Home General ଦଶ ହଜାର ପୁଷ୍ଟିହୀନ ଶିଶୁ

ଦଶ ହଜାର ପୁଷ୍ଟିହୀନ ଶିଶୁ

ଭୁବନେଶ୍ୱର : ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭକରି ନବଜାତକଙ୍କ ପର୍ଯ୍ୟନ୍ତ ସରକାର ସମସ୍ତଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଉଥିବାବେଳେ ସରକାରୀ ହିସାବରେ ଏବେ ବି ରାଜ୍ୟରେ ପୁଷ୍ଟିହୀନତାର ଶିକାର ଛୋଟ ଛୋଟ ଶିଶୁଙ୍କ ସଂଖ୍ୟା ପ୍ରାୟ ୧୦ ହଜାର । ଖୋଦ୍‍ ଖୋରଧା ଜିଲ୍ଲାର ଦୁଇ ଶହ ଶିଶୁ ଏହି ତାଲିକାରେ ଅଛନ୍ତି ।

ଶିଶୁଙ୍କ ଠାରେ ପୁଷ୍ଟିହୀନତା ଦୂର ପାଇଁ ସରକାର ମା’ ପେଟରୁ ଶିଶୁମାନଙ୍କ ଯତ୍ନ ନେଉଛନ୍ତି । ଗର୍ଭବତୀ ମହିଳାଙ୍କୁ କେବଳ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉନାହିଁ, ସେମାନଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇ ଦିଅଯାଉଛି । ପିଲା ଜନ୍ମ ପରେ ଆର୍ଥିକ ସହାୟତା ବି ମିଳୁଛି । ଏଥିରେ ସୁଷମଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଉଛି । ସେହିଭଳି ନବଜାତକଙ୍କୁ ବିଭିନ୍ନ ପ୍ରକାର ଭିଟାମିନ୍‍ ସହିତ ଅଙ୍ଗନବାଡିରେ ବି ପୁଷ୍ଟିକର ଖାଦ୍ୟ ମିଳୁଛି ।

ଏହା ସତ୍ୱେ ବି ସରକାର ହିସାବରେ ରାଜ୍ୟରେ ପୁଷ୍ଟହୀନତାର ଶିକାର ହେଉଥିବା ୬ମାସରୁ ୫ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ପାଖାପାଖି ୧୦ହଜାର ରହିଛି । ଏମାନଙ୍କ ମଧ୍ୟରେ ହଜାରେରୁ ଅଧିକ ଶିଶୁ ମୟୁରଭଞ୍ଜ ଜିଲ୍ଲାରେ ରହିଥିବାବେଳେ କେନ୍ଦୁଝରରେ ଏମାନଙ୍କ ସଂଖ୍ୟା ୮ଶହରୁ ଅଧିକ । ସେହିଭଳି ମାଲକାନଗିରିରେ ଏଭଳି ଶିଶୁଙ୍କ ସଂଖ୍ୟା ୬ଶହରୁ ଅଧିକ ରହିଥିବାବେଳେ ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାରେ ପୁଷ୍ଟିହୀନତାର ଶିକାର ଶିଶୁଙ୍କ ସଂଖ୍ୟା ୫ଶହାରୁ ଅଧିକ ରହିଛି । ସବୁଠାରୁ କମ୍‍ ପୁଷ୍ଟିହୀନତାର ଶିକାର ଶିଶୁ ରହିଛନ୍ତି ବୌଦ ଜିଲ୍ଲାରେ । ଏଠାରେ ୪୮ଜଣ ପୁଷ୍ଟିହୀନ ଶିଶୁ ଥିବାବେଳେ ଜଗତ୍‍ସିଂହପୁରରେ ଏହି ସଂଖ୍ୟା ୬୯ ଓ ପୁରୀରେ ୭୪ ରହିଛି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସାକ୍ଷରତା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ଏକ ନମ୍ବର ମାନ୍ୟତା ପାଇଥିବା ଖୋରଧା ଜିଲ୍ଲାରେ ୨ଶହ ପୁଷ୍ଟିହୀନ ଶିକାର ଶିଶୁ ଥିବାବେଳେ କଟକରେ ଏହି ସଂଖ୍ୟା ୨ଶହରୁ ଅଧିକ ରହିଛି । କେନ୍ଦ୍ରାପଡାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ଦେଢଶହ ରେକର୍ଡ କରାଯାଇଛି ।

ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ଶିଶୁମାନଙ୍କର ପୁଷ୍ଟି ଓ ସ୍ୱାସ୍ଥ୍ୟଗତ ଉନ୍ନତି ନିମନ୍ତେ ପରିପୂରକ ପୁଷ୍ଟି ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ସମସ୍ତ ୬ମାସରୁ ୬ବର୍ଷ ବୟସର ଶିଶୁଙ୍କୁ ପ୍ରତି ମାସରେ ୨୫ଦିନ ହିସାବରେ ବର୍ଷକୁ ୩୦୦ ଦିନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ୬ମାସରୁ ୩ବର୍ଷ ବୟସର ପିଲାଙ୍କୁ ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଦିଆଯାଉଛି । ଯେଉଁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ଅତିରିକ୍ତ ଲଡୁ ଯୋଗାଇ ଦିଆଯାଉଛି । ୩ବର୍ଷରୁ ୬ବର୍ଷ ବୟସରୁ ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ସକାଳ ଜଳଖିଆ ସହିତ ଗରମ ରନ୍ଧାଖାଦ୍ୟରେ ମାସକୁ ୨୦ଟି ଅଣ୍ଡା ମିଳୁଛି ।

ଏହାବାଦ୍‍ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଅତିଶୟ ପୁଷ୍ଟିହୀନ ପିଲାଙ୍କୁ ଛତୁଆ ଯୋଗାଇ ଦିଅଯାଉଛି । ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ଜଟିଳତା ରହୁଛି ସେମାନଙ୍କୁ ପୁର୍ନବାସ କେନ୍ଦ୍ରରୁ ପଠାଇ ସେଠାରେ ଯତ୍ନ ଦିଆଯାଉଛି । କମ୍‍ ଓଜନର ଶିଶୁଙ୍କୁ ବେସନ ଅଟା, କଦଳୀ ଓ ଅଣ୍ଡା କ୍ରମାଗତ ଭାବେ ୭୫ଦିନ ପାଇଁ ଯୋଗାଇ ଦିଆଯାଉଛି ।

ଏତେ ସବୁ ସତ୍ୱେ ସରକାରୀ ହିସାବରେ ରାଜ୍ୟରେ ୧୦ହଜାର ପିଲା ପୁଷ୍ଟିହୀନତାର ଶିକାର ବୋଲି ରେକର୍ଡ ହୋଇଛି । ତେବେ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନେ ଏହି ସଂଖ୍ୟା ବାସ୍ତବରେ ଢେର ଅଧିକ ବୋଲି ମତ ଦେଉଛନ୍ତି । ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଯୋଗାଯାଉଥିବା ଖାଦ୍ୟର ମାନକୁ କଡାକଡି ଯାଞ୍ଚ ସହିତ ଏଥିପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇ ପାରିଲେ ସ୍ଥିତିରେ ସୁଧାର ଆସିପାରନ୍ତା ବୋଲି କହୁଛନ୍ତି । (ତଥ୍ୟ)