ଭୁବନେଶ୍ୱର : ରାଜଧାନୀରେ ନିଶାଡିମାନଙ୍କ ଉତ୍ପାତ ବଢି ଚାଲିଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଭେଣ୍ଡିଂଜୋନ୍, ଛୋଟ ଛୋଟ ଦୋକାନ ଓ ଝୁମ୍ପୁଡିଘର ଏବେ ନିଶା ବେପାରୀଙ୍କ ଟାର୍ଗେଟରେ । ଏହିସବୁ ସ୍ଥାନରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ନିକଟରେ ନିଶାଯୁକ୍ତ ସିଗାରେଟ ଓ ଅନ୍ୟାନ୍ୟ ନିଶାସାମଗ୍ରୀ ପହଞ୍ଚାଇବାରେ ଲାଗିଛନ୍ତି ।
ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନଗୁଡିକରେ ସିଗାରେଟ୍, ପାନ, ଗୁଟ୍ଖା ଆଦି ବିକ୍ରି ନିଷେଧ ହୋଇଥିବାବେଳେ ତାହାକୁ ରାଜଧାନୀରେ ପ୍ରାୟତଃ କେହି ମାନୁ ନାହାନ୍ତି । ବରଂ ଅଧିକାଂଶ ସ୍ଥାନରେ ସିଗାରେଟ ସହିତ ଗଞ୍ଜେଇ ସିଗାରେଟ ବି ମିଳିଯାଉଛି । ଛାତ୍ରଛାତ୍ରୀମାନେ ଏଠାରୁ ସହଜରେ ଗୁଟ୍ଖା ପାଇ ଚୋବାଉଛନ୍ତି ।
ରାଜଧାନୀର ବିଭିନ୍ନ ବିଦ୍ୟାଳୟ ପାଚେରୀକୁ ଲାଗିକରି ବିଏମ୍ସି ଭେଣ୍ଡିଜୋନ୍ ତିଆରି କରିଛି । ଏଠାରେ ବିଭିନ୍ନ ଦୋକାନ ସହିତ ଚା’ ପାନ ଦୋକାନ ଖୋଲିବାକୁ ବି ଅନୁମତି ମିଳିଛି । ତେଣୁ ଏଠାରେ ଗୁଟ୍ଖା, ପାନ, ସିଗାରେଟ ଆଦି ସହଜରେ ଉପଲବ୍ଧ ହେଉଛି । କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସ୍କୁଲ ହତା ଭିତରେ ରହି ବି ଏହାସବୁ ପାଇଯାଉଛନ୍ତି । ନିୟମିତ ଚଢଉ ହେଉନଥିବାରୁ ଓ ଏ ସଂକ୍ରାନ୍ତରେ ଥିବା ଆଇନ୍ କଡାକଡି ପାଳନ ହେଉନଥିବାରୁ ଦୋକାନୀମାନେ ବେଧଡକ ଭାବେ ଗୁଟ୍ଖା, ସିଗାରେଟ ଆଦି ଖୋଲାଖୋଲି ଭାବେ ବିକ୍ରି କରୁଛନ୍ତି ।
ସେହିଭଳି ରାଜଧାନୀର କେତେକ ବିଦ୍ୟାଳୟ ନିକଟରେ ଛୋଟକାଟର ବସ୍ତି ବି ଗଢି ଉଠୁଛି । ଖୋଦ୍ ବିଏମସି ମୁଖ୍ୟ ଦପ୍ତର ନିକଟରେ ଏଭଳି ବସ୍ତି ଗଢି ଉଠିବା ଓ ବିଏମସିର ବାବୁମାନେ ସବୁ ଦେଖି ନଦେଖିବା ଭଳି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବସ୍ତିରେ ରହୁଥିବା ଲୋକମାନେ ନିକଟରେ ଥିବା ଡ୍ରେନକୁ ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତି । ବିଦ୍ୟାଳୟ ନିକଟରେ ଅତ୍ୟନ୍ତ ପୂତ୍ତି ଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛନ୍ତି । ସ୍ଥାନୀୟ କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ସାନିଟାରୀ ଇନ୍ସପେକ୍ଟରମାନେ ସବୁକିଛି ଦେଖୁଥିଲେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉ ଥିବାରୁ ବେଆଇନ୍ ବସ୍ତିବାସିନ୍ଦାମାନେ ବେଧଡକ ଭାବେ ରହୁଛନ୍ତି ।
କିଛିଦିନ ହେଲା ବିଏମ୍ସି, ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ ହେଉଥିବାବେଳେ ବିଦ୍ୟାଳୟଗୁଡିକ ନିକଟରେ ଗଢି ଉଠିଥିବା ଦୋକାନ ଓ ଝୁମ୍ପୁଡିଗୁଡିକୁ କିନ୍ତୁ ହଟାଇବାପାଇଁ ସେଭଳି ଆଗ୍ରହ ପ୍ରକାଶ ପାଉନାହିଁ । ଫଳରେ ବିଦ୍ୟାଳୟ ନିକଟରେ ଦିନକୁ ଦିନ ମାଂସକଟା ସହିତ ମାଛ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେବାରେ ଲାଗିଛି ।
ରାଜ୍ୟ ସରକାର ପ୍ରାୟ ୧୦ବର୍ଷ ତଳୁ ରାଜ୍ୟରେ ଗୁଟ୍ଖା, ନିକୋଟିନ୍ ଯୁକ୍ତ ପାନମସଲା ଉପରେ କଟକଣା ଲଗାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ବେଆଇନ୍ ଘୋଷଣା କରାଯାଇଛି । ହେଲେ ସରକାରଙ୍କର ଏହି କଟକଣାକୁ ଖୋଦ ରାଜଧାନୀରେ ପ୍ରାୟତଃ କେହି ମାନୁନାହାନ୍ତି । ଫଳରେ ବିଦ୍ୟାଳୟ ନିକଟରେ ଏହିସବୁ ନିଶା ସାମଗ୍ରୀ ସହଜରେ ଉପଲବ୍ଧ ହେଉଥିବାବେଳେ ସହରର ନିଶା ବେପାରୀମାନେ ଶିକ୍ଷାନୁଷ୍ଠାନକୁ ସହଜରେ ଟାର୍ଗେଟ କରିବାରେ ସଫଳ ହେଉଛନ୍ତି । (ତଥ୍ୟ)

