ଭୁବନେଶ୍ୱର : ରାଜ୍ୟରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ସରକାର ଯେତେ ପ୍ରକାର ଉଦ୍ୟମ କଲେ ବି ତାହାର ପ୍ରଭାବ ଗଞ୍ଜେଇ ଚାଷୀଙ୍କ ଉପରେ ପଡୁନାହିଁ । ବର୍ଷକୁ ବର୍ଷ ଜବତ ଗଞ୍ଜେଇର ପରିମାଣ କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।
ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ପାଇଁ ଓଡିଶା ସାରା ଦେଶରେ କୁଖ୍ୟାତି ଅର୍ଜନ କରିଛି । ମୁମ୍ବାର ମହାନଗରୀ ହେଉ କିମ୍ବା ପଞ୍ଜାବ ଭଳି ରାଜ୍ୟ, ସେଠାରୁ ଜବତ ହେଉଥିବା ଗଞ୍ଜେଇର ଉତ୍ପତିସ୍ଥଳ ଓଡିଶାରେ ଥିବା ସୁରାକ ମିଳୁଛି । ଏଭଳି ସୁରାକ ପାଇବା ପରେ ଅନ୍ୟ ରାଜ୍ୟର ପୁଲିସ୍ ମଧ୍ୟ ଓଡିଶାରେ ଚଢଉ କରିବାର ନଜିର ରହିଛି ।
ତେବେ ଗଞ୍ଜେଇ ଭଳି ନିଶା ସାମଗ୍ରୀର ଚାଷର ମୂଳତ୍ପାଟନ ପାଇଁ ଅବକାରୀ ବିଭାଗ ଓ ପୁଲିସ୍ ପ୍ରତିବର୍ଷ ଅଭିଯାନ ଆରମ୍ଭ କରୁଛନ୍ତି । ବ୍ୟାପକ ଅର୍ଥ ବ୍ୟୟରେ ଗଞ୍ଜେଇ ଗଛ ଉପାଡିବା ଓ ତାହାକୁ ନିଆଁ ଲଗାଇବାର ସଚିତ୍ର ଖବର ଛାଡୁଛନ୍ତି । ଏପରିକି କେତେ କୋଟି ଟଙ୍କାର ଗଞ୍ଜେଇ ପୋଡୁଛନ୍ତି ତାହାର ମଧ୍ୟ ସରକାରୀ ସ୍ତରରେ ହିସାବ କରାଯାଉଛି ।
ହେଲେ ଜବତ ଗଞ୍ଜେଇ ପରିମାଣ କିନ୍ତୁ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୨୧-୨୨ ରେ ୩୨.୨୭୬ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୦୨୩-୨୪ ରେ ତାହା ୩୪,୬୪୦ କିଲୋରେ ପହଞ୍ଚିଥିଲା । ସେହିଭଳି ୨୦୨୪-୨୫ରେ ଜବତ ଗଞ୍ଜେଇ ପରିମାଣ ୩୪,୬୭୯ କିଲୋ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ଶେଷ ସୁଦ୍ଧା ଜବତ ଗଞ୍ଜେଇ ପରିମାଣ ୧୫ହଜାର କିଲୋରୁ ଅଧିକ ରହିଛି ।
ଗଞ୍ଜେଇ ଜବତ ପରିମାଣ ବଢୁଥିବାବେଳେ ଗିରଫ ହେଉଥିବା ବ୍ୟକ୍ତି ଓ ମାମଲା ସଂଖ୍ୟା କିନ୍ତୁ କମିବାରେ ଲାଗିଛି । ୨୦୨୩-୨୪ ବର୍ଷରେ ଏହି ଘଟଣାରେ ୧୪୯୪ ଜଣ ଗିରଫ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହି ସଂଖ୍ୟା ୧୪୬୪କୁ ହ୍ରାସ ପାଇଥିଲା ଏବଂ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ସୁଦ୍ଧା ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୮୪୯ରେ ପହଞ୍ଚିଛି । ଆର୍ଥିକ ବର୍ଷ ଆହୁରି ଅଧା ସମୟ ଥିବାରୁ ଏହି ସଂଖ୍ୟା ଢେର ବଢିବ ବୋଲି ଆଶଙ୍କା କରାଯାଉଛି ।
ରାଜ୍ୟରେ ଗଞ୍ଜେଇ ଚାଷ ଅଧିକ ସଂଖ୍ୟାରେ ହେଉଥିବାରୁ ଏହାର ଚାଲାଣ ବି ବଢିବାରେ ଲାଗିଛି । ଯେଉଁଥିବାରୁ ଅଧିକରୁ ଅଧିକ ପରିମାଣରେ ଗଞ୍ଜେଇ ଅବକାରୀ ଓ ପୁଲିସ୍ ହାତରେ ଧରାପଡୁଛି । ତେବେ ନିଶା ନିବାରଣ କ୍ଷେତ୍ରରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କ କହିବାକଥା ଯେ ଆଇନ୍ରେ ଥିବା ଗଳାବାଟ ଯୋଗୁଁ ବହୁ ଗଞ୍ଜେଇ ବେକାରୀ ଓ ଚାଲାଣକାରୀ ସହଜରେ ଖସି ଯାଉଛନ୍ତି । ତେଣୁ ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଗଞ୍ଜେଇ କାରବାରକୁ ପ୍ରତିହତ କରାଯାଇ ପାରନ୍ତା । ସେହିଭଳି ରାଜ୍ୟର ଯେଉଁସବୁ ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଛି ସେହି ଅଞ୍ଚଳର ଅବକାରୀ ଓ ପୁଲିସ୍ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବା ଆବଶ୍ୟକ । ସେହିଭଳି ଗୁଇନ୍ଦା ବାହିନୀକୁ ମଧ୍ୟ ଏଭଳି ନିଶା ସାମଗ୍ରୀର ଚାଷ ପାଇଁ ଉତ୍ତରଦାୟୀ ରଖାଗଲେ ରାଜ୍ୟରେ ଗଞ୍ଜେଇ ଚାଷ ଓ ଏହାର ବ୍ୟବସାୟ ଉପରେ ରୋକ୍ ଲାଗି ପାରନ୍ତା ।
ପ୍ରତିବର୍ଷ କେବଳ ଗଞ୍ଜେଇ ଗଛ ନଷ୍ଟ, ଚାଷ ଜମିର ପରିମାଣ, ଜବତ ଗଞ୍ଜେଇର ପରିମାଣ, ଗିରଫ ବ୍ୟକ୍ତି ଓ ମାମଲା ସଂଖ୍ୟାର ହିସାବ ସରକାରୀ ସ୍ତରରେ ଦିଆଯାଉଥିବାବେଳେ ବାରମ୍ବାର ଚାଷ ହେଉଥିବା ଇଲାକାରେ କିନ୍ତୁ କାହାରିକୁ ଉତ୍ତରଦାୟୀ କରାଯାଉ ନାହିଁ । ଏହା ଫଳରେ ଗଞ୍ଜେଇ ଚାଷୀମାନେ ବିନା ଭୟରେ ଏଭଳି ନିଷିଦ୍ଧ ନିଶା ସାମଗ୍ରୀକୁ ଚାଷ ପାଇଁ ସାହସ କୁଳାଇ ପାରୁଛନ୍ତି । (ତଥ୍ୟ)