ଭୁବନେଶ୍ୱର : ଓଡିଆ ଭାଷାରେ ନାମ ଫଳକ ଲେଖିବାପାଇଁ ସରକାର ନାଲିଆଖି ଦେଖାଇବା ପରେ ବି ସେଭଳି କିଛି ସୁଫଳ ମିଳୁନାହିଁ । ଗୋଟିଏ ପଟେ ଏଥିପାଇଁ ଲୋକେ ଭାଷାପ୍ରୀତି ନଦେଖାଇବା ଓ ଅନ୍ୟ ପଟେ ଢିଲା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏଭଳି ସ୍ଥିତି ପରିଲକ୍ଷିତ ହେଉଛି । ଚଳିତବର୍ଷ ଏ ନେଇ ଶହେ ମାମଲା ବି ରୁଜ ହେଲାଣି ।
ଓଡିଶା ଭାଷାର ପ୍ରଚାର ପ୍ରସାର ସହିତ ଓଡିଆ ଭାଷାକୁ ବଞ୍ଚାଇ ରଖିବାପାଇଁ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ନିଜ ନିଜର ନାମ ଫଳକ ଓଡିଆ ଭାଷାରେ ଲେଖିବାକୁ କୁହାଯାଇଛି । ଯେଉଁମାନେ ଏହା ନମାନିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ବାରମ୍ବାର ଚେତାବନୀ ଦିଆଯାଉଛି ।
ହେଲେ ସରକାରଙ୍କର ଏହି ଚେତାବନୀକୁ ଅଧିକାଂଶ ଫୁ କରିଦେଉଛନ୍ତି । ଓଡିଆ ବ୍ୟବସାୟୀମାନେ ଏହାକୁ ପାଳନ କରିବାକୁ ଏକ ପ୍ରକାର ନାରାଜ । ଖୁବ୍ କମ୍ ସଂଖ୍ୟକ ବ୍ୟବସାୟୀ ଶୁଦ୍ଧ ଓଡିଆ ଭାଷାରେ ନିଜ ପ୍ରତିଷ୍ଠାନର ନାମ ଓ ବିବରଣୀ ଲେଖୁଥିବା ଦେଖିବାକୁ ମିଳୁଛି । ଆଉ କେତେ ସରକାରଙ୍କ ଡରରେ ନାମଫଳକଟି ବଡ ବଡ ଇଂରାଜୀ ଭାଷାରେ ଲେଖୁଥିବାବେଳେ ତାହା ତଳକୁ କିମ୍ବା ଗୋଟିଏ କୋଣରେ ଛୋଟ ଛୋଟ ଅକ୍ଷରେ ଓଡିଆ ଭାଷାରେ ତାହାକୁ ଲେଖୁଛନ୍ତି ।
ଘରୋଇ ବ୍ୟବସାୟୀଙ୍କ କେନ୍ଦ୍ର ଠାରୁ ଆରମ୍ଭ କରି ସରକାରୀ ପ୍ରତିଷ୍ଠାନ ପର୍ଯ୍ୟନ୍ତ ପ୍ରାୟତଃ ସବୁଠାରେ ଏହି ଅବସ୍ଥା । ତେବେ ସରକାର ନାଲିଆଖି ଦେଖାଇବା ପରେ ଚଳିତ ଆର୍ଥିକ ବର୍ଷରେ ଏ ସଂକ୍ରାନ୍ତରେ କରିଥିବା ଧରପଗଡରୁ ଜଣାପଡିଛି ଯେ ପ୍ରତିଷ୍ଠାନଗୁଡିକ ଓଡିଆ ଭାଷା ବ୍ୟବହାର କରୁଛନ୍ତି କି ନାହିଁ ସେଥିପାଇଁ ୨୮୫୨ଟି ଅନୁଷ୍ଠାନର ନିରୀକ୍ଷଣ କରାଯାଇଥିଲା । ସେଥିରୁ ଦେଖାଗଲା ଯେ ୧୬୦୬ଟି ଅନୁଷ୍ଠାନ ସରକାରୀ ନିୟମକୁ ମାନି ନାହାନ୍ତି । ଅର୍ଥାତ୍ ଓଡିଆ ଭାଷାରେ ଲେଖି ନାହାନ୍ତି । ତେଣୁ ସେମାନଙ୍କୁ କୈଫତ ତଲବ କରାଯାଇଛି । ଏହି ସମୟ ମଧ୍ୟରେ ୧୦୦ ଜଣ ଅମାନିଆ ପ୍ରତିଷ୍ଠାନ ବିରୁଦ୍ଧରେ ମାମଲା ରଜୁ କରାଯାଇଛି ।
ଭାଷାବିତ୍ମାନଙ୍କର କହିବାକଥା ଯେ ଭାଷା ଭିତ୍ତିରେ ଗଢା ହୋଇଥିବା ରାଜ୍ୟରେ ନିଜର ମାତୃଭାଷାରେ ନାମ ଫଳକ ଲେଖିବାପାଇଁ ବାରମ୍ବାର କୁହାଯିବା ଅତ୍ୟନ୍ତ ଲଜ୍ଜାକର ଘଟଣା । ସରକାରଙ୍କ ତାଗିଦା ପରେ ଏହାକୁ ପାଳନ ନକରିବା ମଧ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଲଜ୍ଜାଜନକ । ନିଜ ମାତୃଭାଷାର ସୁରକ୍ଷା ପାଇଁ ଯଦି ଲୋକେ ଆଗ୍ରହ ପ୍ରକାଶ ନକରିବେ ତେବେ ଭାଷା କିଭଳି ବଞ୍ଚିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଅନ୍ୟ ପକ୍ଷରେ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ କରବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ବି ଶତ ପ୍ରତିଶତ ସଫଳ ହୋଇପାରୁ ନାହିଁ । ଏବେ ବି ଅନେକ ସରକାରୀ ପତ୍ର ଇଂରାଜୀ ଭାଷାରେ ହେଉଛି । ତେବେ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ଓଡିଆ ଭାଷାରେ ନିଜସ୍ୱ ଲିପି ଓ ଅନୁବାଦ ସଫ୍ଟୱେର ପ୍ରସ୍ତୁତ କରିପାରିଲେ ଏହି କାର୍ଯ୍ୟ ଆହୁରି ସହଜ ଓ ଶୀଘ୍ର ହୋଇାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)