କଟକ : ଅଭ୍ୟାସଗତ ଭାବେ ମୋଟର ଯାନ ଆଇନ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ରାଜ୍ୟବ୍ୟାପୀ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏ ନେଇ ପ୍ରସ୍ତୁତ କରିବେ ତାଲିକା । ସଡ଼କରେ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ବିପଦ ସାଜିଥିବା ଏଭଳି ଗାଡ଼ି ଗୁଡ଼ିକର ପଞ୍ଜିକରଣ ସାର୍ଟିଫିକେଟ (ଆରସି) ରଦ୍ଦ ପାଇଁ ପଦକ୍ଷେପ ନେବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ଆୟୁକ୍ତ ।
ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଉପ ପରିବହନ ଆୟୁକ୍ତ, ଆରଟିଓ, ଅତିରିକ୍ତ ଆରଟିଓ ଭର୍ଚ୍ଚୁଆଲରେ ଭାଗନେଇଥିଲେ ।ମୁଖ୍ୟତଃ,ସଡ଼କ ଦୁର୍ଘଟଣାହ୍ରାସ ପାଇଁ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀତଥା ବେପରୁଆ ଚାଳକଙ୍କ ଉପରେ ନିୟନ୍ତ୍ରଣଓ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବକେୟା ଇ-ଚାଲାଣର ଏକାକାଳୀନ ପୈଠରେ ରିହାତି ଯୋଜନାର ଜନସାଧାରଣ କିଭଳି ଲାଭ ପାଇବେ ସେ ସଂପର୍କରେ ଆଲୋଚନା ହୋଇଥିଲା ।
ବୈଠକର ନିଷ୍ପତ୍ତି ଅନୁଯାୟୀ, ଅଧିକ ସଂଖ୍ୟାରେ ଚାଲାଣ ବକେୟା ଥିବା ଗାଡ଼ିର ତାଲିକା ପ୍ରସ୍ତୁତ କରାଯିବ । ସେମାନଙ୍କୁ ଚାଲାଣ ପୈଠ କରିବାକୁ ପଞ୍ଜିକୃତ ନମ୍ବରରେ ସୂଚନା ପ୍ରଦାନ କରାଯିବ । ତଥାପି ଯଦି ନିୟମ ଉଲ୍ଲଙ୍ଘନକାରୀ ବକେୟା ଚାଲାଣ ପୈଠ ନ କରନ୍ତି, ମୋଟର ଯାନ ଆଇନ ଅନୁଯାୟୀ ଆରଟିଓ ମାନେ ନୋଟିସ୍ ପଠାଇବେ । ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏପରିକି ସେହି ଗାଡ଼ି ଗୁଡ଼ିକର ପଞ୍ଜିକରଣ ରଦ୍ଦ ପାଇଁ ମଧ୍ୟ ପଦକ୍ଷେପ ନେବେ ।
ସେହିଭଳି ବେପରୁଆ ଗାଡ଼ି ଚାଳନା କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ ସାଜୁଥିବା ଗାଡ଼ି ଗୁଡ଼ିକ ଉପରେ ନଜର ରଖାଯିବ । ସେଭଳି ଗାଡ଼ି ଗୁଡ଼ିକର ମଧ୍ୟ ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ ଓ ରଦ୍ଦ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ, ଏବେ ଚାଲିଥିବା ବକେୟା ଇ-ଚାଲାଣ ପୈଠରେ ରିହାତି ଯୋଜନା (ଓଟିଏସ୍)ର ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର କରାଯିବ । ପ୍ରତି ଆରଟିଓରେ ଏଥିପାଇଁ ସ୍ୱତନ୍ତ୍ର କାଉଣ୍ଟର ରହିବ । ସେଭଳି ଅନଲାଇନରେ ଇ-ଚାଲାଣ ପୈଠ ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରାଯିବ । ତେବେ ଅନଲାଇନରେ ଚାଲାଣ ପୈଠ ବେଳେ ସର୍ବଦା କେବଳ ପରିବହହନ ବିଭାଗ ଦ୍ୱାରା ଜାରି ଓ୍ୱେବସାଇଟ-https://echallan.parivahan.gov.in/ ରେ କ୍ଲିକ୍ କରିବାକୁ କୁହାଯାଇଛି । ସାଇବର ଠକାମୀପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ସହ ନିୟମ ମାନୁଥିବା ଗାଡ଼ି ବ୍ୟବହାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ଷ ବର୍ଷ ଧରି ଇ-ଚାଲାଣ ବକେୟା ଥିଲେ ମଧ୍ୟ ତାହା ପୈଠ କରୁ ନ ଥିବା ଗାଡ଼ି ମାଲିକଙ୍କୁ ଚିହ୍ନଟ କରି ମୋଟର ଯାନ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ । ଏଥିରୁ ବର୍ତ୍ତିବାକୁ ଇ-ଚାଲାଣ ପୈଠ କରିବାକୁ ଏସଟିଏ ପକ୍ଷରୁ ପରାମର୍ଶଦିଆଯାଇଛି ।ଏହାସହ ଏହାମଧ୍ୟ ସୂଚନା ପ୍ରଦାନ କରାଯାଇଛି ଯେ, ଓଟିଏସ୍ ଯୋଜନାରେ ଉଭୟ ପରିବହନ ଓ ପୋଲିସ ଦ୍ୱାରା ଜାରି ଇ-ଚାଲାଣରେ ମିଳିପାରିବ । ବିଜ୍ଞପ୍ତିରେ ଥିବା ନିର୍ଦ୍ଦିଷ୍ଟ 24ଟି ଧାରାରେ 31 ଜୁଲାଇ 2025 ପର୍ଯ୍ୟନ୍ତ ଜାରି ଇ-ଚାଲାଣରେ ଏହାର ଲାଭ ମିଳିବ ।