Home General କାଳିପୂଜା ଓ ବାଲିଯାତ୍ରା ଉପରେ ନଜର

କାଳିପୂଜା ଓ ବାଲିଯାତ୍ରା ଉପରେ ନଜର

ଭୁବନେଶ୍ୱର : ଗଣ୍ଡଗୋଳ ଯୋଗୁଁ କଟକରେ କୁମାରଉତ୍ସବ ଓ ଦଶହରା ଭଷାଣି କାର୍ଯ୍ୟକ୍ରମ ଫିକା ପଡିଯାଇଥିବାବେଳେ ଆଗକୁ ଆସୁଥିବା କାଳିପୂଜା, କାର୍ତ୍ତିକେଶ୍ୱର ପୂଜା ଓ ବାଲିଯାତ୍ରା ଯେଭଳି ସୁରୁଖୁରୁରେ ସମ୍ପନ୍ନ ହୁଏ ସେଥିପାଇଁ ପ୍ରଶାସନିକ, ରାଜନୈତିକ ଓ ସାମାଜିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା କାର୍ଯ୍ୟକ୍ରମ କଟକରେ ଶାନ୍ତିଶୃଙ୍ଖଳାର ସହ ଚାଲିଥିବାବେଳେ ତିନି ତାରିଖ ରାତିରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭସାଣି ଶୋଭାଯାତ୍ରାବେଳେ ଅଭାବନୀୟ ଘଟଣା ଉପୁଜିବାରୁ ଭାଇଚାରାର ସହର କଟକ ମହାନଗର ଅଶାନ୍ତ ହୋଇପଡିଥିଲା । ଏହା ପରେ ପରେ ବନ୍ଦ ଡାକରା ଦିଆଯାଇ ଶୋଭାଯାତ୍ରା ବାହାରିଥିବାବେଳେ ପୁଲିସ୍‍ ଫଉଜଙ୍କ ସହ ଧସ୍ତାଧସ୍ତି ଯୋଗୁଁ ପରିସ୍ଥିତି ବିଗିଡିଥିଲା । ସ୍ଥିତି ନିୟନ୍ତ୍ରଣକୁ ଆଣିବାପାଇଁ ପ୍ରଶାସନ କଟକରେ କର୍ଫ୍ୟୁ ଜାରି ସହିତ ଇଣ୍ଟରନେଟ୍‍ ସେବା ବନ୍ଦ କରିଥିଲା । ଏହି ଗଣ୍ଡଗୋଳ ଯୋଗୁଁ କଟକର ଅନେକ ସାହି ବସ୍ତିରେ ହେବାକୁ ଥିବା କୁମାର ଉତ୍ସବ କାର୍ଯ୍ୟକ୍ରମ ବ୍ୟାହତ ହୋଇଥିଲା ।

ଆଗକୁ ଦୀପାବଳୀ ଅବସରରେ କଟକରେ କାଳୀପୂଜା ହେବାର ଅଛି । ପ୍ରତିବର୍ଷ କଟକରେ କାଳୀପୂଜା ବି ବେଶ୍‍ ଧୂମ୍‍ଧାମ୍‍ରେ ପାଳିତ ହୁଏ । ଏଥି ସହିତ ମା’ କଟକଚଣ୍ଡି, ଗଡଚଣ୍ଡି ଆଦିଙ୍କ ପୀଠରେ ମଧ୍ୟ ପୂଜାର୍ଚ୍ଚନା ପାଇଁ ବେଶ୍‍ ଜନସମାଗମ ହୋଇଥାଏ । ଅବଶ୍ୟ କଟକ ମହାନଗରରେ ବିଭିନ୍ନ ସମ୍ପ୍ରଦାୟର ପର୍ବପର୍ବାଣି ସମସ୍ତଙ୍କ ସହଯୋଗରେ ଶହ ଶହ ବର୍ଷ ଧରି ପାଳିତ ହୋଇଆସୁଛି । ତେଣୁ ପୂର୍ବ ଧାରାକୁ ବଜାୟ ରଖିବାପାଇଁ ଦୀପାବଳୀ ଓ କାଳୀପୂଜା ଯେଭଳି ଶୃଙ୍ଖଳାର ସହ ପାଳିତ ହୁଏ ତାହା ଉପରେ ଜିଲ୍ଲା ପ୍ରଶାସନ ଓ ପୁଲିସ୍‍ ଧ୍ୟାନ କେନ୍ଦ୍ରୀତ କରିଛନ୍ତି । କର୍ଫ୍ୟୁ ପ୍ରତ୍ୟାହାର ହୋଇଯାଇଥିଲେ ମଧ୍ୟ ସହରରେ ପୁଲିସ୍‍ ପଇଁତରା ବ୍ୟବସ୍ଥା ଜାରି ରହିଛି ଏବଂ ଗୁଇନ୍ଦା ସଂସ୍ଥା ଅଧିକ ସକ୍ରିୟ ହୋଇପଡିଛି । ଇଣ୍ଟରନେଟ୍‍ ସେବା ସ୍ୱାଭାବିକ ହୋଇଥିବାବେଳେ ଯଦି କେହି ସାମାଜିକ ଗଣମାଧ୍ୟମରେ ଉତ୍ତେଜନା ଉଦ୍ରେକକାରୀ ପୋଷ୍ଟ କରନ୍ତି ସେମାନଙ୍କ ଉପରେ ମଧ୍ୟ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।

ଇତି ମଧ୍ୟରେ କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ଶହ ଶହ ବର୍ଷ ଧରି କଟକ ବାଲିଯାତ୍ରା କେବଳ ଓଡିଶା କାହିଁକି ଦେଶର ମଧ୍ୟ ପ୍ରମୁକ ଆକର୍ଷଣ ହୋଇଆସିଛି । ବାଲିଯାତ୍ରା ଲାଗି ପ୍ରସ୍ତୁତିପର୍ବ ଆରମ୍ଭ ହୋଇଥିବାବେଳେ ଭସାଣି ଅଘଟଣ ଯୋଗୁଁ ଲୋକଙ୍କ ମନରେ ଆଶଙ୍କା ଉପୁଜିଥିଲା । ତେବେ ବାଲିଯାତ୍ରାପାଇଁ ଆଉ ପାଖାପାଖି ମାସେ ସମୟ ରହିଥିବାରୁ ପ୍ରଶାସନିକ ସ୍ତରରେ ଏଥିଲାଗି ବିଶେଷ ତତ୍ପରତା ପ୍ରକାଶ ପାଛଛି ।

ବିଭିନ୍ନ ସାହି ବସ୍ତିର ମୁରବିମାନେ ପୂଜା କମିଟି ଓ ଶାନ୍ତି କମିଟି ସହ ଜଡିତ ବ୍ୟକ୍ତିବିଶେଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଯେଭଳି ସମସ୍ତଙ୍କ ସହଯୋଗରେ କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା ସହିତ ବାଲିଯାତ୍ରାପର୍ବ ସମାହିତ ହୁଏ ସେ ସଂକ୍ରାନ୍ତରେ ଚର୍ଚ୍ଚା କରୁଛନ୍ତି ।
ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଥିବାରୁ ଆଗାମୀ ଦିନରେ ଏହି ଉତ୍ସବାନୁଷ୍ଠାନ ସବୁ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମହାନଗରବାସୀ ଆଶା ରଖିଥିବାବେଳେ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଏହା ଉପରେ ଗୁରୁତ୍ୱାରୋପ କରୁଛନ୍ତି । (ତଥ୍ୟ)