ଭୁବନେଶ୍ୱର : ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ସା’ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଛି ୧୨ତମ ଜାତୀୟ ଆଦିବାସୀ ମହୋତ୍ସବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂଖୁଣ୍ଟିଆ ମହୋତ୍ସବର ଉଦ୍ଘାଟନ କରିଛନ୍ତି। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ ମହୋତ୍ସବରେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବିଭିନ୍ନପ୍ରକାର ଉତ୍ପାଦ ୧୩୦ଟି ଷ୍ଟଲରେ ପ୍ରଦର୍ଶିତ ହେଉଛି।
୧୧ଟି ରାଜ୍ୟ ଏବଂ ଓଡ଼ିଶାର ୧୭ଟି ଜିଲାର ଉତ୍ପାଦକ ଗୋଷ୍ଠୀ ଏଠାରେ ଯୋଗ ଦେଇଛନ୍ତି। ଆଦିବାସୀ ସମ୍ପ୍ରଦାୟା ନିଛକ ଛବି ଏଠାରେ ଦେଖିବାକୁ ମିଳୁଛି। ଆଦିବାସୀ ପରମ୍ପରା ଆଧାରିତ ସାମଗ୍ରୀ, ହସ୍ତଶିଳ୍ପ, ହସ୍ତତନ୍ତ, ଜୈବିକ ଓ ବନଜାତ ଉତ୍ପାଦ ଆଦିର ସମ୍ଭାର ରହିଛି।
ରାଜ୍ୟ ଏମଏସଏମଇ ବିଭାଗ, କେନ୍ଦ୍ର ବୟନ ମନ୍ତ୍ରାଳୟ, ଟେରିଫେଡ, ରାଜ୍ୟ ସଂସ୍କୃତି ବିଭାଗ ତଥା କଟକ ଡିଏଫ୍ଓଙ୍କ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଓଡ଼ିଶା, ଝାରଖଣ୍ଡ, ଛତିଶଗଡ଼ କଳାକାରଙ୍କ ଦ୍ବାରା ଜନଜାତିୟ କଳା, ସଂସ୍କୃତି, ପରମ୍ପରାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳୁଛି। ପ୍ରତ୍ୟେହ ସଂଧ୍ୟାରେ ଜନଜାତିଙ୍କ ପାରମ୍ପାରିକ ଲୋକନୃତ୍ୟ ପରିବେଷଣ କରାଯାଉଛି।
ମହୋତ୍ସବ ସ୍ଥଳରେ ଏକ ଆଦିବାସୀ ଗ୍ରାମର ଜୀବନ୍ତ ଚତ୍ର ଦର୍ଶକଙ୍କୁ ଆକୃଷ୍ଠ କରୁଛି। ବିଭିନ୍ନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସ’ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ଶୁଭାଶିଷ ଦାସ କହିଛନ୍ତି।