ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଲାଗି ଅନେକଗୁଡିଏ ସରକାରୀ କମିଶନ ଓ ବୋର୍ଡ ଆଦି ରହିଛି ଏବଂ ଏଗୁଡିକର ପରିଚାଳନା ପାଇଁ ରାଜକୋଷରୁ ବଜେଟ୍ ବରାଦ ମୁତାବକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବହୁ ସଂସ୍ଥା ନିଜେ କାମ ନକରି ଅନ୍ୟ ସଂସ୍ଥାଙ୍କୁ କିଭଳି ପ୍ରାର୍ଥୀ ଚୟନ ପ୍ରକ୍ରିୟାଲାଗି ଠିକା ଦେଇ ଦେଉଛନ୍ତି ସେଥିଘେନି ବିଭିନ୍ନ ମହଲରୁ ଉଦ୍ବେଗପ୍ରକାଶ କରାଯିବା ସହ ଏଭଳି ନିୟମ ବର୍ହିଭୂତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ଉଠୁଛି ।
ଏବେ ପୁଲିସ୍ ସବଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପୂର୍ବରୁ ହେରଫେର ହାଟରେ ପଡି ଦାଣ୍ଡରେ ଗଡିବାପରେ ଓଡିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ଏହି ପରୀକ୍ଷାକୁ ପୁଣିଥରେ ଅନିର୍ଦ୍ଦିଷ୍ଟ କାଳପାଇଁ ଘୁଞ୍ଚାଇଛନ୍ତି । ଏଥିଘେନି ଆଶାୟୀ ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଉଦବେଗ ବଢି ଚାଲିଥିବାବେଳେ ପ୍ରସଙ୍ଗକୁ ନେଇ ସରକାରୀ ଓ ବିରୋଧିଦଳମାନଙ୍କ ଭିତରେ ଜୋରଦାର କାଦୁଅଫିଙ୍ଗା ରାଜନୀତି ଚାଲିଛି ।
ଓପିଆରବି ର ଅଧ୍ୟକ୍ଷ ଭାବେ ବରିଷ୍ଠ ପୁଲିସ୍ ଅଧିକାରୀ ରହିଥାନ୍ତି । ଏହାଛଡା ଏହାର ଦପ୍ତର ପରିଚାଳନା ଲାଗି ମଧ୍ୟ ବିଭିନ୍ନ ପାହ୍ୟାର ଅନେକ କର୍ମଚାରୀ ଅଛନ୍ତି । ପୂର୍ବରୁ ସବଇନ୍ସପେକ୍ଟର ପ୍ରାର୍ଥୀ ଚୟନ ଲାଗି ଷ୍ଟାଫ୍ ସିଲେକ୍ସନ କମିଶନକୁ ଦାୟିତ୍ୱ ଦିଆଯାଉଥିଲା । କେତେକ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ଆସିବାପରେ ସରକାର କମିଶନଙ୍କ ହାତରୁ ଏହି ଦାୟିତ୍ୱ କାଢିନେଇ ଓପିଆରବି ହାତରେ ନ୍ୟସ୍ତ କରିଥିଲେ । ଏହା ସତ୍ୱେ ବି ବାରମ୍ବାର ଏସଆଇ ପରୀକ୍ଷାରେ ବିଭ୍ରାଟ ଉପୁଜୁଛି । ଏଠାରେ ଉଲ୍ଲେଖନୀୟ ଯେ ୩୨ବର୍ଷ ତଳର ପୁଲିସ୍ ଏସଆଇ ପରୀକ୍ଷାର ଅନିୟମିତତା ସଂକ୍ରାନ୍ତୀୟ ଏକ ମାମଲାର ଫଏସଲା କରି ଏବେ ସୁପ୍ରିମକୋର୍ଟ ତିନିଜଣ ପ୍ରାର୍ଥୀଙ୍କୁ ରାଜ୍ୟ ସରକାର ୧୫ଲକ୍ଷ ଟଙ୍କା କରି ମୋଟ୍ ୪୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓପିଆରବି ନିଜେ ପରୀକ୍ଷା ପରିଚାଳନା କରିବା ପରିବର୍ତ୍ତେ କେତେକ ସଂସ୍ଥାଙ୍କୁ ଏହାର ଦାୟିତ୍ୱ ଦେଇଥିଲା । ପରେ ପରେ ଦାୟିତ୍ୱ ନେଇଥିବା ସଂସ୍ଥା ବଡ ଠିକାଦାର ପେଟି କଣ୍ଟ୍ରାକ୍ଟରଙ୍କ ମାଧ୍ୟମରେ କାମ କରାଇବା ଭଳି ଆଉ କେତେକ ସଂସ୍ଥାଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ଶେଷରେ ଏହି କେଳେଙ୍କାରୀରେ କିଛି ଜଣାଶୁଣା କୋଚିଂ ସେଣ୍ଟର ଛନ୍ଦି ହୋଇଛନ୍ତି ।
ସେହିଭଳି ଶିକ୍ଷକମାନଙ୍କ ଯୋଗ୍ୟତା ମାପିବା ଲାଗି ମାଧ୍ୟମିକ ଶିକ୍ଷା ବୋର୍ଡ ଓଟିଇଟି ପରୀକ୍ଷା କରିଥାଏ । କିନ୍ତୁ ଏ କ୍ଷେତ୍ରରେ ବି ମଧ୍ୟସ୍ଥିଙ୍କ ଦବଦବା ବଢିବାରୁ ଭୟଙ୍କର ଦୁର୍ନୀତି ପଦାରେ ପଡିଲା । ଫଳରେ ସରକାର ଅପଦସ୍ତ ହେବାପରେ ନିର୍ଦ୍ଧାରିତ ସମୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରି ପରବର୍ତ୍ତୀ ସମୟରେ ପରୀକ୍ଷା କରାଇଲେ । ରାଜସ୍ୱ ବିଭାଗର କେତେକ କ୍ଷେତ୍ର କର୍ମଚାରୀ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ପାଇଁ ବି ଅନୁରୂପ କେଳେଙ୍କାରୀ ସୃଷ୍ଟି ହୋଇଥିଲା ।
ଓଡିଶା ପବ୍ଲିକ ସର୍ଭିସ କମିଶନ, ଷ୍ଟାଫ୍ ସିଲେକ୍ସନ କମିଶନ, ସବର୍ଡିନେଟ୍ ସିଲେକ୍ସନ କମିଶନ, ସର୍ଭିସ୍ ସିଲେକ୍ସନ ବୋର୍ଡ ଭଳି ଅନେକ ସରକାରୀ ସଂସ୍ଥା ରହିଛି । କେଉଁ ପଦବୀ ପାଇଁ କେଉଁ ସଂସ୍ଥା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ ସେଥିପାଇଁ ବି ସ୍ୱତନ୍ତ୍ର ଆଇନ୍ ଅଛି । ଏହା ସତ୍ୱେ ପ୍ରାର୍ଥୀ ବାଛିବାପାଇଁ ଥିବା ସରକାରୀ ସଂସ୍ଥାଗୁଡିକ କାହିଁକି ନିଜ ଦାୟିତ୍ୱ ଅନ୍ୟ ଉପରକୁ ଖସାଇ ଠିକା ବ୍ୟବସ୍ଥାରେ ପ୍ରାର୍ଥୀ ଚୟନ କରୁଛନ୍ତି ସେଥିଘେନି ବହୁ ପୁରୁଣା ପ୍ରଶାସକ ଓ ଆଇନ୍ଜୀବୀ ପ୍ରଶ୍ନ ଉଠାଉଛନ୍ତି । ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବାପାଇଁ ଠିକା ସଂସ୍ଥା ଓ ବାହ୍ୟ ହସ୍ତକ୍ଷେପ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଏବଂ ଯେଉଁ କ୍ଷେତ୍ରରେ କେଳେଙ୍କାରୀ ଉପୁଜୁଛି ସେଥିଲାଗି ସମ୍ପୃକ୍ତ ସରକାରୀ ସଂସ୍ଥା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କୁ ଉତ୍ତରଦାୟୀ କରିବାପାଇଁ ଦାବି ଉଠୁଛି । (ତଥ୍ୟ)