୁ କୋଲକତା ଉପରେ ନିର୍ଭର କରିବାକୁ ହେଉଛି । ଫଳରେ ତୁରନ୍ତ ସିମ୍କାର୍ଡ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ଏବଂ ନୂଆ ସିମ୍ ଖରିଦ କରିବାପରେ ତାହାକୁ ସକ୍ରିୟ କରାଇବା ଲାଗି ଗ୍ରାହକମାନଙ୍କୁ ବିଏସଏନଏଲ୍ ଅଫିସକୁ ଦଉଡିବାକୁ ପଡୁଥିବାବେଳେ ସେଠାକାର କର୍ମଚାରୀମାନେ ହାତ ଟେକି ଦେଇ କୋଲକତାରୁ ଏହା ସକ୍ରିୟ ହେବବୋଲି କହୁଛନ୍ତି ।
କେନ୍ଦ୍ରରେ ଡାକ ଓ ଟେଲିକମ୍ ବିଭାଗର ମନ୍ତ୍ରୀ ଅଛନ୍ତି ଓଡିଶାର ରାଜ୍ୟସଭା ସାଂସଦ । ସାରା ଦେଶପାଇଁ ବିଏସଏନଏଲ୍ର ୪-ଜି ସେବା ଖୋଦ୍ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ଝାରସୁଗୁଡା ନିକଟରେ ଏକ ସ୍ୱତନ୍ତ୍ର ଉତ୍ସବରେ କରିଯାଇଛନ୍ତି । ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ୫-ଜି ସିମ୍ ବିଏସଏନଏଲ୍ କର୍ତ୍ତୃପକ୍ଷ ଗ୍ରାହକମାନଙ୍କୁ ଦେଉଛନ୍ତି । ଅନ୍ୟ ପଟେ ବହୁ ପୁରୁଣା ବିଏସଏନଏଲ୍ ଗ୍ରାହକଙ୍କ ସିମ୍ କାର୍ଡ ଠିକଣା ଭାବେ କାମ କରୁନାହିଁ । ଫଳରେ ଅନେକ ପୁରୁଣା ଗ୍ରାହକ ଅନ୍ୟଘରୋଇ କମ୍ପାନୀର ସିମ୍ କିଣିବାକୁ ବାଧ୍ୟ ହେଉଛନ୍ତି ।
ଡାକଘର ସଞ୍ଚୟ ବ୍ୟାଙ୍କ୍କୁ ସାଧାରଣତଃ ନିରାପଦ ବୋଲି ବର୍ଷ ବର୍ଷ ଧରି ଲୋକେ ମାନି ଆସୁଛନ୍ତି । ବୈଷୟିକ ବିଦ୍ୟାର ବିକାଶ ସହିତ ଅନ୍ୟ ଜମାକାରୀ ବ୍ୟାଙ୍କ୍ମାନଙ୍କ ସମତୁଲ ସେବା ଦେବାପାଇଁ ଡାକ ବିଭାଗ ବି ଏଟିଏମ୍ କାର୍ଡ ପ୍ରଚଳନ କରିଥିଲେ । କିନ୍ତୁ ଏବେ ଓଡିଶା ଗ୍ରାହକଙ୍କ ଏଟିଏମ୍ କାର୍ଡ ଚେନ୍ନାଇ ଉପରେ ନିର୍ଭରଶୀଳ ଥିବାବେଳେ ବିଏସଏନଏଲର ସିମ୍କୁ କାର୍ଯ୍ୟକ୍ଷମ କରିବାପାଇଁ କାହିଁକି ଯେ କୋଲକତା ଉପରେ ନିର୍ଭର କରାଯାଉଛି ତାହା ଅନେକ ଗ୍ରାହକ ବୁଝିପାରୁ ନାହାନ୍ତି । ତୁରନ୍ତ ବିଏସଏନଏଲର ସିମ୍ ଓ ଡାକଘର ସଞ୍ଚୟ ବ୍ୟାଙ୍କ୍ର ଏଟିଏମ୍ କାର୍ଡ ବ୍ୟାପାର ଅନ୍ୟ ରାଜ୍ୟର ନିୟନ୍ତ୍ରଣରୁ ଆଣି ଓଡିଶାରେ ରଖିବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)

