Home News in Odia ନବୀନ ଖେଳିଲେ ମହିଳା କାର୍ଡ

ନବୀନ ଖେଳିଲେ ମହିଳା କାର୍ଡ

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଖେଳିଛନ୍ତି ମହିଳା କାର୍ଡ । ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡାରୁ ବିଜେଡି ପ୍ରାର୍ଥୀ କରିଛନ୍ତି । ନବୀନଙ୍କର ଏହି ମହିଳାକାର୍ଡ ଖେଳ ପରେ ନୂଆପଡା ନିର୍ବାଚନୀ ରାଜନୀତି ଅଧିକ ସରଗରମ ହୋଇଛି ।

ନୂଆପଡା ଉପନିର୍ବାଚନ ପାଇଁ ପ୍ରଥମେ କଂଗ୍ରେସ ତାହାର ପ୍ରାର୍ଥୀ ଭାବେ ଘାଷିରାମ ମାଝୀଙ୍କ ନାମ ଘୋଷଣା କରିଥିଲା । ଏହାପରେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣାକୁ ସମସ୍ତେ ଅପେକ୍ଷା କରିଥିଲେ । ହେଲେ ନିଜକୁ ବିଜେଡି ପ୍ରାର୍ଥୀ ହେବା ନେଇ କହୁଥିବା ଜୟ ଢୋଲକିଆ ହଠାତ୍‍ ବିଜେପିକୁ ପଳାଇବା ଓ ସେହି ଦଳରୁ ପ୍ରାର୍ଥୀ ହେବାପରେ ନୂଆପଡା ରାଜନୀତି ସମୀକରଣ ବଦଳି ଯାଇଥିଲା । ସମସ୍ତଙ୍କ ନଜର ଥିଲା ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ।

ବିଜେଡି ତାହାର ପ୍ରାର୍ଥୀ ଚୟନ ପାଇଁ ଜୋରଦାର କସରତ କରିଥିଲା । ନୂଆପଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ନୂଆପଡାର କେତେକ ଆଶାୟୀ ପ୍ରାର୍ଥୀ ଭୁବନେଶ୍ୱର ଆସି ନବୀନ ନିବାସରେ ନିଜ ଦାବି ଜଣାଇଥିଲେ । ହେଲେ ଶେଷରେ ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀଙ୍କ ନାଁରେ ମୋହର ମାରିଥିଲେ ।

ଏବେ ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ସ୍ନେହାଙ୍ଗିନୀ ହେଉଛନ୍ତି ଏକମାତ୍ର ମହିଳା । ଗତ ୨୦୨୪ ନିର୍ବାଚନରେ ଏଠାରୁ କୌଣସି ମହିଳା ପ୍ରାର୍ଥୀ ହୋଇନଥିବାବେଳେ ଏଥର ନୂଆପଡାବାସୀ ଜଣେ ମହିଳା ପ୍ରାର୍ଥୀଙ୍କୁ ଦେଖିବାର ସମ୍ଭାବନା ରହିଛି । ସେହିଭଳି ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଢୋଲକିଆ ଏଠାରୁ ୬୧ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ଘାଷିରାମ ମାଝୀ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ହଜାରରୁ ଅଧିକ ଭୋଟ ପାଇ ତୃତୀୟ ସ୍ଥାନରେ ଥିବାବେଳେ କଂଗ୍ରେସର ଶରତ ପଟ୍ଟନାୟକ ୧୫ହଜାରରୁ ସାମାନ୍ୟ ଅଧିକ ଭୋଟ ପାଇ ଚତୁର୍ଥ ସ୍ଥାନରେ ଥିଲେ ।

ରାଜେନ୍ଦ୍ର ଢୋଲକିଆଙ୍କ ଆକସ୍ମିକ ମୃତ୍ୟୁ ପରେ ନୂଆପଡାରେ ଉପନିର୍ବାଚନ ହେଉଥିବାବେଳେ ବିଜେପି, ବିଜେଡି ଓ କଂଗ୍ରେସ ଏଠାରୁ ଜିତିବା ନେଇ ନିଜ ନିଜର ଦାବି ରଖିବାରେ ଲାଗିଛନ୍ତି । ତେବେ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ଅର୍ଥାତ୍‍ ଘାଷିରାମ ଓ ସ୍ନେହାଙ୍ଗିନୀ ପୂର୍ବରୁ ନିର୍ବାଚନ ଲଢିଥିବାବେଳେ ଜୟ ଢୋଲକିଆ ନିର୍ବାଚନ ଲଢେଇରେ ସମ୍ପୂର୍ଣର୍ ନୂଆ । ଅବଶ୍ୟ ପିତା ରାଜନ୍ଦ୍ରେଙ୍କ ନିର୍ବାଚନ ପରିଚାଳନାର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ସେହି ଦୃଷ୍ଟିରୁ ନୂଆପଡା ଉପନିର୍ବାଚନ ବେଶ୍‍ ରୋଚକ ହେବ ବୋଲି ଏବେଠାରୁ ଆଲୋଚନା ଜୋର ଧରିଲାଣି ।