Home General ରାଜଧାନୀକୁ ବୁଡାଉଛି ପେଭର ବ୍ଲକ

ରାଜଧାନୀକୁ ବୁଡାଉଛି ପେଭର ବ୍ଲକ

ଭୁବନେଶ୍ୱର : ବର୍ଷାରେ ରାଜଧାନୀର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେଉଥିବାବେଳେ ଏଥିପାଇଁ ଆଖିବୁଜା ଭାବେ ବିଛା ଯାଇଥିବା ପେଭର ବ୍ଲକ ଓ ଟାଇଲ୍‍କୁ ଦାୟୀ କରାଯାଉଛି । ଏଗୁଡିକ ବିଛାଯିବା ଫଳରେ ବର୍ଷାଜଳ ମାଟି ଭିତରକୁ ଯିବାପରେ ରାସ୍ତାରେ ସୁଅ ଛୁଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ରାଜଧାନୀର ଜନପଥ ଠାରୁ ଆରମ୍ଭକରି ଗଳି କନ୍ଦି ଏପରିକି କନଜରଭେନ୍ସି ପର୍ଯ୍ୟନ୍ତ ଏବେ ସବୁଆଡେ ସୌନ୍ଦର୍ଯ୍ୟକରଣ ନାଁରେ ପେଭରବ୍ଲକ ବିଛାଯାଉଛି । ଯେଉଁଠାରେ ପେଭର ବ୍ଲକ ଓ ଟାଇଲ୍‍ ବିଛାଯାଉନାହିଁ ସେଠାରେ ମାଟି ଉପରେ କଂକ୍ରିଟ୍‍ କରାଯାଉଛି । ରାସ୍ତା ପାଶ୍ୱର୍ରେ ଆଉ ମାଟି ଟିକେ ଦେଖିବାକୁ ମିଳୁନାହିଁ ।

ଦୁଇଦିନ ତଳେ ଜନପଥରେ ବର୍ଷାଜଳ ବନ୍ୟାର ଭ୍ରମ ସୃଷ୍ଟି କରିଥିବାବେଳେ ଏଥିପାଇଁ ବିଛାଯାଇଥିବା ଟାଇଲ୍‍ ଓ ପେଭର ବ୍ଲକକୁ ଦାୟୀ କରାଯାଉଛି । ରାଜଧାନୀ ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ପେଭର ବ୍ଲକ ଓ ଟାଇଲ୍‍ ଉପରେ ହେଉଥିବା ବର୍ଷାଜଳ ମାଟି ଭିତରକୁ ଯିବା ପରିବର୍ତ୍ତେ ଅତ୍ୟନ୍ତ କ୍ଷୀପ୍ର ଗତିରେ ତଳକୁ ଗଡିଆସୁଛି । ବର୍ଷାଜଳ ବହୁ ସ୍ଥାନରେ ଏକତ୍ରିତ ହେବାପରେ ତାହା ବନ୍ୟାର ଭ୍ରମ ସୃଷ୍ଟି କରୁଛି । ବର୍ଷାଜଳର ସ୍ରୋତ ଏତେ ପ୍ରଖର ହେଉଛି ଯେ ଦୁଇ ଚକିଆ ଯାନକୁ ଏହା ଭସାଇ ନେବାରେ ସକ୍ଷମ ହେଉଛି ।

ପରିବେଶବିତ୍‍ମାନଙ୍କ କହିବାକଥା ଯେ ପେଭର ବ୍ଲକ ଓ ଟାଇଲ୍‍ ବିଛାଯିବା ଏବେ ରାଜଧାନୀ ପାଇଁ ଧିରେ ଧିରେ କାଳ ହେବାରେ ଲାଗିଛି । ବର୍ଷାଦିନେ ବନ୍ୟାର ଭ୍ରମ ସୃଷ୍ଟି କରୁଥିବାବେଳେ ଖରାଦିନେ ସହରକୁ ଉତ୍ତପ୍ତ କରି ଦେଉଛି । ଅଧିକାଂଶ ସ୍ଥାନରେ ଟାଇଲ୍‍ ଓ ପେଭରବ୍ଲକଗୁଡିକ ମାଟି କିମ୍ବା ବାଲି ଉପରେ ବିଛାଇବା ବଦଳରେ ତାହାକୁ କଂକ୍ରିଟ୍‍ ଢଳେଇ ଉପରେ କର୍ତ୍ତୃପକ୍ଷ ବିଛାଇ ଦେଉଛନ୍ତି । ଫଳରେ ସାମନ୍ୟ ବର୍ଷାପାଣି ବି ମାଟି ଭିତରକୁ ଯାଇପାରୁ ନାହିଁ ।

ଠିକାଦାର ପୋଷିବା ପାଇଁ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସହରର ଯେଉଁସବୁ ସ୍ଥାନରେ ପେଭର ବ୍ଲକ ବିଛାଇବାର ଆବଶ୍ୟକତା ନାହିଁ ସେଠାରେ ବି ବିଛାଯାଉଛି । ରାସ୍ତାପାଶ୍ୱର୍ରେ ଥିବା ଗଛ ମୂଳକୁ ବି ଛାଡୁ ନାହାନ୍ତି । ସେହିଭଳି ପିଚୁ ରାସ୍ତା ପାଶ୍ୱର୍ରେ ଥିବା ମାଟିକୁ ତାଡି ସେଠାରେ କଂକ୍ରିଟ୍‍ ବିଛାଇ ଦିଆଯାଉଛି ।

ସେହିଭଳି ବହୁ ସ୍ଥାନରେ ପୁରୁଣା ଡ୍ରେନଗୁଡିକୁ ଭାଙ୍ଗି ସେଠାରେ ବକ୍ସ ଡ୍ରେନ କରାଯାଇଛି । ଏହି ଡ୍ରେନର ଚାରିପଟେ କଂକ୍ରିଟ କାନ୍ଥ ଥିବାରୁ ପାଣି ମାଟି ଭିତରକୁ ଯିବା ବଦଳରେ ଡ୍ରେନରେ ସୁଅ ଛୁଟୁଛି । ଫଳରେ ଯେଉଁଠାରେ ଡ୍ରେନ ମୁକୁଳା ରହିଛି କିମ୍ବା ତଳମୁଣ୍ଡରେ ପଡିଛି ସେଠାରେ ଲୋକେ ଏଥିରେ ପଡି ମୃତ୍ୟୁବରଣ କରିବାର ବି ବହୁ ନଜିର ରହିଛି ।

ଏହାର ଆଉଗୋଟିଏ କୁପରିଣାମ ହେଉଛି ପେଭରବ୍ଲକ, ଟାଇଲ୍‍ ଓ କଂକ୍ରିଟ ବିଛାଇବା ସହିତ ବକ୍ସଡ୍ରେନ ଯୋଗୁଁ ରାଜଧାନୀର ଭୂତଳ ଜଳ ପୂର୍ବଭଳି ରିଚାର୍ଜ ହୋଇପାରୁ ନାହିଁ । ଯେଉଁଥିପାଇଁ ଗ୍ରୀଷ୍ମଋତୁରେ ଅଧିକାଂଶ ସ୍ଥାନରେ ଲୋକଙ୍କ ପାଣି ମୋଟର ଅଚଳ ହେବାରେ ଲାଗିଛି । ପରିବେଶ ଉପରେ ଏହାର ଗୁରୁତର କୁପ୍ରଭାବ ପଡୁଛି । ତେଣୁ ସହରରେ ଯେଭଳି ଆଖିବୁଜା ଭାବେ କର୍ତ୍ତୃପକ୍ଷ ପେଭରବ୍ଲକ, ଟାଇଲ୍‍ ବିଛାଇବା ସହିତ ମାଟିତାଡି କଂକ୍ରିଟ୍‍ ପକାଉଛନ୍ତି ସେଥିରେ କଟକଣା ନଲାଗିଲେ ଆଗାମୀ ଦିନରେ କେବଳ ରାଜଧାନୀରେ ସହରୀ ବନ୍ୟାସ୍ଥିତି ଗୁରୁତର ହେବନାହିଁ ଗ୍ରୀଷ୍ମଋତୁରେ ବି ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିବ ବୋଲି ପରିବେଶ୍‍ବିତ୍‍ମାନେ ମତ ଦେଉଛନ୍ତି । (ତଥ୍ୟ)