ଭୁବନେଶ୍ୱର : ସଂରକ୍ଷଣ ଓ ପଦୋନ୍ନତି ସଂକ୍ରାନ୍ତରେ ପ୍ରାୟ ୭୦ଟି ମାମଲାର ମିଳିତ ଶୁଣାଣି କରି ଓଡିଶା ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଏହି ମାମଲାଗୁଡିକ ଯୋଗୁଁ ସରକାରଙ୍କର ବିଭିନ୍ନ ବିଭାଗର ଅନେକ କ୍ୟାଡରରେ ପଦୋନ୍ନତି ବାଧାପ୍ରାପ୍ତ ହୋଇଥିବାରୁ ତାହା ଉପରେ ଏବେ ସମସ୍ତଙ୍କ ନଜର ।
ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ବିଭିନ୍ନ ନିଯୁକ୍ତି ଆଇନ୍ ସହିତ କ୍ରାଇଟେରିଆ ଫର୍ ପ୍ରମୋସନ ରୁଲ୍ ଏବଂ ଜୋନ୍ ଅଫ୍ କନସିଡିରେସନ ରୁଲ୍ ଆଦି ରହିଛି । ଏଗୁଡିକରେ ଥିବା ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରାଯିବା ଫଳରେ ମାମଲା ସଂଖ୍ୟା ବଢିବା ସଂଗେ ସଂଗେ ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ବିବାଦ ସୃଷ୍ଟି ହେଉଛି । ଏ ସଂକ୍ରାନ୍ତରେ ସାଧାରର ପ୍ରଶାସନ ବିଭାଗ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ବାରମ୍ବାର ବହୁ ସ୍ପଷ୍ଟିକରଣ ଜାରି କରୁଥିଲେ ମଧ୍ୟ ସେଗୁଡିକୁ କେତେକ କ୍ଷେତ୍ରରେ ଅଣଦେଖା କରାଯିବା ଓ ଆଉ କେତେକ କ୍ଷେତ୍ରରେ ଆଇନ୍ର ତ୍ରୁଟିପୂର୍ଣ୍ଣ ତର୍ଜମା କରାଯିବାରୁ ଏଭଳି ସମସ୍ୟା ଲାଗି ରହୁଛି ବୋଲି ପଦୋନ୍ନତି ସୁଯୋଗରୁ ବଞ୍ଚିତ ଅନେକ ଅଧିକାରୀ ଖୋଲା ଅଭିଯୋଗ କରୁଛନ୍ତି ।
ବିଶେଷକରି ୨୦୨୫ ମସିହାରେ ପୂର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ରାଜସ୍ୱ ସମେତ ବହୁ ବିଭାଗରେ ପଦୋନ୍ନତି ବ୍ୟାହତ ହୋଇଛି । ଏମିତିକି ବିଭାଗୀୟ ପଦୋନ୍ନତି କମିଟିଙ୍କ ସୁପାରିଶ୍ ସତ୍ୱେ କେତେକ ସ୍ଥଳରେ ପଦୋନ୍ନତି ଦିଆଯାଇ ପାରୁନଥିବାବେଳେ ଆଉ କେତେକ ସ୍ଥଳରେ କିନ୍ତୁ ବିବାଦୀୟ ବାତାବରଣ ଭିତରେ ପଦୋନ୍ନତି ଦିଆଚାଲିଛି । ବିଶେଷକରି ପୂର୍ବବର୍ଷମାନଙ୍କରୁ ତଳ ପାହ୍ୟାରେ ନିଯୁକ୍ତି ପାଇ ବରିଷ୍ଠତା ତାଲିକାରେ ଢେର ଉଚ୍ଚ କ୍ରମରେ ରହିଥିବା ସଂରକ୍ଷିତବର୍ଗର କର୍ମଚାରୀମାନଙ୍କୁ ଅଣସଂରକ୍ଷିତ ଆସନରେ ପଦୋନ୍ନତି ଦିଆଯାଇ ପାରିବ କି ନାହିଁ ସେଥିଘେନି ବିବାଦ ଲାଗି ରହିଛି ।
ଆଇନ୍ ଅଦାଲତରେ ଏ ସଂକ୍ରାନ୍ତୀୟ ମାଳ ମାଳ ମାମଲା ବିଚାର ପ୍ରତୀକ୍ଷାରେ ଥିବାରୁ ପଦୋନ୍ନତି ପ୍ରତ୍ୟାଶି ବହୁ ଅଧିକାରୀ କାମଦାମ ଛାଡି ମାମଲା ବୁଝିବା ସଂକ୍ରାନ୍ତରେ ବ୍ୟସ୍ତ ରହୁଛନ୍ତି । ଗୋଟିଏ ଗୋଟିଏ ପାହ୍ୟାର ନିର୍ଦ୍ଦିଷ୍ଟ ପଦୋନ୍ନତି ଦିଆଯାଇ ପାରୁନଥିବାରୁ ତଳ ପାହ୍ୟାଗୁଡିକରେ ମଧ୍ୟ ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ବାଧାପ୍ରାପ୍ତ ହେଉଛି । ଏହି ପଦୋନ୍ନତି ଝାମେଲାର ପରିସମାପ୍ତି ଘଟିଲେ ଅନ୍ୟୁନ ୧୦ହଜାର ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରିବ ବୋଲି କୁହାଯାଉଛି ।
ଏହି ମାମଲାଗୁଡିକରେ ହାଇକୋର୍ଟରେ ଶତାଧିକ ଓକିଲ ନିୟୋଜିତ ହୋଇଛନ୍ତି । ଏହାଛଡା ସରକାରଙ୍କ ପକ୍ଷରୁ ବି ମାମଲା ପରିଚାଳନା କରାଯାଉଛି । ଏବେ ଅନ୍ୟତମ ବିଚାରପତି ବି ପି ଶତପଥୀଙ୍କ ଖଣ୍ଡପୀଠରେ ଏ ସଂକ୍ରାନ୍ତୀୟ ମାମଲାଗୁଡିକୁ ଏକାଠି ତାଲିକାଭୁକ୍ତ କରି ଶୁଣାଣି ହୋଇଛି । ବିଭିନ୍ନ ପକ୍ଷର ଯୁକ୍ତି ଶୁଣିବାପରେ ମାନ୍ୟବର ବିଚାରପତି ରାୟ ସଂରକ୍ଷିତ ରଖିଛନ୍ତି । ତେବେ କେଉଁଦିନ ଏହି ରାୟ ପ୍ରକାଶ ପାଇବ ତାହା ଉପରେ ଉଭୟ ଆବେଦନକାରୀ ଓ ପ୍ରତିପକ୍ଷମାନେ ଉତ୍କଣ୍ଠାର ସହ ନଜର ରଖିଛନ୍ତି । (ତଥ୍ୟ)

