Home News in Odia ବଜେଟ୍‍ ଖର୍ଚ୍ଚ ଧିମା

ବଜେଟ୍‍ ଖର୍ଚ୍ଚ ଧିମା

ଭୁବନେଶ୍ୱର : ବଜେଟରେ ବରାଦ ଅର୍ଥ ଖର୍ଚ୍ଚତ ତ୍ୱରାନ୍ୱିତ ପାଇଁ ବିଭାଗଗୁଡିକୁ ବାରମ୍ବାର ତାଗିଦା କରାଯାଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ଶେଷ ସୁଦ୍ଧା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୩୦ ପ୍ରତିଶତରୁ କମ୍‍ ଅର୍ଥ ଖର୍ଚ୍ଚ କରିଥିବା ଜଣାଯାଇଛି । ବିଭାଗ ପାଇଁ ବରାଦ ଅର୍ଥରୁ ପ୍ରଶାସନିକ ବ୍ୟୟ ବାବଦରେ ୩୫ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିବାବେଳେ ହାରାହାରି ବ୍ୟୟ କ୍ଷେତ୍ରରେ କିନ୍ତୁ ୨୯ ପ୍ରତିଶତ ଛୁଇଁ ପାରିନାହିଁ ।

ସହରାଞ୍ଚଳରେ ବସୁଧା ଯୋଜନାରେ ବରାଦ ଅର୍ଥ ମଧ୍ୟରୁ ୧୮ ପ୍ରତିଶତ ବ୍ୟୟ ହୋଇଥିବାବେଳେ ସହରାଞ୍ଚଳ ଜଳ ଯୋଗାଣ କ୍ଷେତ୍ରରେ ପାଖପାଖି ୨୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ୱାଟ୍‍କୋ କର୍ତ୍ତୃପକ୍ଷ ସ୍ୱରେଜ ଓ ଡ୍ରେନେଜ ପ୍ରକଳ୍ପରେ କରିଥିବା ଖର୍ଚ୍ଚର ପରିମାଣ ୨୬ ପ୍ରତିଶତରୁ ସାମାନ୍ୟ ଅଧିକ ରହିଥିବାବେଳେ ସହରାଞ୍ଚଳ ପ୍ରଶାସନରେ ବ୍ୟୟବରାଦ ୩୬ ପ୍ରତିଶତରୁ କମ୍‍ ରହିଛି ।

କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‍ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନରେ ବ୍ୟୟ ଅତ୍ୟନ୍ତ ନଗଣ୍ୟ ରହିଛି । ବରାଦ ଅର୍ଥ ମଧ୍ୟରୁ ୪ ପ୍ରତିଶତରୁ କମ୍‍ ବ୍ୟୟ ହୋଇଥିବାବେଳେ ଓଡିଶା ସହରାଞ୍ଚଳ ଗୃହ ମିଶନରେ ଖର୍ଚ୍ଚ ୬ ପ୍ରତିଶତ ତଳେ ରହିଛି । ପିଏମ୍‍ ଇ-ବସ୍‍ ସେବାରେ ବ୍ୟୟ ପରିମାଣ ୩୦ପ୍ରତିଶତ ତଳେ ଥିବା ରେକର୍ଡ କରାଯାଇଛି ।

ତେବେ ସହରାଞ୍ଚଳରେ ବଜେଟ୍‍ ଅର୍ଥର ଏଭଳି ଧିମା ଖର୍ଚ୍ଚ ପାଇଁ କ୍ଷେତ୍ର ସ୍ତରରେ ଖାଲି ପଡିଥିବା ପଦବୀକୁ ଦାୟୀ କରାଯାଉଛି । କ୍ଷେତ୍ର ସ୍ତରରେ ଥିବା ୩୫୪୪ଟି ପଦବୀ ମଧ୍ୟରୁ ୨୦୯୬ଟି ପଦବୀ ଖାଲି ପଡିଛି । ୧୧୭୪ଟି ପିଏଚ୍‍ଇଓ ପଦବୀରୁ ୬୫୪ଟି ଖାଲି ପଡିଥିବାବେଳେ ୮୭ଟି ଟାଉନ ପ୍ଲାନର ପଦବୀରୁ ୪୮ଟି ଖାଲି ପଡିଛି । ଅନ୍ୟ ପଦବୀଗୁଡିକରେ ମଧ୍ୟରୁ ଅଧାରୁ ଅଧିକ ପଦବୀ ଖାଲି ପଡିଛି ।

ସହରାଞ୍ଚଳରେ କାମ ଚଳାଇବାପାଇଁ ଆଉଟିସୋର୍ସିଂ ସଂସ୍ଥାରୁ ହଜାରେରୁ ଅଧିକ କର୍ମଚାରୀ ଆଣି ନିଯୁକ୍ତ ଦେବାକୁ ସୁପାରିଶ୍‍ କରାଯାଇଛି । ତଥାପି କୌଣସି କାରଣରୁ ଏଥିରେ ବିଳମ୍ବ ଯୋଗୁଁ ସହରାଞ୍ଚଳର ବହୁ ଯୋଜନା କାର୍ଯ୍ୟକାରୀ ଏକ ପ୍ରକାର ଅଚଳ ହୋଇଗଲାଣି । ସରକାର ବଦଳିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ବିଭିନ୍ନ ଯୋଜନାରେ ଥିବା ୬୦୦ କର୍ମଚାରୀ ବିଦା ହୋଇଥିଲେ । ଏମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦେବାପାଇଁ ବାରମ୍ବାର ବିଜ୍ଞାପନ ପ୍ରକାଶ ପାଉଥିଲେ ମଧ୍ୟ କୌଣସି କାରଣ ପାଇଁ ନିଯୁକ୍ତି କାର୍ଯ୍ୟ ସରୁନାହିଁ ।

ଅନ୍ୟ ପକ୍ଷରେ ବଜେଟ୍‍ ଅର୍ଥ ତୁରନ୍ତ ଖର୍ଚ୍ଚ କରିବା ସହିତ ଆଗାମୀ ଶୀତ ଅଧିବେଶନରେ ଅତିରିକ୍ତ ବଜେଟ୍‍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ବିଭାଗର ବ୍ୟୟ କରାଦ ୩୦ ପ୍ରତିଶତରୁ କମ୍‍ ରହିବା ଓ ବଜେଟ୍‍ ଅର୍ଥ ଖର୍ଚ୍ଚ କରିବା ବିଭାଗୀୟ ଅଧିକାରୀଙ୍କ ପାଇଁ ବଡ ଆହ୍ୱାନ ହୋଇଛି । (ତଥ୍ୟ)