ଭୁବନେଶ୍ୱର : ଇନ୍ଦୋରର ମହାରାଣୀ ଅହଲ୍ୟାବାଇ ହୋଲକରଙ୍କ ଠାରୁ ଆରମ୍ଭକରି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ସ୍ମୃତିଚାରଣ ଲାଗି ଓଡିଶାରେ ବର୍ଷବ୍ୟାପି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିବାବେଳେ ଦେଶପାଇଁ ବଳିଦାନ ଦେଇଥିବା ଅମର ଶହୀଦ ଲକ୍ଷ୍ମଣ ନାଏକ ଏବଂ ସେବା, ସଂଗ୍ରାମ ଓ ତ୍ୟାଗର ପ୍ରତୀକ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ କିନ୍ତୁ ସେମାନଙ୍କ ଜନ୍ମମାଟି ଓଡିଶାରେ ପାଳିତ ହୋଇପାରୁ ନାହିଁ । ଅବଶ୍ୟ କେତେକ ସ୍ଥାନରେ ବେସରକାରୀ ଭାବେ ଏହି ଦୁଇ ମହାମନିଷୀଙ୍କ ସ୍ମୃତିଚାରଣ ଉତ୍ସବ ଅନୁଷ୍ଠିତ ହୋଇଛି ।
ଏବର୍ଷ ଇନ୍ଦୋରର ତତ୍କାଳୀନ ମହାରାଣୀ ଅହଲ୍ୟାବାଈ ହୋଲକରଙ୍କର ୩୦୦ତମ ଜନ୍ମବାର୍ଷିକୀ ଓଡିଶା ସମେତ ସାରା ଦେଶରେ ପାଳନ କରାଯାଇଛି । ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବ ଅନୁଷ୍ଠାନମାନ ସରକାରୀ ସ୍ତରରେ ଆୟୋଜନ କରାଯିବା ସହିତ ବ୍ୟାପକ ବିଜ୍ଞାପନ ମଧ୍ୟ ଛପାଯାଇଛି । ସେହିପରି ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପାଇଁ ବର୍ଷବ୍ୟାପି ୧୨୫ତମ ଜନ୍ମବାର୍ଷିକୀ ପାଳିତ ହେଉଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଓଡିଶାରେ ପାଳନ କରାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମବାର୍ଷିକୀ ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଳନ କରୁଥିବାବେଳେ ଏବେ ଦେଶର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଜନ୍ମଶତବାର୍ଷିକୀ ଏବଂ ଲୌହମାନବ ପୂର୍ବତନ ଉପପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଓଡିଶାରେ ସରକାରୀ ଓ ବେସରକାରୀ ସ୍ତରରେ ପାଳନ କରାଯାଇଛି ।
୧୮୯୯ ମସିହା ନଭେମ୍ବର ୨୨ତାରିଖରେ ଲକ୍ଷ୍ମଣ ନାଏକଙ୍କର ଏବଂ ସେହିବର୍ଷ ଡିସେମ୍ବର ୩ତାରିଖରେ ମା’ ରମାଦେବୀଙ୍କର ଜନ୍ମ ହୋଇଥିଲା । ଅବଶ୍ୟ ରାଜ୍ୟ ସରକାର ପ୍ରତିବର୍ଷ ଲକ୍ଷ୍ମଣ ନାଏକଙ୍କ ସ୍ମୃତି ଦିବସ ପାଳନ କରିଥାନ୍ତି । ତେବେ ଆଶା କରାଯାଉଥିଲା ବର୍ଷବ୍ୟାପି ସାରା ଓଡିଶାରେ ଶହୀଦ ଲକ୍ଷ୍ମଣ ନାଏକ ଏବଂ ମା’ରମାଦେବୀଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ସରକାରୀ ସ୍ତରରେ ପାଳନ କରାଯିବ ବୋଲି । ମା’ ରମାଦେବୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ କରିବାପାଇଁ ଗତ ଜାନୁୟାରୀ ୨ତାରିଖରେ ରାଜଧାନୀର ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଲା ମଞ୍ଚରେ ଘୋଷଣା କରିଥିଲେ ମଧ୍ୟ ଏଯାବତ୍ ସଂସ୍କୃତି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ହୋଇନାହିଁ ।
ଖୁବ୍ଶୀଘ୍ର ଶହୀଦ ଲକ୍ଷ୍ମଣ ନାଏକ ଓ ମା’ ରମାଦେବୀଙ୍କର ୧୨୫ତମ ଜନ୍ମବାର୍ଷିକୀ ବେସରକାରୀ ସ୍ତରରେ ସମାପନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ ଉପଲକ୍ଷେ ଓଡିଶାରେ ସେବା ପକ୍ଷ ମଧ୍ୟ ପାଳିତ ହୋଇଛି । ଏହାଛଡା ଓଡିଶା ସରକାର ଏହି ଅବସରରେ ୭୫ଲକ୍ଷ ବୃକ୍ଷରୋପଣ କରିବେ ବୋଲି ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ ତାହା ସୀମା ଟପିଯାଇଛି ।
ଇତି ମଧ୍ୟରେ ସରକାରୀ ଉତ୍ସବ ପାଳନ କ୍ୟାଲେଣ୍ଡରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମ ଯୋଡି ହୋଇଛି । ଏଥିପାଇଁ ମଧ୍ୟ ଜୟଦେବଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ଆଶା କରାଯାଉଛି ଖୁବଶୀଘ୍ର ରାଜ୍ୟ ସରକାର ଶହୀଦ ଲକ୍ଷ୍ମଣ ନାଏକ ଓ ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ବର୍ଷବ୍ୟାପି ପାଳନ କରିପାରିନଥିଲେ ମଧ୍ୟ ଅନ୍ୟୁନ ଏହି ମହାମନିଷୀମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ମାସେବ୍ୟାପି କାର୍ଯ୍ୟକ୍ରମ ରଖିବେ । (ତଥ୍ୟ)