ଭୁବନେଶ୍ବର : ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା । ଆସନ୍ତା ୨ରୁ ୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ । ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍ ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ମୋଟ୍ ୧୭ଟି ବିଶ୍ବବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି । ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହା ଉପରେ ଗୁରୁତ୍ବ ଦେଇଛନ୍ତି ।
ଆଲୋଚନା ବେଳେ ରାଜ୍ୟପାଳ ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ ରହିଛି । ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ଉଦ୍ ବେଗ ପ୍ରକାଶ କରିବା ସହ ମହିଳା ବିରୋଧୀ ହିଂସା ରୋକିବାକୁ ତ୍ବରିତ୍ ଦଣ୍ଡବିଧାନ ଉପରେ ଗୁରୁତ୍ବ ଦେଇଛନ୍ତି । ବାଲେଶ୍ବର, ଗୋପାଳପୁର ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ଅପରାଧୀ ପଛାଇବେ ବୋଲି ରାଜ୍ୟପାଳ କହିଛନ୍ତି ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ଯୋଜନା ସଂପର୍କରେ ଗଣମାଧ୍ୟମ ଦ୍ୱାରା ଅଧିକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଏହା ଦ୍ୱାରା ଅଧିକ ଲୋକ ବିଭିନ୍ନ ଯୋଜନାର ସୁଫଳ ପାଇ ପାରିବେ ବୋଲି ରାଜ୍ୟପାଳ କହିଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା, ଅଟଳ ପେନ୍ସନ ଯୋଜନା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ପ୍ରମୁଖ ଯୋଜନାଗୁଡ଼ିକ ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ । ଅନେକ ଲୋକ ଏ ପର୍ଯ୍ୟନ୍ତ ଏହି ଯୋଜନାଗୁଡ଼ିକ ସଂପର୍କରେ ଅଜ୍ଞ ଅଛନ୍ତି । ଯଦି ଗଣମାଧ୍ୟମ ଦ୍ୱାରା ଏସବୁ ଯୋଜନା ସଂପର୍କରେ ଅଧିକ ପ୍ରଚାରପ୍ରସାର କରାଯାଏ, ତେବେ ଏହାଦ୍ୱାରା ଜନସାଧାରଣ ସଚେତନ ହୋଇପାରିବେ ଏବଂ ଅଧିକ ଲୋକ ବିଭିନ୍ନ ଯୋଜନାରେ ସୁବିଧା ହାସଲ କରିପାରିବେ ଏବଂ ଉପକୃତ ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରଥମ ଛଅମାସର କାର୍ଯ୍ୟକାଳର ଉଲ୍ଲେଖନୀୟ ପଦକ୍ଷେଗୁଡ଼ିକୁ ପ୍ରଦର୍ଶିତ କରୁଥିବା ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଉକ୍ତ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ପାରସ୍ପରିକ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।