ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନା ଅତି କ୍ଷୀଣ । ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେକଥା ଏବେଠାରୁ ମଧ୍ୟ ପୂର୍ବାନୁମାନ କରିବା ସମ୍ଭବପର ନୁହେଁ ।
ପ୍ରାୟ ଆଠବର୍ଷ ଧରି ବିଭିନ୍ନ ଆଳରେ ଓଡିଶାରେ ଛାତ୍ରସଂସଦ ନିର୍ବାଚନ ହେଉନାହିଁ । ବିଶେଷକରି କରୋନା ସମୟରୁ ଆଉ ଏ ଦିଗରେ ସରକାର ମନ ଦେଉନାହାନ୍ତି । ବିରୋଧିଦଳରେ ଥିବାବେଳେ ବିଜେପି ଛାତ୍ରସଂସଦ ନିର୍ବାଚନ ପାଇଁ ଦାବିକରି ଆସୁଥିଲା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମଧ୍ୟ ବାରମ୍ବାର ଏହି ଦାବି ଦୋହରାଉଥିଲା । ଡିଏସଓ ସମେତ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ଓ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ଲାଗି ଲଗାତାର ଦାବିହୋଇ ଆସୁଥିବାବେଳେ ଆଇନ୍ଶୃଙ୍ଖଳା ସହିତ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକର ପାଠପଢା ବାତାବରଣ ଆଦିର ଦ୍ୱାହିଦେଇ ସେତେବେଳେ ବିଜେଡି ତରଫରୁ ଏହି ପ୍ରସଙ୍ଗକୁ ଏଡାଯାଉଥିଲା ।
ଗତବର୍ଷ ଜୁନ୍ ମାସରେ ଓଡିଶାରେ ବିଜେପି ସରକାର ଗଠନ କରିବାପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ । ତେବେ ଛାତ୍ରସଂସଦ ନିର୍ବାଚନ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଆଳ ଦେଖାଇ ଗତ ଶିକ୍ଷାବର୍ଷରେ ଏହାକୁ ଏଡାଇ ଦିଆଯାଇ ଚଳିତ ଶିକ୍ଷାବର୍ଷରେ ନିଶ୍ଚିତ ଭାବେ ଛାତ୍ରସଂସଦ ନିର୍ବାଚନ ହେବ ବୋଲି କୁହାଯାଇଥିଲା ।
ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ଛାତ୍ରସଂସଦ ନିର୍ବାଚନ କାର୍ଯ୍ୟ ଶେଷ ହୋଇଥାଏ । ଏହାକୁ ଆଖିଆଗରେ ରଖି ବିଭିନ୍ନ ସେମିଷ୍ଟର ପରୀକ୍ଷାର କାର୍ଯ୍ୟନିର୍ଘଣ୍ଟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ । ତେବେ ଚଳିତ ଶିକ୍ଷାବର୍ଷରେ ନିର୍ବାଚନ ହେବ ହେବ ବୋଲି ପ୍ରତିଶ୍ରୁତି ଦେଇ ଏହାକୁ ପୂଜାଛୁଟି ପରକୁ ଗଡାଇ ଦିଆଯାଇଥିଲା । ଇତି ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକଦଳ ଏବଂ ସେମାନଙ୍କର ଯୁବ ଛାତ୍ର ସଂଗଠନଆଦି ବ୍ୟସ୍ତ ଥିବାରୁ ଅନ୍ତତଃ ପକ୍ଷେ ନଭେମ୍ବର ୧୫ ପୂର୍ବରୁ ଆଉ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରାଯାଇ ପାରିବନାହିଁ ।
ଇତି ମଧ୍ୟରେ ସ୍ନାତକ ଓ ସ୍ନତକୋତ୍ତର ଶ୍ରେଣୀ ମଧ୍ୟରେ ପାଠପଢା ଜୋରଦାର ଚାଲିଥିବାବେଳେ ବିଭିନ୍ନ ବିଷୟର ପରୀକ୍ଷା ବି ମୁଣ୍ଡ ଉପରେ । ଯୁକ୍ତ ଦୁଇ ଲାଗି ଇତି ମଧ୍ୟରେ ପରୀକ୍ଷା କାର୍ଯ୍ୟକ୍ରମ ଆପାତତଃ ଘୋଷଣା ସରିଛି । ଏହି ଭିତ୍ତିଭୂମିରେ ଆଉ ଏବର୍ଷ ନିର୍ବାଚନ ହୋଇନପାରେ ।
ଗୋଟିଏ ପଟେ ସଂଖ୍ୟାଧିକ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନଥିବାବେଳେ ଡିଗ୍ରୀ ଓ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନଗୁଡିକରୁ ଅଧିକାଂଶରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ମାଳ ମାଳ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଛି । ଏ ପରିପ୍ରେକ୍ଷୀରେ ଅତିଥି ଅଧ୍ୟାପକ ପାଠପଢା ପାଇଁ ଏକମାତ୍ର ଭରସା ଥିବା ପରିପେକ୍ଷୀରେ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରସଂସଦ ସପକ୍ଷରେ ନାହାନ୍ତି । ଆଇନ୍ଶୃଙ୍ଖଳା ଓ ଶୈଖିକ ବାତାବରଣକୁ ସେମାନେ ମୁଖ୍ୟ ପ୍ରସଙ୍ଗ କରୁଥିବାବେଳେ ଅନେକ ଅଭିଭାବକ ବି ନିର୍ବାଚନ ସପକ୍ଷରେ ନାହାନ୍ତି । ଦିଲ୍ଲୀ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାବେଳେ ଓଡିଶାରେ କିନ୍ତୁ ଏହା ହୋଇପାରୁ ନାହିଁ । ଏଥିଲାଗି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ ଉଚ୍ଚମାନର ନାକ୍ ଗ୍ରେଡିଂ ପାଇବାରୁ ମଧ୍ୟ ବଞ୍ଚିତ ହେଉଥିବା କୁହାଯାଉଛି । (ତଥ୍ୟ)