ଭୁବନେଶ୍ୱର : ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପାଇଁ ଗୁଜୁରାଟରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ପରିପ୍ରେକ୍ଷୀରେ ଓଡିଶାର ଅନେକ ମନ୍ତ୍ରୀଙ୍କ ଛାତି ଧଡ ଧଡ ହେଲାଣି । ଯେକୌଣସି ସମୟରେ ଓଡିଶାରେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହେବାର ସମ୍ଭାବନା ରହିଛି ବୋଲି ଅନେକ ଦଳୀୟ ନେତା ବ୍ୟକ୍ତିଗତ ଭାବେ କହୁଛନ୍ତି ।
ଓଡିଶା ମନ୍ତ୍ରୀମଣ୍ଡଳରେ ୨୨ଜଣ ରହିବାର ବ୍ୟବସ୍ଥା ଥିବାବେଳେ ୨୦୨୪ ଜୁନ୍ ୧୨ ତାରିଖରେ ୧୬ଜଣ ଶପଥ ନେଇଥିଲେ । ମନ୍ତ୍ରୀ ପରିଷଦରେ ଆଉ ୬ଟି ସ୍ଥାନ ଖାଲି ରହିଛି । ତେବେ ଏହା ପୂରଣ କରିବା ନକରିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର ହୋଇଥିଲେ ମଧ୍ୟ ବିଜେପି ଏକ ରାଷ୍ଟ୍ରୀୟ ଦଳ ହୋଇଥିବାରୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବ ବସ୍ତୁତଃ ତାହା ରାଜ୍ୟରେ ଘଟିବ । ମନ୍ତ୍ରୀପରିଷଦରୁ କାହାକୁ ବିଦା ନକରି ଯଦି ସମସ୍ତେ ଏକ ସଙ୍ଗେ ଇସ୍ତଫା ଦେଇଦିଅନ୍ତି ତେବେ ପୁରୁଣା ମନ୍ତ୍ରୀଙ୍କ ସହିତ କିଛି ନୂଆ ମୁହଁଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରିବା ସହଜ ହେବବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତ ।
ନୂଆ ସରକାର ଗଢାଯିବାର ଇତି ମଧ୍ୟରେ ୧୬ମାସ ପୂରଣ ହେବାକୁ ଯାଉଥିବାବେଳେ କେବଳ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ନୂଆ ସରକାରୀ ଓକିଲ ପ୍ୟାନେଲ ନିଯୁକ୍ତି ପାଇଛନ୍ତି । ଜିଲ୍ଲା ଅଦାଲତଗୁଡିକରେ ଆଜିର ଦିନରେ ବି ବିଜେଡି ଆଇନ୍ଜୀବୀ ସାମୁଖ୍ୟର ଛାମୁଆ ନେତାଙ୍କ ସମେତ ସେମାନଙ୍କର ବହୁ ସମର୍ଥକ କାମ କରୁଥିବାରୁ ବିଜେପିରେ ବର୍ଷ ବର୍ଷ ଧରି କାମ କରିଥିବା ଓକିଲମାନେ ସରକାରୀ ନିଯୁକ୍ତି ନପାଇ ନିରାଶ ହେଉଛନ୍ତି ।
ସେହିଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବୋର୍ଡ, ନିଗମ ଓ କମିଶନଗୁଡିକ ମଧ୍ୟରୁ କେବଳ ଶିଶୁ ସୁରକ୍ଷା ଅଧିକାର କମିଶନ ଓ ମହିଳା କମିଶନରେ ବିଜେପିର କିଛି ନେତ୍ରୀ ନିଯୁକ୍ତ ହୋଇଛନ୍ତି । ଅନ୍ୟ ସଂସ୍ଥାଗୁଡିକରେ କିନ୍ତୁ ଏଯାବତ୍ ନିଯୁକ୍ତି ଦିଆଯାଇ ପାରିନାହିାଁ ଏଥିଲାଗି ବହୁବାର ତାଲିକା ପ୍ରସ୍ତୁତ ହୋଇ ସଂଶୋଧନ ସରିଲାଣି । ଖୁବ୍ଶୀଘ୍ର ଏହି ପଦବୀଗୁଡିକରେ ନିଯୁକ୍ତି ଦିଆଯିବ ବୋଲି ବହୁବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି କହିଛନ୍ତି । ଏହାଛଡା ଓଡିଶାର ବିଜେପି ପ୍ରଭାରୀ ମଧ୍ୟ ପୂର୍ବରୁ ସୂଚନା ଦେଇଥିଲେ ଯେ ସେପ୍ଟେମ୍ବର ଶେଷ ପୂର୍ବରୁ ଏହି ପଦବୀଗୁଡିକ ପୂରଣ କରାଯିବ ବୋଲି ।
ଓଡିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଉର୍ଦ୍ଦୁ ଏକାଡେମୀ, ଭାଷା ପ୍ରତିଷ୍ଠାନ ଆଦିରେ ମଧ୍ୟ କର୍ମକର୍ତ୍ତା ନିଯୁକ୍ତି ନକରି ସରକାରୀ ଅଧିକାରୀମାନଙ୍କ ଦ୍ୱାରା କାମ ଚଳାଯାଉଛି । ଏଗୁଡିକରେ ନିଯୁକ୍ତି ପାଇବାପାଇଁ ସରକାର ଆସିବା ପରଠାରୁ ଅପେକ୍ଷା କରି କରି ଅନେକଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି । ଏବେ ଏକାଡେମୀରେ ନିଯୁକ୍ତି ପ୍ରସଙ୍ଗ ଘେନି ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହେଲାଣି । ପଦବୀ ସବୁ ପୂରଣ କରାନଯିବା ପଛରେ କ’ଣ ବାଧ୍ୟ ବାଧକତା ରହିଛି ତାହା କେହି ସ୍ପଷ୍ଟ କରୁନାହାନ୍ତି ।
ଗତ ବିଜେଡି ସରକାର ସମୟରେ ବିଭିନ୍ନ ବିଭାଗ ଓ ସଂସ୍ଥାରେ ଉପଦ୍ଦେଷ୍ଟାମାନ ନିଯୁକ୍ତ କରାଯାଉଥିଲା । ଏଥିରେ ବହୁ ଦଳୀୟ ଲୋକ ଥଇଥାନ ହେଉଥିଲେ । ବିଜେପି ସରକାର ଆସିବାପରେ ପୁରୁଣା ଉପଦ୍ଦେଷ୍ଟାମାନେ ଓହରି ଯାଇଛନ୍ତି । ସେମାନଙ୍କ ସ୍ଥାନରେ ଆଉ କାହାକୁ ନୂଆ ଉପଦ୍ଦେଷ୍ଟା କରାଯାଉନାହିଁ । ଏହାଛଡା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଯୋଜନାବୋର୍ଡ ବୈଠକ ଗତ ସରକାର ସମୟରେ ପ୍ରାୟ ୧୫ବର୍ଷ ଧରି ବସିନଥିଲା । ବର୍ତ୍ତମାନର ସରକାର ଯୋଜନା ପରେ ଯୋଜନା କରୁଥିବାବେଳେ ଯୋଜନାବୋର୍ଡକୁ କିନ୍ତୁ ନୀତି ଆୟୋଗ ଢାଞ୍ଚାରେ କରିପାରୁ ନାହାନ୍ତି । ସେହିପରି ଜିଲ୍ଲା ଯୋଜନା କମିଟିଗୁଡିକରେ ଅନେକ ବିଧାୟକଙ୍କୁ ପୂର୍ବରୁ ଅଧ୍ୟକ୍ଷ ରଖାଯାଉଥିଲା । ଏମାନଙ୍କୁ ସବୁ ମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳୁଥିଲା । କେତେକ ଜିଲ୍ଲାରେ ଅବଶ୍ୟ ମନ୍ତ୍ରୀମାନେ ଯୋଜନା କମିଟିର ଅଧ୍ୟକ୍ଷ ରହିଥିଲେ । ଏବେ ଗୋଟିଏ ହେଲେ ଜିଲ୍ଲାରେ ଯୋଜନା କମିଟିର କେହି ଅଧ୍ୟକ୍ଷ ନିଯୁକ୍ତି ପାଇନାହାନ୍ତି । ଏଥିଯୋଗୁଁ ଅନେକ କାର୍ଯ୍ୟକ୍ରମ ବ୍ୟାହତ ହେଉଛି ବୋଲି ବାରମ୍ବାର ଅଭିଯୋଗ ଆସୁଛି । ତେବେ ଜାଣିବା ଶୁଣିବା ମହଲ କହୁଛନ୍ତି ଯେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପରେ ପରେ ତୁରନ୍ତ ଅନ୍ୟ ରାଜନୈତିକ ନିଯୁକ୍ତି ଦିଆଯାଇପାରେ । (ତଥ୍ୟ)