Home General ରାସନକାର୍ଡ ପାଇବାକୁ ପ୍ରତିଯୋଗିତା

ରାସନକାର୍ଡ ପାଇବାକୁ ପ୍ରତିଯୋଗିତା

ଭୁବନେଶ୍ୱର : ମାଗଣା ଚାଉଳ, ଗହମ ସହିତ ଆୟୁଷ୍ମାନ କାର୍ଡ ଓ ସରକାରୀ ଘରଟିଏ ପାଇବାକୁ ଲୋକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଅଧିକରୁ ଅଧିକ ସଂଖ୍ୟାରେ ଲୋକେ ରାସନକାର୍ଡ ପାଇଁ ଆବେଦନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି । ଏହାକୁ ପାଇବାପାଇଁ ରାଜ୍ୟରେ ଏବେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ବିଜେପି ସରକାର ଗଠନ ପରଠାରୁ ଅର୍ଥାତ୍‍ ୨୦୨୪ ଜୁନ୍‍ ମାସରୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଅଧିକ ପରିବାର ପାଇଁ ନୂତନ ରାସନକାର୍ଡ ଜାରି ହୋଇ ସାରିଲାଣି । ଏଥିରେ ପାଖପାଖି ୪ଲକ୍ଷ ଲୋକ ରହିଛନ୍ତି । ଆହୁରି ଅନେକ ବ୍ୟକ୍ତି ଏଥିପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ।

ନୂତନ କାର୍ଡ ଜାରି ହୋଇଥିବା ତାଲିକାରେ ସବୁଠାରୁ ଆଗରେ ରହିଛି ଗଞ୍ଜାମ ଜିଲ୍ଲା । ଏହି ଜିଲ୍ଲାରେ ୨୭ହଜାରରୁ ଅଧିକ ନୂଆ ରାସନକାର୍ଡ ଜାରି ହୋଇଥିବାବେଳେ ବଲାଙ୍ଗିରରେ ୧୫ହଜାରରୁ ଅଧିକ, ଯାଜପୁରରେ ୧୨ହଜାର, ବାଲେଶ୍ୱରରେ ୧୧ହଜାର ଓ ଖୋରଧା ଜିଲ୍ଲାରେ ୧୦ହଜାରରୁ ଅଧିକ ନୂଆ କାର୍ଡ ଦିଆଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଏହା ୯ ହଜାରରୁ ଅଧିକ ରହିଛି ।

ଲକ୍ଷ୍ୟ କରାଯାଉଛି ଯେ ମାଗଣା ଚାଉଳ ପାଇବା ସହିତ କିଛି ପରିବାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପାଇବାପାଇଁ ରାସନକାର୍ଡ ଲାଗି ଆବେଦନ କରୁଛନ୍ତି । କାରଣ ଯାହାର ରାସନାର୍ଡଟିଏ ନାହିଁ ତାକୁ ଆୟୁଷ୍ମାନ କାର୍ଡ ମିଳୁନାହିଁ । ଯଦି ପରିବାରର କୌଣସି ସଦସ୍ୟଙ୍କ ବୟସ ୭୦ବର୍ଷ କିମ୍ବା ତଦୁର୍ଦ୍ଧ ରହିଛି ତେବେ ସିଏ ବିନା ରାସନକାର୍ଡରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପାଇପାରୁଛନ୍ତି । ଏହି କାର୍ଡରେ ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ସୁବିଧା ଥିବାରୁ ଏଥିପାଇଁ ରାସନକାର୍ଡଟିଏ ହାତେଇବାକୁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଛି ।

ସେହିଭଳି ଯେଉଁମାନଙ୍କର ରାସନକାର୍ଡ ନାହିଁ, ସେମାନେ ଗରିବ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି । ସରକାରୀ ଘରଟିଏ ପାଇବାକୁ ହେଲେ ରାସନକାର୍ଡ ଜରୁରୀ । ଏହା ଫଳରେ ଗାଁ ଗହଳର ଲୋକେ, ଯେଉଁମାନଙ୍କର ଚାଉଳର ଆବଶ୍ୟକତା ନାହିଁ, ସେମାନେ ବାଧ୍ୟହୋଇ ରାସନକାର୍ଡ ପାଇଁ ଆବେଦନ କରୁଛନ୍ତି ।

ଅବସ୍ଥା ଏଭଳି ହୋଇଛି ଯେ ଜାଲିଆତି କରି ବି ଲୋକେ ରାସନକାର୍ଡ ହାତେଇ ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ହଜାରରୁ ଅଧିକ ଅଯୋଗ୍ୟ ରାସନକାର୍ଡଧାରୀ ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କର ପରିବାର ସଦସ୍ୟ ସଂଖ୍ୟା ଏକ ଲକ୍ଷରୁ ଅଧିକ । ସେହିଭଳି ମୃତ୍ୟୁପରେ ମଧ୍ୟ ୬ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ନାମ ରାସନକାର୍ଡରେ ଥିବା ଜଣାପଡିବା ପରେ ସେମାନଙ୍କ ନାମ ବାଦ୍‍ ଦିଆଯାଇଛି ।

ସରକାରୀ ଘରଟିଏ ହେଉ କିମ୍ବା ଆୟୁଷ୍ମାନ ଭାରତ କାର୍ଡ ପାଇଁ ହେଉ, ଯେଉଁମାନେ ଏଥିପାଇଁ ରାସନକାର୍ଡ ଆବେଦନ କରି ପାଉଛନ୍ତି, ପରବର୍ତ୍ତୀ ସେମାନେ ନିଜ ନିଜର ମାଗଣା ଚାଉଳ ଓ ଗହମକୁ ଖୋଲା ବଜାରରେ ବିକ୍ରି କରୁଛନ୍ତି । ଏଥିଯୋଗୁଁ ଶହ ଶହ କୋଟି ଟଙ୍କାର ସବସିଡ୍‍ ଜରିଆରେ ସରକାର ଗରିବଙ୍କ ପାଇଁ ଯେଉଁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦେଉଛନ୍ତି ତାହା ସିଧାସଳଖ ଖୋଲା ବଜାରକୁ ଚାଲିଯାଉଛି । ଏହି ବ୍ୟବସ୍ଥାରେ ସ୍ୱଚ୍ଛତା ନଆସିଲେ ଏଭଳି ସମୟ ଆସି ରାଜ୍ୟର ୯୦ ପ୍ରତିଶତରୁ ଅଧିକ ଲୋକ ରାସନକାର୍ଡ ପାଇଁ ଆବେଦନ କରିବେ ଏବଂ ଏହାକୁ ପାଇବାପାଇଁ ସରକାରଙ୍କ ଉପରେ ବିଭିନ୍ନ ସ୍ତରରୁ ଚାପ ପ୍ରୟୋଗ କରିବାକୁ ବାଧ୍ୟ ହେବେ । (ତଥ୍ୟ)
ଦୁଛ ଚକିଆ ପାଟ୍ରୋଲିଂ -ଆରମ୍ଭ କେବେ ?