ଭୁବନେଶ୍ୱର : ଓଡିଶାରେ ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି କିସମର ଅପରାଧିକ ମାମଲାର ଫଏସଲା ଓ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ପାଞ୍ଚ ବର୍ଷ ଭିତରେ ଏଭଳି ମାମଲା ସଂଖ୍ୟା କମିବା ପରିବେର୍ତ୍ତ ୨ଗୁଣରୁ ଅଧିକ ବୃଦ୍ଧି ପାଇଛି ।
ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ କ୍ରାଇମ ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟରୁ ଏହି ଉଦବେଗଜନକ ପରିସଂଖ୍ୟାନ ମିଳିଛି । ୨୦୧୭ ଆରମ୍ଭ ବେଳକୁ ରାଜ୍ୟର ବିଭିନ୍ନ ବିଚାରାଳୟରେ ମହିଳମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧ ସଂକ୍ରାନ୍ତୀୟ ମାମଲା ସଂଖ୍ୟା ୮୨,୩୬୪ ଥିବାବେଳେ ୨୦୨୨ ଶେଷ ସୁଦ୍ଧା ଏହି ସଂଖ୍ୟା ୧,୬୯,୫୭୨ରେ ପହଞ୍ଚିଛି । କ୍ରାଇମ୍ ଇନ୍ ଇଣ୍ଡିଆ ୨୦୧୬ ରିପୋର୍ଟର ତଥ୍ୟ ମୁତାବକ ଉକ୍ତ ବର୍ଷରେ ଏଭଳି କିସମର ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୬.୨ ପ୍ରତିଶତ ଥିବାବେଳେ ଫଏସଲା ହାର ୭.୭ ପ୍ରତିଶତରେ ସୀମିତ ଥିଲା ।
ଅନ୍ୟ ପକ୍ଷରେ ସଦ୍ୟ ପ୍ରକାଶିତ କ୍ରାଇମ ଇନ୍ ଇଣ୍ଡିଆ-୨୦୨୩ ରିପୋର୍ଟର ତଥ୍ୟ ମୁତାବକ ଏହି କିସମର ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୬.୯ ପ୍ରତିଶତ ଥିବାବେଳେ ଫଏସଲା ହାର ୫.୩ ପ୍ରତିଶତରେ ସୀମିତ ରହୁଛି । ୨୦୨୩ ଶେଷସୁଦ୍ଧା ଏଭଳି କିସମର ୧,୭୭,୯୪୦ ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ବିଚାରାଧିନ ଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୨ଲକ୍ଷ ହେବ ବୋଲି ଆଇନ୍ ବିଶାରଦମାନେ ଆଶଙ୍କା କରୁଛନ୍ତି ।
୨୦୨୩ ବର୍ଷରେ ଓଡିଶାରେ ଏହି କିସମର ୧,୮୭,୮୧୫ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ମାତ୍ର ୯୮୭୫ ମାମଲା ଫଏସଲା ହୋଇଥିଲା ଏବଂ ଏଥି ମଧ୍ୟରେ ମୋଟେ ୬୭୦ଟି ମାମଲାରେ ଅପରାଧିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିବାବେଳେ ୯୧୦୪ ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟରୁ ଓଡିଶାରେ ମହିଳମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା ଫଏସଲା ହେବାରେ ବିଳମ୍ବ ଘଟିବା ସହ ଖୁବ୍ କମ୍ କ୍ଷେତ୍ରରେ ଦଣ୍ଡବିଧାନ ହେଉଥିବାରୁ ଅପରାଧିମାନଙ୍କର ଆଇନ୍ ବ୍ୟବସ୍ଥା ପ୍ରତି ଭୟ ରହୁନାହିଁ । ଯେତିକିଟି ଫୌଜଦାରୀ ମାମଲାରେ ବି ଦଣ୍ଡବିଧାନ ହେଉଛି ସେଥିରୁ ଅଧିକାଂଶରେ ଅପରାଧିମାନେ ଉଚ୍ଚ ଅଦାଲତମାନଙ୍କରେ ଅପିଲ୍ କରୁଥିବାରୁ ତାହା ବି ଗଡୁଛି ।
ଏଠାରେ ଉଲ୍ଲେଖନୀୟ ଯେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ସାରା ଦେଶରେ ଦଣ୍ଡବିଧାନ ହାର ୨୧ ପ୍ରତିଶତରୁ ଅଧିକ ରହୁଥିବାବେଳେ ଓଡିଶାରେ କିନ୍ତୁ ତାହା ୭ ପ୍ରତିଶତରୁ କମ୍ ରହୁଛି ।
ଏଠାରେ ଉଲ୍ଲେଖନୀୟ ଯେ ୫ବର୍ଷର ପୁରୁଣା ମାମଲାଗୁଡିକୁ ସଫା କରିବାପାଇଁ ଓଡିଶା ସରକାର ଅର୍ଥ କମିଶନଙ୍କ ସୁପାରିଶ୍ ଭିତ୍ତିରେ ୨୦୧୧ ମସିହାରେ ରାଜ୍ୟ ମାମଲା ନୀତି ପ୍ରଣୟନ କରିଥିବାବେଳେ ମାମଲା ସଂଖ୍ୟା କିନ୍ତୁ କମିବା ପରିବର୍ତ୍ତେ ବଢୁଛି ଏବଂ କେତେକ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲା ବି ୧୦/୧୫ ବର୍ଷରୁ ଅଧିକ ସମୟ ଧରି ଚାଲୁଛି । ଫଳରେ କେତେକ କ୍ଷେତ୍ରରେ ଅଭିଯୁକ୍ତ ଓ ପୀଡିତାଙ୍କର ମୃତ୍ୟୁ ଓ ବାର୍ଦ୍ଧକ୍ୟଜନିତ କାରଣରୁ ଏବଂ ଦୀର୍ଘବର୍ଷ ପରେ ସରକାର ଅଦାଲତରେ ସାକ୍ଷ୍ୟ ପ୍ରମାଣ ଠିକଣା ସମୟରେ ଉପସ୍ଥାପନ କରିପାରୁନଥିବା ଯୋଗୁଁ ଏହି କିସମର ମାମଲାରେ ଦଣ୍ଡବିଧାନ ହାର ଉଦବେଗଜନକ ଭାବେ କମ୍ ରହୁଥିବା ଅଭିଜ୍ଞ ଆଇନ୍ଜୀବୀମାନେ କହୁଚନ୍ତି । (ତଥ୍ୟ)