ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଓଡିଶାର ଚିର ସହଚର ପାଲଟିଥିବାବେଳେ ଗତ ୫ବର୍ଷ ଭିତରେ ଏହାର ମୁକାବିଲା ପାଇଁ ୨ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେଲାଣି । ଉଭୟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଓ କେନ୍ଦ୍ର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହୋଇଛି ।
ରାଜ୍ୟର ଉପକୂଳ ଜିଲ୍ଲାଗୁଡିକ ବାତ୍ୟା, ବନ୍ୟା, ବର୍ଷା, ଘୂର୍ଣ୍ଣିଝଡ ଆଦିର ସାମ୍ନା କରୁଥିବାବେଳେ ଆଭ୍ୟନ୍ତରୀଣ ଓଡିଶା ବନ୍ୟା, ମରୁଡି, ଗ୍ରୀଷ୍ମପ୍ରଦାହ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ବଦଳୁଥିବା ପାଣିପାଗରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକ ମଧ୍ୟ ବାତ୍ୟା ଓ ଘୂର୍ଣ୍ଣିଝଡର ସମ୍ମୁଖୀନ ହେଉଛନ୍ତି । ଏହାର ମୁକାବିଲା ପାଇଁ ପ୍ରତିବର୍ଷ ବିପୁଳ ଅର୍ଥ ବ୍ୟୟ ହେଉଛି ।
ବିଗତ ୫ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କଟ ଜିଲ୍ଲାରେ ସର୍ବାଧିକ ପ୍ରାୟ ୧୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଯାଜପୁରରେ ପ୍ରାୟ ୧୮୮ କୋଟି, ପୁରୀରେ ୧୮୦ କୋଟି, ଗଞ୍ଜାମରେ ୧୭୧ କୋଟି, କେନ୍ଦ୍ରାପଡାରେ ୧୫୫ କୋଟି, ଜଗତ୍ସିଂହପୁରରେ ୧୦୫ କୋଟି, ବାଲେଶ୍ୱରରେ ୧୦୦ କୋଟି, ମୟୁରଭଞ୍ଜରେ ୧୦୫ କୋଟି ଟଙ୍କା ବ୍ୟୟ ହୋଇଛି । ଗଜପତି ଜିଲ୍ଲାରେ ସବୁଠାରୁ କମ୍ ପାଖାପାଖି ଏକ କୋଯି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି ।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ଅର୍ଥ ଯୋଗାଇ ଦେଇଥାନ୍ତି । ବିଭାଗଗୁଡିକ ନିଜ ନିଜର କ୍ଷୟକ୍ଷତି ଆକଳନ କରିବା ସହିତ ଅର୍ଥ ବ୍ୟୟ କରିଥାନ୍ତି । ଏହି ୫ବର୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସର୍ବାଧିକ ୧୨୮୬ କୋଟି ଟଙ୍କା ବ୍ୟୟ କରିଥିବାବେଳେ ପଞ୍ଚାୟତିରାଜ ବିଭାଗ ୧୦୮୦ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିଛି । ଶକ୍ତି ବିଭାଗର ଖର୍ଚ୍ଚ ପରିମାଣ ୨୯୫ ୋଟି ଟଙ୍କାରୁ ଅଧିକ ରହିଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଗୃହ ବିଭାଗ ୩୦୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଜଳସମ୍ପଦ ବିଭାଗର ଖର୍ଚ୍ଚ ୧୬୦ କୋଟି ଟଙ୍କାରୁ ଅଧିକ ରହିଛି ।
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ତାହାର ପ୍ରକୃତିରେ ପରିବର୍ତ୍ତନ କରୁଥିବାରୁ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଧନ ଜୀବନ ହାନିକୁ ରୋକିବାପାଇଁ ଜନସାଧାରଣଙ୍କୁ ବିପର୍ଯ୍ୟୟର ଆଗୁଆ ସୂଚନା ପ୍ରଦାନ କରିବା ସବୁଠାରୁ ବଡ କାମ ହୋଇଥିବାବେଳେ ଏଥିପାଇଁ ସରକାର ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି । ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି ।
ଉପକୂଳ ଜିଲ୍ଲାପାଇଁ ସୁନାମୀ ନୂଆ ବିପଦ ହୋଇଥିବାବେଳେ ଏହାର ଆଗୁଆ ସୂଚନା ପାଇଁ କେନ୍ଦ୍ର ସରକାରା ଓଡିଶାର ଛଅଟି ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍ସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଜାତୀୟ ବାତ୍ୟା ଆପଦ ପ୍ରଶମନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ଏହିସବୁ ଜିଲ୍ଲାର ୧୨୨ଟି ସ୍ଥାନରେ ସତର୍କ ସୂଚନା ପାଇଁ ସାଇରନ୍ ଟାୱାର ପ୍ରତିଷ୍ଠା କରାଯାଇଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଏକୀକୃତ ୧୧୨ ହେଲ୍ପ ଲାଇନ୍ ନମ୍ବରକୁ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟବହାର କରାଯାଉଛି ।
ଓଡିଶାର ୨୦ଟି ଓଡ୍ରାଫ ବାହିନୀ ରାଜ୍ୟର ୧୫ ଜିଲ୍ଲାରେ ମୁତୟନ ହୋଇଛନ୍ତି । ଅତ୍ୟାଧୁନିକ ତାଲିମ ସହିତ ଯନ୍ତ୍ରପାତିରେ ସୁସଜ୍ଜିତ ଏହି ଜବାନମାନେ ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସକ୍ଷମ । ଓଡିଶା ଓ ଓଡିଶା ବାହାରେ ପ୍ରାକୃତି ବିପର୍ଯ୍ୟୟର ସଫଳ ମୁକାବିଲା କରି ଓଡ୍ରାଫ ବେଶ୍ ପ୍ରଶଂସା ସାଉଁଟିବାରେ ଲାଗିଛି । (ତଥ୍ୟ)

