ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ ପ୍ରାୟ ୬୦ ପ୍ରତିଶତ ପଦବୀ ଖାଲି ପଡିଥିବାରୁ ସଡକ, ପୋଲ, କୋଠାବାଡି ଆଦିର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି ।
ସରକାର ବି ଯେତିକି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ କରିବାକୁ ଚାହୁଁଛନ୍ତି ସେଥିରେ ଆଇନ୍ଗତ ସମସ୍ୟା ସୃଷ୍ଟି କରାଯାଉଥିବାରୁ ତାହା ମଧ୍ୟ ପୂରଣ ହୋଇପାରୁ ନାହିଁ । ଏବେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ପଦବୀ ପୂରଣ ଲାଗି ପ୍ରାୟ ଛଅମାସ ହେବ ଅଦାଲତି ଲଢେଇ ଚାଲିଥିବାବେଳେ ଗତବର୍ଷ ସେପ୍ଟେମ୍ବର ମାସରୁ ଏହି ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ୩ଶହରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ କରିବାପାଇଁ ୨୦୨୪ ସେପ୍ଟମ୍ବର ମାସରେ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବସିଥିଲା । କିନ୍ତୁ କମିଟିର ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ସ୍ଥିରୀକୃତ ପ୍ରଣାଳୀର ଉଲ୍ଲଙ୍ଘନ କରୁଥିବାରୁ ଏଥି ସହ ଅନୁସୂଚିତ ଜନଜାତି ଓ ଜାତି ବିଭାଗର ପ୍ରତିନିଧି ସହମତ ହୋଇନଥିଲେ । ଏ ପ୍ରସଙ୍ଗରେ ଆଇନ୍ ବିଭାଗର ପୂର୍ବରୁ ମତାମତ ଲୋଡା ଯାଇଥିଲା । ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟର ତର୍ଜମା କରି ଆଇନ୍ ବିଭାଗ ମତ ଦେଇଥିଲେ ଯେ ସଂରକ୍ଷିତବର୍ଗର ବରିଷ୍ଠ ପ୍ରାର୍ଥୀଙ୍କୁ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ଅଣସଂରକ୍ଷିତ ଆସନରେ ପଦୋନ୍ନତି ଦିଆଯାଇ ପାରିବ ବୋଲି । ଏହି ଆଧାରରେ ଚଳିତବର୍ଷ ମାର୍ଚ୍ଚ ମାସରେ ପୁଣିଥରେ ଡିପିସି ବସିଥିଲା ।
ତେବେ ଡିପିସିର ଏହି ସୁପାରିଶ୍ ଉପରେ ସରକାରଙ୍କ ଅନୁମୋଦନ ମିଳିବାପାଇଁ ବିଳମ୍ବ ହୋଇଥିବାବେଳେ ଅଣସଂରକ୍ଷିତବର୍ଗର କେତେକ କନିଷ୍ଠ ସହକାରୀ ଯନ୍ତ୍ରୀ ଆଇନ୍ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତି କଟକଣା ଯୋଗୁଁ କେବଳ ଯେଉଁ ବରିଷ୍ଠ ଯନ୍ତ୍ରୀମାନେ ଅବସର ଗ୍ରହଣ କରିବାର ଥିଲା କେବଳ ଅଣସଂରକ୍ଷିତବର୍ଗର ସେହିମାନଙ୍କୁ ପଦୋନ୍ନତି ଦିଆଗଲା । ଫଳରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତବର୍ଗର ୩ଶହରୁ ଅଧିକ ଆଶାୟୀ ପଦୋନ୍ନତି ନପାଇ ନ୍ୟାୟ ପାଇଁ ଦଉଡିଛନ୍ତି ।
ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରସଙ୍ଗ ସ୍ୱୀକାର କରି କହିଛନ୍ତି ଯେ ୩ଶହରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇସାରିଥିଲେ ସମାନ ସଂଖ୍ୟକ କନିଷ୍ଠ ଯନ୍ତ୍ରୀଙ୍କୁ ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ଦିଆଯାଇଥାନ୍ତା ଏବଂ ସେମାନଙ୍କ ସ୍ଥାନରେ ପ୍ରତ୍ୟକ୍ଷ ନିଯୁକ୍ତି ଭିତ୍ତିରେ ଆଉ ୩ଶହରୁ ଅଧିକ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଥାନ୍ତେ । ମୋଟାମୋଟି ଭାବେ ଏହି ଗୋଳମାଳିଆ ଅବସ୍ଥାରେ ପ୍ରାୟ ହଜାରେ ଯନ୍ତ୍ରୀ ପଦବୀ ପୂରଣ ହୋଇପାରୁ ନାହିଁ ।
ଏଚଆରଏମଏସ୍ ପୋର୍ଟାଲ ମାଧ୍ୟରେ ଅର୍ଥ ବିଭାଗ ପାଇଥିବା ତଥ୍ୟକୁ ଆଧାର କରି କୁହାଯାଉଛି ଯେ ୨୦୨୩ ଡିସେମ୍ବର ଶେଷସୁଦ୍ଧା ପୂର୍ତ୍ତ ବିଭାଗ ପାଇଁ ୭୩୭୩ ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୪୪୦୫ ଟି ପଦବୀ ଖାଲି ପଡିଥିଲା । ଏହି ଖାଲି ପଦବୀ ମଧ୍ୟରେ ୧୭୭୯ଟି ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଓ ପ୍ରାୟ ୭୦୦ ପ୍ରଥମଶ୍ରେଣୀ ପାହ୍ୟାର ପଦବୀ ଥିଲା । ଏବେ ଏହି ସଂଖ୍ୟା ଢେର ଅଧିକ ହେବବୋଲି କୁହାଯାଉଛି ।
ସଂରକ୍ଷଣ ପ୍ରସଙ୍ଗକୁ ନେଇ ବରିଷ୍ଠତା ତାଲିକାର ଢେର ତଳେ ଥିବା ଅଣସଂରକ୍ଷିତବର୍ଗର କିଛି ଯନ୍ତ୍ରୀ ଯେଉଁ ମାମଲା କରିଛନ୍ତି ସେଥିରେ ଅଣସଂରକ୍ଷିତବର୍ଗର ବହୁଯନ୍ତ୍ରୀ ମଧ୍ୟ ପଦୋନ୍ନତି ନପାଇ ଫସି ଯାଇଛନ୍ତି । ସେମାନେ ବି କାମଧନ୍ଦା ଛାଡି ନ୍ୟାୟ ପାଇଁ ପ୍ରଶାସନିକ ଦପ୍ତରରୁ ନ୍ୟାୟିକ ସଂସ୍ଥା ପର୍ଯ୍ୟନ୍ତ ଦୌଡୁଛନ୍ତି । ଏଭଳି ସ୍ଥିତିରେ ନିର୍ମାଣ ଓ ମରାମତି କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ଏହି ସମସ୍ୟାର ସମାଧାନ କରିବାପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । ମାମଲା ରୁଜୁ କରୁଥିବା ଯନ୍ତ୍ରୀମାନଙ୍କ ଠାରୁ ୮/୧୦ ବର୍ଷ ପୂର୍ବରୁ ଯେଉଁମାନେ ଚାକିରିରେ ଯୋଗଦେଇ ସହକାରୀ ଯନ୍ତ୍ରୀ ହୋଇସାରିଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ପଦୋନ୍ନତି ଆଇନ୍ର ବିଧି ବ୍ୟବସ୍ଥା ମୁତାବକ ତୁରନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ କରାଇବାକୁ ଦାବି ବଢି ଚାଲିଛି । (ତଥ୍ୟ)