ଭୁବନେଶ୍ୱର : ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀ ବା ବିଇଓ ସଂଯୁକ୍ତା ମହାପାତ୍ରଙ୍କ ବିରୁଦ୍ଧରେ ଅଭିଭାବକ ମହାସଂଘ ଫେରାଦ ହୋଇଛି । ବିଇଓ ବ୍ୟାପକ ଭାବେ ଆର୍ଥିକ ଅନିୟମିତତା ଓ ପ୍ରିୟାପ୍ରୀତିରେ ଲିପ୍ତ ଅଭିଯୋଗ କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି ମହାସଂଘ । ତୁରନ୍ତ ନିଲମ୍ବନ ସହ ନିରପେକ୍ଷ ତଦନ୍ତ ଦାବି ବି କରିଛି ।
ଅଭିଯୋଗ ପରେ ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତଙ୍କୁ ନାଲି ଆଖି ଦେଖେଇ ପାଟି ଚୁପ କରେଇଦଉଥିବା ବିଇଓ ମାଡମ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ରାଜ୍ୟ ଅଭିଭାବକ ମହାସଙ୍ଘ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାସନର ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ନିଶ୍ଚିନ୍ତକୋଇଲି ବିଇଓ ସରକାରଙ୍କ ସ୍ଵଛତା ନାରକୁ ଦଳିମକଚି ଫୁ କରିଦେଇଛନ୍ତି ।
ମହାସଙ୍ଘ ଆଣିଥିବା ଅଭିଯୋଗ ଅନୁଯାୟୀ ବିଇଓ ମାଡମ କିଛି କ୍ଲଷ୍ଟର ରିସୋର୍ସ ସେଣ୍ଟର ସଂଯୋଜକ ଓ କିଛି ଶିକ୍ଷକଙ୍କୁ ମଧ୍ୟସ୍ଥି ଭାବେ ରଖି ସ୍କୁଲ ଉନ୍ନିତିକରଣ ପାଇଁ ଆସୁଥିବା ଅର୍ଥକୁ ହରିଲୁଟ କରୁଛନ୍ତି। ଯାହାଦ୍ୱାରା ଶିଖାର୍ଥୀଙ୍କ କଲ୍ୟାଣ ପାଇଁ ଆସୁଥିବା ସହାୟତାକୁ ଅନ୍ୟ ବାଟରେ ଖର୍ଚ୍ଚ କରାଯାଉଛି । ସେହିଭଳି ବିଇଓ ମାଡମଙ୍କ ଏକଛତ୍ରବାଦ ଓ ପ୍ରିୟାପ୍ରୀତି ନେଇ ମଧ୍ୟ ମାହାସଙ୍ଘ ପ୍ରମାଣ ଭିତ୍ତିକ ଅଭିଯୋଗ କରିଛି । କିଛି ଶିକ୍ଷକଙ୍କୁ ବିଇଓ ମାଡମ ଅହେତୁକ ଅନୁକମ୍ପା ଦେଖାଉଥିବା ବେଳେ କିଛି ସ୍ଵଛ ଶିକ୍ଷକଙ୍କୁ ବେନିୟମ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି । ଏହାଦ୍ୱାରା ନିଶ୍ଚିନ୍ତକୋଇଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପଥଗାମୀ ହୋଇଛି ବୋଲି ମାହାସଙ୍ଘ ଅଭିଯୋଗ କରିଛି ।
ଯେଉଁ ଶିକ୍ଷକମାନେ ବିଇଓଙ୍କ ଅନୈତିକ କାର୍ଯ୍ୟରେ ସହଯୋଗ କରନ୍ତିନି ସେମାନଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ସହ ଉପାନ୍ତ ଅଂଚଳକୁ ବଦଳି କରାଯାଉଛି । ଏଭଳି ଆକ୍ରୋଶର ଶିକାର ହୋଇଥିବା କିଛି ଶିକ୍ଷକଙ୍କ ଉଦାହାରଣ ମହାସଙ୍ଘ ସଚିବଙ୍କୁ ଦେଇଛି । ନିଶ୍ଚିନ୍ତକୋଇଲି ବ୍ଲକରେ ଶିକ୍ଷାର ଉନ୍ନତି ପାଇଁ ସମ୍ପୃକ୍ତ ବିଇଓଙ୍କୁ ତୁରନ୍ତ ନିଲମ୍ବନ ସହ ନିରପେକ୍ଷ ତଦନ୍ତ ଦାବି କରିଛି ମହାସଙ୍ଘ। ଏଥିସହ ବିଇଓଙ୍କ କଳା କାରନାମର ତାଲିକା ଦେଇଥିବା ଶିକ୍ଷକଙ୍କ ସୁରକ୍ଷା ମଧ୍ୟ ଦାବି କରିଛି ।