Home General ନିଶାଡିଙ୍କ ଉତ୍ପାତରେ ରାଜଧାନୀବାସୀ ଅସ୍ତବ୍ୟସ୍ତ

ନିଶାଡିଙ୍କ ଉତ୍ପାତରେ ରାଜଧାନୀବାସୀ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ନିଶାଡିଙ୍କ ଉତ୍ପାତ ଯୋଗୁଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ସେମାନଙ୍କ ଦୌରାତ୍ମ୍ୟ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଏଥିଯୋଗୁଁ ଗୁରୁତର ଆଇନ୍‍ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ଅନ୍ୟ ପକ୍ଷରେ ନିଶା ଠାରୁ ଛାତ୍ରମାନଙ୍କୁ ଦୂରେଇ ରଖିବାପାଇଁ ପୁଲିସ୍‍ ପକ୍ଷରୁ ସଚେତନତା ଅଭିଯାନ ଜାରି ରହିଛି ।

ପଶ୍ଚିମବଙ୍ଗରେ ଜଣେ ଓଡିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ଓଡିଶା ସମେତ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବାବେଳେ ଗତ ଶନିବାର ରାତିରେ ରାଜଧାନୀରେ ଦଳେ ନିଶାଡି ଜଣେ ଯୁବତୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବାବେଳେ ପୀଡିତା ସେମାନଙ୍କ ପଞ୍ଝାରୁ ରକ୍ଷା ପାଇଯାଇଛନ୍ତି । ଯୁବତୀ ଜଣଙ୍କ ଚକେଇସିଆଣି ନିକଟବର୍ତ୍ତୀ ତାଙ୍କ ଘରକୁ ଏକାକୀ ଫେରୁଥିବାବେଳେ ରାସ୍ତାକଡରେ ମଦ୍ୟପମାନଙ୍କ ଆଡ୍ଡା ଚାଲିଥିଲା । ସେମାନେ ତାଙ୍କପ୍ରତି ଅଶ୍ଳିଳ ଶବ୍ଦ ପ୍ରୟୋଗ କରିବାରୁ ଯୁବତୀ ଜଣଙ୍କ ତାହାର ପ୍ରତିବାଦ କରିବାରୁ ମଦୁଆମାନେ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ଜବରଦସ୍ତ ଉଠାଇ ନେଉଥିଲେ । ତେବେ ସାହସର ସହିତ ଯୁବତୀଜଣଙ୍କ ସେମାନଙ୍କ ପ୍ରତିରୋଧ କରିବା ସଂଗେ ସଂଗେ ଚିତ୍କାର କରିବାରୁ ନିକଟବର୍ତ୍ତୀ ସାଇମନ୍ଦିର ନିକଟରେ ଥିବା କିଛି ଲୋକ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ମଞ୍ଚେଶ୍ୱର ପୁଲିସକୁ ଜଣାଯିବାପରେ ଯୁବତୀ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

ଭୁବନେଶ୍ୱରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦପ୍ତର, ପାର୍କ ଏମିତିକି ରାସ୍ତାକଡରେ ଦିନ ରାତି ମଦୁଆମାନଙ୍କ ଆଡ୍ଡା ଜମୁଛି । ଏହାଛଡା ବ୍ରାଉନସୁଗାର, ଗଞ୍ଜେଇ ଆଦିର କାରବାର ମଧ୍ୟ ବଢୁଛି । ଏଥିରେ ଯୁବ ସମାଜ ବହୁ ଭାବରେ ପ୍ରଭାବିତ ହେଉଥିବାବେଳେ ଘରେ ମହିଳା ସଦସ୍ୟମାନଙ୍କ ଉପରେ ନିଶାଡିମାନଙ୍କ ଦୌରାତ୍ମ୍ୟ ମଧ୍ୟ ବଢୁଛି । ଏମିତିକି ନିଶା ପାଇଁ ରାସ୍ତାଘାଟରେ ଲୋକଙ୍କୁ ଆକ୍ରମଣ କରି ପଇସାପତ୍ର, ମୋବାଇଲ୍‍ ଓ ଗହଣାଗାଣ୍ଠି ସେମାନେ ଛଡାଇ ନେଉଛନ୍ତି । ସ୍ଥଳ ବିଶେଷରେ ଏହି ନିଶାଡିମାନେ ଛାତ୍ରୀ, ଯୁବତୀ ଓ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଆକ୍ରମଣ କରିବା ସହିତ ଅଶ୍ଳିଳ ଇଙ୍ଗିତ କରୁଛନ୍ତି ।

ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଆଜି ସକାଳେ ରାୟଗଡାରୁ ଭୁବନେଶ୍ୱର ଆସୁଥିବାବେଳେ ରେଳଷ୍ଟେସନ ନିକଟରେ ନିଶାଡିଗୋଷ୍ଠି ତାଙ୍କ ଉପରେ ଆକ୍ରମଣ କରି ମୋବାଇଲ ଫୋନ୍‍ ଛଡାଇ ନେଇଥିବା ଅଭିଯୋଗ ହୋଇଛି । କେତେକ କ୍ଷେତ୍ରରେ ଏମାନେ ମଧ୍ୟ ଅତୀତରେ ପୁଲିସ୍‍ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଅଥଚ ବିଧାନସଭାରେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ମଦ ର ପ୍ରସାର ଯୋଗୁଁ ଅପରାଧ ଘଟୁଥିବା ସଂକ୍ରାନ୍ତରେ ସରକାରଙ୍କ ନିକଟରେ କିଛି ସୂଚନା ନାହିଁ ।

ବିଳମ୍ବିତ ରାତ୍ରୀରେ ବେଧଡକ ଭାବେ ନିଶାଡିମାନେ ଦଳ ଦଳ ହୋଇ ରାସ୍ତାକଡରେ ନିଶା ସେବନ କରିବା ସହିତ ଆଡ୍ଡା ମାରୁଥିବାବେଳେ ସେମାନଙ୍କୁ କିନ୍ତୁ ପୁଲିସ୍‍ ଉଠାଇ ନେଉନାହିଁ । କେବଳ ବେଳେବେଳେ ନିଶାପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଅଟକାଇ ଜୋରିମାନା ଆଦାୟ ଅବଶ୍ୟ କରୁଛି । ପାଟ୍ରୋଲିଂ ବ୍ୟବସ୍ଥାକୁ ବ୍ୟାପକ କରି ରାସ୍ତାକଡ ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରୁ ନିଶାପାନ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଏବଂ ସେମାନଙ୍କ ଯାନବାହାନ ଜବତ କରିବାଲାଗି ବରିଷ୍ଠ ନାଗରିକଙ୍କ ସମେତ ଛାତ୍ର ଓ ମହିଳା ସଂଗଠନମାନେ ବାରମ୍ବାର ଦାବି କରୁଛନ୍ତି ।

ରାଜଧାନୀରେ ନିଶାଡିମାନଙ୍କ ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଏବଂ ସଡକ ଦୁର୍ଘଟଣା ଘଟିବା ଏକ ଦିହସୁହା କଥାରେ ପରିଣତ ହୋଇଗଲାଣି । ଏହାର ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ବିଗିଡିପାରେ । ବିଶେଷକରି ଆପତ୍ତିଜନକ ସ୍ଥାନରେ ମଦଦୋକାନ ଖୋଲିଥିବା ସରକାର ସ୍ୱୀକାର କରୁଥିବାବେଳେ ସେଗୁଡିକୁ ବନ୍ଦ କରିବା ପରିବର୍ତ୍ତେ କିନ୍ତୁ ବର୍ଷ ବର୍ଷ ଧରି ଅଧିକରୁ ଅଧିକ ସଂଖ୍ୟକ ମଦଦୋକାନ ଖୋଲା ଚାଲିଛି । (ତଥ୍ୟ)