ଭୁବନେଶ୍ୱର : ଜଙ୍ଗଲ କ୍ଷେତ୍ରଫଳ ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟାପକ ବୃକ୍ଷରୋପଣ କରୁଥିବାବେଳେ ବେଆଇନ୍ କରତକଳଗୁଡିକ କିନ୍ତୁ ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । ଗାଁ ଗହଳିରେ ଲୁଚାଛପାରେ ଚାଲିଥିବା କରତକଳ ଏବେ ସରକାରଙ୍କ ଜଙ୍ଗଲବୃଦ୍ଧି ରାସ୍ତାରେ କଣ୍ଟା ସାଜିଛନ୍ତି ।
କାଠ କାଟିବାପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମୋଟ୍ ୧୭୫ଟି କରତକଳକୁ ଅନୁମତି ଦେଇଛନ୍ତି । ଏହି କରତକଳଗୁଡିକ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ହୋଇଛି ଓ ସେମାନେ କେଉଁ କାଠ ଚିରଟ କରିବେ ତାହାର ବି ତାଲିକା ରହିଛି । ଗୋଟିଏ ସ୍ଥାନରେ କରତକଳଗୁଡିକ ଥିବାରୁ ଜଙ୍ଗଲବିଭାଗର ଅଧିକାରୀମାନେ ଏହା ଉପରେ ନଜର ରଖିବା ସହଜ ହୋଇଥାଏ । ତେବେ ଗାଁ ଗହଳର ସବୁଲୋକେ ଏମାନଙ୍କ ନିକଟରେ କାଠ କାଟିବାକୁ ଆସନ୍ତି ନାହିଁ ।
ଗାଁ ଗହଳରେ କାଠ କାଟିବାପାଇଁ ଏବେ ଛୋଟ ଛୋଟ କରତକଳ ସ୍ଥାପନ ହେଉଛି । ଏହି ଅତ୍ୟାଧୁନିକ କରତକଳଗୁଡିକ ବିଦ୍ୟୁତ୍ ଚାଳିତ ହୋଇଥିବାବେଳେ କମ୍ ଶବ୍ଦ ସୃଷ୍ଟି କରୁଥିବାରୁ ଏଗୁଡିକୁ ସହଜେ ଠାବ କରାଯ।।ଇ ପାରୁନାହିଁ । ତେବେ ଗତ ଆର୍ଥିକ ବର୍ଷରେ ୫୭ଟି ବେଆଇନ୍ କରତକଳ ଜବତ ହେବା ସହିତ ୫୩ଜଣ ଦୋଷୀଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଜବତ ହୋଇଥିବା କରତକଳଗୁଡିକରୁ ୫୨ ଘନମିଟର କାଠ ଜବତ ହୋଇଥିବାବେଳେ ପ୍ରଶାସନ ୭୪ଟି କାଠଗଣ୍ଡି ଜବତ ହୋଇଛି । ଏଥି ସହିତ ବେଆଇନ୍ କରତକଳର ଯନ୍ତ୍ରାଂଶକୁ ମଧ୍ୟ ଜବତ କରାଯାଇଛି । ପ୍ରତିବର୍ଷ କରତକଳଗୁଡିକ ଜବତ ହେଉଥିବାବେଳେ ନୂଆ ନୂଆ ବେଆଇନ୍ କରତକଳମାନ ଗଢି ଉଠୁଛି ।
ବେଆଇନ୍ ଭାବେ ଗଢି ଉଠୁଥିବା କରତକଳଗୁଡିକ ଦିନ ରାତି କାଠ କାଟିବାରେ ଲାଗିଛନ୍ତି । ବିଶେଷକରି ଯେଉଁସବୁ ଗଛ ଯଥା ଶାଳ, ଶାଗୁଆନ ଆଦି କାଠକୁ ଏମାନେ କାଟୁଛନ୍ତି । କାରଣ ଏଭଳି କାଠ ସରକାରୀ ଅନୁମତିପ୍ରାପ୍ତ କରତକଳରେ କଟାଯିବା ଏତେଟା ସହଜ ନୁହେଁ । ଏହାଛଡା ଘରଠାରୁ ଦୂରରେ ଥିବା ସରକାରୀ ଅନୁମତିପ୍ରାପ୍ତ କରତକଳଗୁଡିକରେ କାଠ ନେଇ କାଟିବା ବ୍ୟୟବହୁଳ ହୋଇଥିବାରୁ ଘର ନିକଟରେ ଥିବା ବେଆଇନ୍ କରତକଳକୁ ଲୋକେ ଯାଉଛନ୍ତି ।
ସରକାରୀ କୋଠାବାଡିରେ କାଠ ବ୍ୟବହାର ଉପରେ ସରକାର କଟକଣା ଜାରି କରିଥିବାବେଳେ ଗାଁ ଠାରୁ ସହରର ଲୋକେ କିନ୍ତୁ ଘରେ କାଠ ତିଆରି ସାମଗ୍ରୀ ବହୁଳଭାବେ ବ୍ୟବହାର କରୁଛନ୍ତି । ତେଣୁ ଚାହିଦା ମେଣ୍ଟାଇବାପାଇଁ ବେଆଇନ୍ କରତକଳ ଲୋକଙ୍କ ସାହାରା ପାଲଟିଥିବାବେଳେ ଜଙ୍ଗଲ ପଦା କରିବାରେ ଏମାନଙ୍କର ପ୍ରମୁଖ ଭୂମିକା ରହୁଛି । (ତଥ୍ୟ)

