Home Education ପଦବୀ ପୂରଣ ପାଇଁ ଅପେକ୍ଷା ଆରବର୍ଷକୁ

ପଦବୀ ପୂରଣ ପାଇଁ ଅପେକ୍ଷା ଆରବର୍ଷକୁ

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ଶେଷ ସୁଦ୍ଧା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ପ୍ରଶାସକ ପଦବୀ ପୂରଣ ହେବା ସମ୍ଭାବନା କ୍ଷୀଣ । ଏଥିପାଇଁ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅତି କମ୍‍ରେ ଆଉ ଅନ୍ୟୁନ ୧୦ମାସ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଶିକ୍ଷାବିତ୍‍ମାନେ ଆଶଙ୍କା କରୁଛନ୍ତି ।

ଏବେ ରାଜ୍ୟର ଅନ୍ୟୁନ ୧୬ଟି ସରକାରୀ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଛି । ଏଥିମଧ୍ୟରୁ ୧୪ଟି ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ରହୁଥିବାବେଳେ ଆଉ ଗୋଟିଏ ଲେଖାଏଁ ବିଶ୍ୱବିଦ୍ୟାଳୟ କୃଷି ଓ ସଂସ୍କୃତି ବିଭାଗ ନିୟନ୍ତ୍ରଣରେ ରହିଛି । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଏବେ ଭାରପ୍ରାପ୍ତ କୁପଳତିଙ୍କ ଦ୍ୱାରା ପରିଚାଳିତ ହେଉଛି ।

ଆଇନ୍‍ଗତ ବ୍ୟବସ୍ଥା ମୁତାବକ କୁଳପତିମାନଙ୍କ କାର୍ଯ୍ୟକାଳ ପୂରିବାର ଢେର ସମୟ ଆଗରୁ ନୂଆ କୁଳପତି ନିଯୁକ୍ତି ଲାଗି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ବିଭାଗୀୟ କର୍ତ୍ତୃପକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିବା ଏବଂ ବିଜ୍ଞପ୍ତି ପ୍ରକାଶ ପରେ ମିଳୁଥିବା ଆବେଦନ ପତ୍ରଗୁଡ଼ିକର ତନଖି କରି ପରବର୍ତ୍ତୀ ପଦକ୍ଷେପ ବିଳମ୍ବ କରିବା ଘେନି କୁଳପତି ନିଯୁକ୍ତି ଗଡ଼ିଗଡ଼ି ଚାଲିଛି । ଏବେ ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଲାଗି ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି । ଆଶା କରାଯାଉଛି ସବୁ ଠିକ୍‍ଠାକ୍‍ ଚାଲିଲେ ଉଚ୍ଚ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ପଦବୀଗୁଡ଼ିକ ପୂରଣ ହେବାକୁ ଆଉ ପ୍ରାୟ ୩ମାସ ସମୟ ଲାଗିପାରେ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ପୂରିଯିବା ପରେ ତାଙ୍କୁ ଆଉ ୩ବର୍ଷ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିବାକୁ କୁହାଯାଇଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ପୂରିବାର ଅନ୍ୟୁନ ୩ମାସ ଆଗରୁ ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଯେ ନୂଆ କୁଳପତି ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କଲେ ନାହିଁ ତାହା ଚିନ୍ତାର ବିଷୟ ।

ଉତ୍କଳ, ରମାଦେବୀଠାରୁ ଆରମ୍ଭ କରି ରାଜ୍ୟର ଚାରିଆଡ଼େ କୁଳପତି ପଦବୀ ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଖାପାଖି ଦେଢ଼ ହଜାର ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରଫେସର ଓ ସହଯୋଗୀ ପ୍ରଫେସର ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ପୂରଣ ଲାଗି ବ୍ୟବସ୍ଥା ଅଛି । ସହକାରୀ ପ୍ରଫେସର ପଦବୀ ସିଧାସଳଖ ପୂରଣ କରାଯିବା କଥା । କୁଳପତି ନିଯୁକ୍ତି ପରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସିଣ୍ଡିକେଟ୍‍ ପୁନଃଗଠିତ ହେବ ଏବଂ ଏହା ପରେ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦବୀଗୁଡ଼ିକ ପାଇଁ ବିଜ୍ଞାପନ ପ୍ରକାଶ କରାଯାଇ ପ୍ରାର୍ଥୀ ଚୟନ ସରିଲା ବେଳକୁ ଚଳିତ ଶିକ୍ଷା ବର୍ଷ ଶେଷ ହୋଇଯାଇଥିବ ।

ସେହିପରି ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨ହଜାରରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଛି । ଜଣେ ଜଣେ ସେକ୍‍ସନ୍‍ ଅଫିସରଙ୍କୁ ଏକାଧିକ ସେକ୍‍ସନ୍‍ର ଦାୟିତ୍ୱ ଦିଆଯାଉଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ପରିସ୍ଥିତି ଏତେ ଉତ୍କଟ ହୋଇଛି ଯେ ଶିକ୍ଷକ, ପ୍ରଶାସକ ଓ କର୍ମଚାରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସଭବନଗୁଡ଼ିକରୁ ଅଧାରୁ ଅଧିକ ଖାଲି ପଡି ଭୂତକୋଠି ଭଳି ରହିଥିବାବେଳେ ତାହା ଆବଣ୍ଟିତ ହୋଇପାରୁ ନାହିଁ । ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବି ଅନୁରୂପ ସମସ୍ୟା ଲାଗି ରହିଛି । ଏଥିଯୋଗୁ ପାଠପଢ଼ା ସହିତ ପ୍ରଶାସନିକ କାର୍ଯ୍ୟ, ଗବେଷଣା ଏମିତିକି ପରୀକ୍ଷା ପରିଚାଳନା ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଭଳି ସମସ୍ୟା ଲାଗି ରହିଲେ ଆଗାମୀ ଦିନରେ ସମସ୍ୟା ଅଧିକ ଉତ୍କଟତର ହେବ ବୋଲି ପ୍ରାକ୍ତନ ପ୍ରଫେସରମାନେ କ୍ଷୋଭର ସହ କହୁଛନ୍ତି । (ତଥ୍ୟ)