ଭୁବନେଶ୍ୱର : ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଦେଶର ଯେଉଁ ୯ଟି ରାଜ୍ୟରେ ଦଣ୍ଡବିଧାନ ହାର ୧୦%ରୁ କମ୍ ରହୁଛି ସେଗୁଡିକ ଭିତରେ ପଶ୍ଚିମବଙ୍ଗ ଓ ଓଡିଶାର ନାଁ ରହିଛି ।
କେନ୍ଦ୍ର ସରକାରଙ୍କ ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ଏଭଳି ସମ୍ବେଦନଶୀଳ ମାମଲାରେ ସାରା ଦେଶରେ ଦଣ୍ଡବିଧାନ ହାର ୨୧.୩% ଥିବାବେଳେ ଏହା ପଶ୍ଚିମବଙ୍ଗରେ ମାତ୍ର ୩.୭% ଏବଂ ଓଡିଶାରେ ୬.୯% ରହିଛି । ଅନ୍ୟ ଯେଉଁସବୁ ରାଜ୍ୟରେ ଦଣ୍ଡବିଧାନ ହାର ୧୦% ରୁ କମ୍ ରହିଛି ସେଥିରେ ଜାମ୍ମୁକାଶ୍ମୀରରେ ୩.୮%, କର୍ଣ୍ଣାଟକରେ ୩.୨%, ଗୁଜୁରାଟରେ ୬.୬%, ଆନ୍ଧ୍ରରେ ୫.୮%, ଆସାମରେ ୭.୪%, ମହାରାଷ୍ଟ୍ରରେ ୯.୬% ଏବଂ ଆଣ୍ଡାମାନ ନିକୋବରରେ ୭.୪% ରହିଛି ।
ତେବେ ନାଗାଲ୍ୟାଣ୍ଡ ଭଳି ଛୋଟିଆ ରାଜ୍ୟରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ୮୩.୩% ଥିବାବେଳେ ଏହା ଉତ୍ତରପ୍ରଦେଶରେ ୬୪.୬%, ମିଜୋରାମରେ ୨୯.୮% ଓ ବିହାରରେ ୫୬.୩% ରେକର୍ଡ କରାଯାଇଛି ।
ସବୁଠାରୁ ଉଦବେଗଜନକ ତଥ୍ୟ ହେଉଛି ୨୦୨୩ ଶେଷସୁଦ୍ଧା ସମଗ୍ର ଦେଶରେ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରୁ ୨୩,୦୩,୬୫୭ଟି ବିଚାରାଧିନ ଥିବାବେଳେ ଏହି ବର୍ଷରେ ମାତ୍ର ୯.୨% ମାମଲା ଫଏସଲା ହୋଇଛିା ଅନ୍ୟ ପକ୍ଷରେ ମହିଳମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରେ ସର୍ବାଧିକ ୩.୬୮ଲକ୍ଷରୁ ଅଧିକ ପଶ୍ଚିମବଙ୍ଗରେ ବିଚାରାଧିନ ଥିବାବେଳେ ଉତ୍ତରପ୍ରଦେଶରେ ଏହା ବି ୩ଲକ୍ଷରୁ ଅଧିକ ରହିଛି । ମହାରାଷ୍ଟ୍ରରେ ଏହି କିସମର ବିଚାରାଧିନ ମାମଲା ସଂଖ୍ୟା ପ୍ରାୟ ୨.୯୪ଲକ୍ଷ ଥିବାବେଳେ ଓଡିଶାରେ ଏହାର ସଂଖ୍ୟା ୧,୭୭,୯୪୦, ମଧ୍ୟପ୍ରଦେଶରେ ୧,୨୪,୧୯୬ ଓ ବିହାରରେ ୧,୩୦,୫୪୬ ରେକର୍ଡ କରାଯାଇଛି ।
ଉକ୍ତ ବର୍ଷରେ ଏଭଳି କିସମ ସମ୍ବେଦନଶୀଳ ମାମଲାରୁ ପଶ୍ଚିମବଙ୍ଗରେ ମାତ୍ର ୫.୨% ଫଏସଲା ହୋଇଥିବାବେଳେ ଓଡିଶାରେ ୫.୩% ଫଏସଲା ହୋଇଛି । ସଂଖ୍ୟାଧିକ ରାଜ୍ୟରେ ୮୦%ରୁ ଅଧିକ ମାମଲା ଫଏସଲା ହୋଇନପାରି ପରବର୍ତ୍ତୀ ବର୍ଷରେ ବିଚାରପାଇଁ ଗଡୁଛି ।
ମହିଳାଙ୍କ ନିରାପତ୍ତା ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ଚାଲୁଥିବାବେଳେ ସେମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକର ତ୍ୱରିତ ଫଏସଲା ନହୋଇ ବର୍ଷ ବର୍ଷ ଧରି ଗଡି ଚାଲିବା ଫଳରେ ସାକ୍ଷ୍ୟ ପ୍ରମାଣ ନଷ୍ଟ ହେଉଥିବା ଯୋଗୁଁ ସଂଖ୍ୟାଧିକ ମାମଲାରେ ଅଭିଯୁକ୍ତ ଖଲାସ ହୋଇଯାଉଛନ୍ତି । ଯାହାର ସିଧାସଳଖ ପ୍ରତିକୂଳ ପ୍ରଭାବ ଆଇନ୍ଶୃଙ୍ଖଳା ବ୍ୟବସ୍ଥା ଓ ନାରୀମାନଙ୍କ ନିରାପତ୍ତା ଉପରେ ପଡୁଛି ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ କହୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଅର୍ଥ କମିଶନଙ୍କ ସୁପାରିଶ୍ ଆଧାରରେ କେନ୍ଦ୍ର ସରକାର ମାମଲା ନୀତି ପ୍ରଣୟନ କରିବାପରେ ଓଡିଶା ସରକାର ୨୦୧୧ ମସିହାରେ ରାଜ୍ୟ ମାମଲାନୀତି ପ୍ରଣୟନ କରିଥିଲେ । ଅନ୍ୟ ବହୁ ରାଜ୍ୟରେ ବି ମାମଲା ନୀତି ପ୍ରଣୟନ ହୋଇଛି । ମୁଖ୍ୟତଃ ମାମଲା ସଂଖ୍ୟା ହ୍ରାସ, ମାମଲାଗୁଡିକର ତ୍ୱରିତ ଫଏସଲା ଏବଂ ସର୍ବୋପରି ୫ବର୍ଷର ପୁରୁଣା ମାମଲା ଯେଭଳି ନଗଡେ ତାହାକୁ ଆଖିଆଗରେ ରଖି ମାମଲା ନୀତି ପ୍ରଣୟନ କରାଯାଇଥିଲା । କିନ୍ତୁ ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରାନଯିବା ସହିତ ତଦନ୍ତ ପ୍ରକ୍ରିୟାରେ ତ୍ରୁଟିବିଚ୍ୟୁତି, ମାମଲା ପରିଚାଳନାରେ ସମନ୍ୱୟର ଅଭାବ ଏବଂ ସର୍ବୋପରି ବର୍ଷ ବର୍ଷ ଧରି ଏଭଳି ସମ୍ବେଦନଶୀଳ ମାମଲା ଗଡୁଛି । ଅନ୍ୟ ପକ୍ଷରେ ପୁଣି କେଉଁଠି ମହିଳାଙ୍କ ପ୍ରତି ସାଂଘାତିକ ଅପରାଧମାନ ଘଟିଲେ ତାହା ରାଜନୈତିକ ବୟାନବାଜି ଭିତରେ କିଛିଦିନ ପାଇଁ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରି ପୁଣି ମିଳେଇ ଯାଉଛି । (ତଥ୍ୟ)